ମହିଳାଙ୍କ ପାଇଁ ତିଆରି କରାଗଲା ଖାସ ରିଭଲଭର “ନିର୍ଭୀକ”

ସାତ ବର୍ଷ ପୂର୍ବେ ସାରା ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣ ଦୁଷ୍କର୍ମ ପରେ କାନପୁରର ଓର୍ଡ଼ନେନ୍ସ (ଯୁଦ୍ଧ ସାମଗ୍ରୀ ବା ଅସ୍ତ୍ର ଶସ୍ତ୍ର ତିଆରି କରୁଥିବା) ଫ୍ୟାକ୍ଟ୍ରିରେ କେବଳ ମହିଳା ମାନଙ୍କ ପାଇଁ କମ ଓଜନର ରିଭଲଭର ବା ବନ୍ଧୁକ ତିଆରି କରାଯାଇଛି ଯାହାକି ଲୋକମାନଙ୍କୁ ଆକର୍ଷିତ କରୁଛି। ଏହିଭଳି ଗମ୍ଭୀର ଘଟଣାକୁ ରୋକିବା ପାଇଁ ଏହି ରିଭଲଭରର ନାମ ରଖାଯାଇଛି ନିର୍ଭୀକ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ,ଉତ୍ତରପ୍ରଦେଶ,ଏବଂ ହରିୟାଣାରେ ପ୍ରାୟ ୨୫୦୦ଟି ରିଭଲଭର ବିକ୍ରି ହୋଇସାରିଛି।

ଫ୍ୟାକ୍ଟ୍ରି ବୋର୍ଡର ଜଣେ ପ୍ରତିନିଧି ଅନ୍ତଃରାଷ୍ଟ୍ରୀୟ ପୋଲିସ ଏକ୍ସପୋରେ ଏହି ରିଭଲଭର ଦେଖାଇ କହିଛନ୍ତି ‘ନିର୍ଭୀକ’କୁ ଏକ ମଜବୁତ ଓ ସହଜ ଆତ୍ମରକ୍ଷା ହଥିଆର ରୂପେ ଲଞ୍ଚ କରାଯାଇଛି। ଯାହାକୁ ମହିଳା ମାନେ ନିଜ ପର୍ସରେ ମଧ୍ୟ ରଖିପାରିବେ। ଏହାର ଭଲ ପରିଣାମ ରୂପେ ଲଂଚିଙ୍ଗର ୫ବର୍ଷ ମଧ୍ୟରେ ୨୫୦୦ରୁ ଅଧିକ ରିଭଲଭର ବିକ୍ରି ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏକ ସାଧାରଣ ରିଭଲଭର ଯାହାକି ୭୦୦ ଗ୍ରାମରୁ ଅଧିକ ଓଜନର ହୋଇଥାଏ ସେଠାରେ ଏହି ରିଭଲଭର ଓଜନ ମାତ୍ର ୫୦୦ଗ୍ରାମ ଅଟେ। ଏହାର ରକ୍ଷଣା ବେକ୍ଷଣରେ କମ ଖର୍ଚ୍ଚ ହିଁ ଏହାର ସଫଳତାର କାରଣ ଅଟେ ଏବଂ ଏହି ରିଭଲଭରର ଦର ଅଧିକ ହେବା ପରେ ମଧ୍ୟ ଏହାର ବିକ୍ରି ଅବିଶ୍ଵସନୀୟ ବୋଲି ଅଧିକାରୀ ଜଣକ କହିଛନ୍ତି।

ଏକ ସାଧାରଣ ରିଭଲଭରର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହୋଇଥିବା ବେଳେ ଏହି ରିଭଲଭରର ମୂଲ୍ୟ ପ୍ରାୟ ୧.୨୦ଲକ୍ଷ ଟଙ୍କା ଅଟେ। ଯାହାକି ଜିଏସଟି ପରେ ୧.୪୦ ଲକ୍ଷ ଟଙ୍କାରେ ମିଳିଥାଏ। ‘ନିର୍ଭୀକ’ ଅତି ସହଜରେ ୧୦ମିଟର ଦୂରରୁ ଲକ୍ଷ୍ୟ ଭେଦ କରିପାରେ କିନ୍ତୁ ଫ୍ୟାକ୍ଟ୍ରିର ସୂଚନା ଅନୁଯାୟୀ ଏହା ୧୫ମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିବା ସହ ଏହାର ବୋର କାପାସିଟି ୦.୩୨ (୭.୬୫ମିମି ) ଅଟେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.