ମୋଦିଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ମିଳିଲା ଧମକପୂର୍ଣ୍ଣ ଚିଠି, ଆଲର୍ଟରେ ସୁରକ୍ଷା ଏଜେନ୍ସୀ

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯିବ ବୋଲି ଧମକପୂର୍ଣ୍ଣ ଚିଠି ମିଳିଛି । ଦୁଇଦିନିଆ କେରଳ ଗସ୍ତ ସମୟରେ ହୋଇପାରେ ବୋଲି ଦାବି କରିଛନ୍ତି କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ଧମକପୂର୍ଣ୍ଣ ଚିଠିର ସୂଚନା ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ଆଲର୍ଟ ମୋଡରେ ରହିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ କେରଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ସମୟରେ ମୋଦିଙ୍କୁ ବୋମାରେ ଉଡାଇ ଦିଆଯିବ ବୋଲି ଧମକପୂର୍ଣ୍ଣ ଚିଠି ଆସିଛି । ରାଜୀବ ଗାନ୍ଧିଙ୍କର ଯେଉଁ ଅବସ୍ଥା ହୋଇଥିଲା ମୋଦିଙ୍କର ବି ସେହି ଅବସ୍ଥା କରାଯିବ ବୋଲି ସେଥିରେ ଲେଖା ହୋଇଛି। ଆଜି ଏହି ଦାବି କରିଛନ୍ତି କେରଳର ବିଜେପି ମୁଖ୍ୟ କେ ସୁରେନ୍ଦ୍ରନ। ଏହି ଧମକପୂର୍ଣ୍ଣ ଚିଠିର ସୂଚନା ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ମୁତାବକ, କୋଚିର ଜଣେ ବ୍ୟକ୍ତି ଦ୍ୱାରା ମାଲାୟାଲମରେ ଲେଖାଯାଇଥିବା ଏକ ଚିଠିକୁ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନଙ୍କ କାର୍ଯ୍ୟାଳୟରେ ଗ୍ରହଣ କରାଯାଇଛି । ସେ ଗତ ସପ୍ତାହରେ ପୋଲିସକୁ ଏହି ପତ୍ର ଦେଇଥିଲେ ।

ପୋଲିସ ଏହି ଚିଠିର ଅନୁସନ୍ଧାନ ଆରମ୍ଭ କରିବା ପରେ ସେଥିରେଏନ.କେ ଜନି ନାମକ ଜଣେ ବ୍ୟକ୍ତିଙ୍କ ଠିକଣା ଲେଖାଯାଇଥିଲା । ପୋଲିସ କର୍ମଚାରୀ ତାଙ୍କ ହାତଲେଖା ଓ ଚିଠିରେ ଲେଖାଯାଇଥିବା ହାତଲେଖାକୁ ଯାଞ୍ଚ କରିଥିଲେ। ତା’ପରେ ଉକ୍ତ ଚିଠିରେ ଥିବା ହାତଲେଖା ତାଙ୍କର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲେ। କିଛି ଲୋକ ତାଙ୍କ ଉପରେ ରାଗ ରଖି ଏପରି କରିଥାଇପାରନ୍ତି ବୋଲି ସେ ମନେ କରୁଛନ୍ତି। ଆଉ ସେମାନଙ୍କ ନାମ ସେ ପୋଲିସକୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କେରଳ ଗସ୍ତ ସମୟରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବେ। ତା’ ସହିତ କୋଚି ୱାଟର ମେଟ୍ରୋର ଶୁଭାରମ୍ଭ କରିବେ। ତେବେ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ସମସ୍ତ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।

You might also like