ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ଜମି ହଡ଼ପ କରିଥିଲା ଅତିକ ଅହମଦ, ସୋନିଆଙ୍କ ହସ୍ତକ୍ଷେପ ପରେ ମିଳିଥିଲା ସଂପତ୍ତି

ସୋନିଆ ଗାନ୍ଧିଙ୍କ ସଂପର୍କୀୟ ସଂପତ୍ତିକୁ ଅବୈଧ ଭାବେ କବଜା କରିଥିଲା ଅତିକ ଅହମଦ । ଆଉ ସୋନିଆଙ୍କ ହସ୍ତକ୍ଷେପ ପରେ ସୋନିଆଙ୍କ ସଂପର୍କୀୟ ବୀରା ଗାନ୍ଧି ନିଜ ସଂପତ୍ତି ଫେରିପାଇଥିଲେ ।

ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ଗୁଳିକରି ହତ୍ୟା କରିଦିଆଗଲା । ହେଲେ ଅତିକ ପ୍ରୟାଗରାଜରେ ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ମାଡ଼ି ବସିଥିବାର ଖବର ଏବେ ଚର୍ଚ୍ଚାକୁ ଆସିଛି । ଲକ୍ଷ୍ନୌର ପୋଶ ସିଭିଲ ଲାଇସେନ୍ସ ଅଞ୍ଚଳରେ ଥିବା ଏକ ସମ୍ପତ୍ତି ଉପରେ କବଜା କରିଥିଲା ଅତିକ ଅହମଦ । ଆଉ ଏଥିପାଇଁ ସୋନିଆ ଗାନ୍ଧିଙ୍କ ସଂପର୍କୀୟ ବୀରା ଗାନ୍ଧି ସହିତ ଅତିକର ଝଗଡା ମଧ୍ୟ ହୋଇଥିଲା । ୨୦୦୭ିରେ ଏହି ଘଟଣା ଘଟିଥିଲା । ଅତିକ୍ ଯେଉଁ ସଂପତ୍ତି ମାଡ଼ି ବସିଥିଲା ତାହା ସୋନିଆ ଗାନ୍ଧିଙ୍କ ଶ୍ବଶୁର ଫିରୋଜ ଗାନ୍ଧିଙ୍କ ପରିବାରର ସଦସ୍ୟ ବୀରା ଗାନ୍ଧିଙ୍କର।

ସେ ସମୟରେ ଅତିକ ଫୁଲପୁରର ସାଂସଦ ଥିଲା। ଏଥିସହିତ ଉତ୍ତର ପ୍ରଦେଶରେ ତା’ ଦଳ ସମାଜବାଦୀ ପାର୍ଟିର ଶାସନ ଚାଲୁଥିଲା। ଅବୈଧ ଭାବେ ସୋନିଆ ଗାନ୍ଧିଙ୍କ ସଂପର୍କୀୟଙ୍କ ସଂପତ୍ତି ଉପରେ କବଜା କରି ରହିଥିଲା ଅତିକ୍‌ । ଏହି ସମୟରେ ବୀରା ଗାନ୍ଧିଙ୍କର ଏକ ପ୍ୟାଲେସ ଥିଏଠର ଥିଲା । ଯାହାକୁ ବନ୍ଦ କରିବାକୁ ପଡିଥିଲା ।

ପରିବାର ମଧ୍ୟରେ ସଂପତ୍ତି ଭାଗବଣ୍ଟା ସମୟରେ ବୀରାଙ୍କ ଭାଗ୍ୟରେ ତାହାର କିଛି ଅଂଶ ପଡ଼ିଥିଲା। ସେହି ସ୍ଥାନ ନିକଟରେ ଅସ୍ଥାନା ନାମକ ଏକ ପରିବାର ଠାରୁ କିଛି ଜମି ଅତିକ କିଣିଥିଲା। ବୀରା ଗାନ୍ଧିଙ୍କ ସଂପତ୍ତି ସଂପର୍କରେ ଜାଣିବା ପରେ ଅତିକ୍ ତାହାକୁ ମାଡ଼ି ବସିବା ସହ ତାଲା ପକାଇ ରଖିଥିଲା। ବୀରା ଗାନ୍ଧି ସ୍ଥାନୀୟ ପୁଲିସ ଏବଂ ପ୍ରଶାସନ ଠାରୁ ସଂପତ୍ତି ପାଇବା ପାଇଁ ସହାୟତା ଲୋଡ଼ିଥିଲେ ବି କିଛି ସୁଫଳ ମିଳି ନଥିଲା। ତେଣୁ ଏହି ମାମଲାରେ ବୀରା ଗାନ୍ଧିଙ୍କୁ ସହାୟତା କରିବାକୁ କେହି ଆଗକୁ ବାହାରୁ ନଥିଲେ। ତେବେ ବୀରା ସୋନିଆଙ୍କୁ ଏ ନେଇ ଜଣାଇଥିଲେ। ଏହାପରେ ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ବୀରାଙ୍କୁ ତାଙ୍କ ସଂପତ୍ତି ମିଳି ପାରିଥିଲା।

ସୂଚନାଯୋଗ୍ୟ, ଅତିକ୍‌ ଓ ଅଶରଫ୍‌ଙ୍କୁ କାଲ୍‌ଭିନ ହସ୍ପିଟାଲର ଗେଟ୍‌ ପାଖରେ ଏପ୍ରିଲ ୧୫ ରାତିରେ ଗୁଳି କରାଯାଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଉମେଶ ପାଲ ହତ୍ୟା ମାମଲାରେ ଅତିକ୍‌-ଅଶରଫ୍‌ଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। କାଲଭିନ ହସ୍ପିଟାଲରେ ସେମାନଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା। ସେଠାରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧି ବେଶରେ ଆସି ଅରୁଣ ମୌର୍ଯ୍ୟ, ଲଭଲେଶ ତିୱାରୀ ଓ ସନ୍ନି ତତ୍‌କ୍ଷଣାତ ଅତିକ୍‌ ଓ ଅଶରଫ୍‌ଙ୍କୁ ଗୁଳି କରି ହତ୍ୟା କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.