Below header

ଟାର୍ଗେଟରେ ରୁଷ ରାଷ୍ଟ୍ରପତିଙ୍କ ‘ଗୁପ୍ତ ପ୍ରେମିକା’! ସ୍ୱିଜରଲ୍ୟାଣ୍ଡରୁ ତଡ଼ିବାକୁ ହେଉଛି ଦାବି

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ବିଶ୍ୱର ଅନେକ ଦେଶ ଏବଂ ସଙ୍ଗଠନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଆଲୋଚନା କରୁଛନ୍ତି। ସେପଟେ ଏବେ ଲୋକଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି ପୁଟିନଙ୍କ ତଥାକଥିତ ପ୍ରେମିକା ଏଲିନା କବାଇଭା। କୁହାଯାଉଛି ଯେ ଏଲିନା ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡରେ ଅଛନ୍ତି। ଏମିତି ଯୁଦ୍ଧ ପରିସ୍ଥିତି ଭିତରେ ସେଠାକାର ଲୋକେ ଏବେ ଏଲିନାଙ୍କୁ ଦେଶରୁ ବାହାରି ଯିବାକୁ ଦାବି କରିଛନ୍ତି। ସ୍ୱିଜରଲ୍ୟାଣ୍ଡର କିଛି ସାମାଜିକ କର୍ମୀ ଏକ ପିଟିସନ ଦାଖଲ କରି ପୁଟିନଙ୍କ ପ୍ରେମିକାଙ୍କୁ ଦେଶରୁ ତଡ଼ିବାକୁ ଦାବି କରିଛନ୍ତି।

ଏହି ପିଟିସନରେ ୫୦,୦୦୦ରୁ ଅଧିକ ହସ୍ତାକ୍ଷର ରହିଛି। ଏଥିରେ କୁହାଯାଇଛି, ଯୁଦ୍ଧ ସତ୍ତ୍ୱେ ସ୍ୱିଜରଲ୍ୟାଣ୍ଡ ପୁଟିନଙ୍କ ଶାସନର ଜଣେ ସହଯୋଗୀଙ୍କୁ ଆତିଥ୍ୟ ସେବା ଯୋଗାଉଛି। ଏଲିନା କବାଇଭାଙ୍କୁ ସ୍ୱିଜରଲ୍ୟାଣ୍ଡରେ ରହିବାର କୌଣସି ଅଧିକାର ନାହିଁ।

ଏଲିନା ମାରାଟୋଭନା କବାଇଭା ଜଣେ ରୁଷୀୟ ରାଜନୀତିଜ୍ଞ। ଏହାସହ ସେ ଜଣେ ଖ୍ୟାତନାମା ଜିମ୍‌ନାଷ୍ଟ ମଧ୍ୟ। ରିଥମିକ୍‌ ଜିମ୍‌ନାଷ୍ଟିକରେ ସେ ୨ ଅଲିମ୍ପିକ ପଦକ, ୧୪ ବିଶ୍ୱ ଚାମ୍ପିୟନଶିପ ପଦକ ଏବଂ ୨୧ ୟୁରୋପୀୟ ଚାମ୍ପିୟନଶିପ୍‌ ପଦକ ହାସଲ କରିଛନ୍ତି। ରୁଷର ସବୁଠାରୁ ଫ୍ଲେକ୍ସିବଲ ମହିଳା ରୂପେ ମଧ୍ୟ ସେ ପରିଚିତ। ଏଲିନା ରୁଷ ସଂସଦର ସଦସ୍ୟ ମଧ୍ୟ ରହିଛନ୍ତି। ସେ ପୁଟିନଙ୍କ ୟୁନାଇଟେଡ୍‌ ରଷିଆ ପାର୍ଟିର ପ୍ରତିନିଧିତ୍ୱ କରିଥିଲେ।

ଦ ଗାର୍ଜିୟନ ଭଳି କେତେକ ପ୍ରକାଶନ ଦାବି କରିଛନ୍ତି ଯେ ୩୮ ବର୍ଷୀୟା ଏଲିନା କବାଇଭା ପୁଟିନଙ୍କ ପ୍ରେମିକା। ଅବଶ୍ୟ, ରୁଷ ରାଷ୍ଟ୍ରପତି କେବେ ବି ତାଙ୍କୁ ଅଫିସିଆଲି ରୂପେ ନିଜ ପ୍ରେମିକା ସ୍ୱୀକାର କରି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.