ଦୁଷ୍କର୍ମକାରୀଙ୍କୁ ଏହି ଦେଶରେ କରି ଦିଆଯିବ ନପୁଂସକ! ବ୍ୟବହାର କରାଯିବ କେମିକାଲ

ଦୁଷ୍କର୍ମକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଦଣ୍ଡ ବ୍ୟବସ୍ଥା ରହିଛି। କିନ୍ତୁ ଏବେ ପେରୁ ସରକାର ଏମିତି ଏକ ବିଲ୍ ପ୍ରସ୍ତୁତ କରିଛନ୍ତି, ଯାହା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ଅଧୀନରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ସ୍ୱରୂପ ନପୁଂସକ କରି ଦିଆଯିବ। ପେରୁ ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋ ଏ ନେଇ ଘୋଷଣା କରିଛନ୍ତି।
ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବା ପାଇଁ ରାସାୟନିକ ଔଷଧ ବ୍ୟବହାର କରାଯିବ। ଯଦିଓ ପେରୁ ଏମିତି ମାମଲାରେ ପ୍ରଥମ ଦେଶ ନୁହେଁ, ଯେଉଁଠି ଏହିଭଳି ଦଣ୍ଡ ଲାଗୁ ହେବାକୁ ଯାଉଛି। ଏଥି ପୂର୍ବରୁ ଦକ୍ଷିଣ କୋରିଆ, ପୋଲାଣ୍ଡ, ଚେକ୍ ରିପବ୍ଲିକ ଓ ଆମେରିକାର କିଛି ରାଜ୍ୟ ଏହି ପ୍ରକାର ଦଣ୍ଡ ବ୍ୟବସ୍ଥା ଲାଗୁ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଆଗାମୀ ଦିନରେ ଔପଚାରିକ ରୂପେ ପ୍ରସ୍ତାବ ପଠାଯିବ ଏବଂ ସେ କଂଗ୍ରେସ ସମର୍ଥନକୁ ଅପେକ୍ଷା କରିଛନ୍ତି।
ରିପୋର୍ଟ ମୁତାବକ, ପେରୁରେ ୧୯୯୦ ଦଶକରୁ ଏହି ପ୍ରସ୍ତାବ ଉପରେ ବିତର୍କ ଚାଲି ଆସିଛି। ଦୁଇ ପ୍ରକାରର ସମସ୍ୟା ହେତୁ ଏହାକୁ ମଞ୍ଜୁରୀ ମିଳୁନାହିଁ। ପ୍ରଥମ ସମସ୍ୟା ସାମ୍ବିଧାନିକ ପ୍ରସଙ୍ଗକୁ ନେଇ ରହିଛି, କାହିଁକି ନା, ପେରୁରେ ଶାରୀରିକ ଦଣ୍ଡ ନିଷେଧ ରହିଛି। ଦ୍ୱିତୀୟ ସମସ୍ୟା ହେଉଛି, ଏହାଦ୍ୱାରା ଯୌନ ଇଚ୍ଛା କେତେ ହ୍ରାସ ପାଇପାରିବ। ସୂଚନାଥାଉ କି, ପେରୁରେ ପେନାଲ୍ କୋଡ୍ର ଅନୁଚ୍ଛେଦ ୧୭୩ ଅଧୀନରେ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ। ଯଦିଓ ୩୫ ବର୍ଷ ଜେଲରେ ବିତାଇବା ପରେ ଦୋଷୀଙ୍କ ଦଣ୍ଡ ସମୀକ୍ଷା ହୋଇଥାଏ।
ସେପଟେ ପେରୁ ଲିବ୍ରେର କଂଗ୍ରେସ୍ ଓମେନ ଏବଂ Congressional Women’s Commission ଅଧ୍ୟକ୍ଷା ଏଲିଜାବେଥ୍ ମଦିନା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ସେ ନାବାଳିକାଙ୍କ ଦୁଷ୍କର୍ମକାରୀଙ୍କୁ କେମିକାଲରେ ନପୁଂସକ କରାଯିବା ପକ୍ଷରେ ଅଛନ୍ତି। ବିରୋଧୀ ଫ୍ୟୁରଜା ପପୁଲାର ପାର୍ଟିର କଂଗ୍ରେସ୍ମ୍ୟାନ ହେକ୍ଟର ଭେଞ୍ଚୁରା କହିଛନ୍ତି, ନପୁଂସକ କରିବା ସମାଧାନ ନୁହେଁ। କଂଗ୍ରେସକୁ ପଠାଯିବା ପୂର୍ବରୁ ବିଲ୍କୁ ମନ୍ତ୍ରୀପରିଷଦ ଦ୍ୱାରା ଅନୁମୋଦିତ କରାଯିବା ଉଚିତ।