ସାବରୀମାଳାରେ ମହିଳାଙ୍କ ପ୍ରବେଶ ମାମଲାର ଶୁଣାଣି କରିବେ ସାତଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ସାବରୀମାଳାରେ ମହିଳାଙ୍କ ପ୍ରବେଶ ମାମଲାର ଶୁଣାଣି କରିବେ ସାତଜଣିଆ ଖଣ୍ଡପୀଠ। ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଏ ଏମ ଖାନୱିଲକର, ଜଷ୍ଟିସ ଡି. ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମାଲହୋତ୍ରା ସାବରିମାଳା ରାୟ ପ୍ରକାଶ ବେଳେ ୩-୨ରେ ନିଷ୍ପତ୍ତି ହେବାରୁ ଏହାକୁ ବଡ଼ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦିଆଯାଇଛି। ଏହା କେବଳ ମନ୍ଦିରରେ ପ୍ରବେଶ ନୁହେଁ, ବରଂ ମସଜିଦରେ ମୁସଲିମ ମହିଳା ଓ ଅଗ୍ୟାରୀରେ ପାର୍ସି ମହିଳାଙ୍କ ପ୍ରବେଶରେ ପ୍ରଭାବ ପକାଇବ ବୋଲି ଖଣ୍ଡପୀଠ କହିଥିଲେ। ସବୁ ଧର୍ମକୁ ସମ୍ମାନ ନେଇ ରାୟ ଶୁଣାଇବାକୁ ପ୍ରୟାସ କରିଥିଲେ ଖଣ୍ଡପୀଠ।
ସାବରିମାଳାରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମ କୋର୍ଟ ୨୦୧୮ ସେପ୍ଟେମ୍ବର ୨୮ ତାରିଖରେ ଐତିହାସିକ ରାୟ ଦେଇଥିଲା। ଏହାକୁ ବିଭିନ୍ନ ବର୍ଗ ଚ୍ୟାଲେଞ୍ଜ କରି ରାୟର ପୁନଃସମୀକ୍ଷା ପାଇଁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଚଳିତବର୍ଷ ଫେବୃଆରିରେ ରିଭ୍ୟୁ ପିଟିସନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।