ହୃଦୟ ବିଦାରକ: ଭଉଣୀର ଚିତାଗ୍ନିକୁ ଡେଇଁ ଜୀବନ ହାରିଲା ଭାଇ, ପରିବାରରେ ଶୋକର ଛାୟା
ନୂଆଦିଲ୍ଲୀ : ଭାଇ ଭଉଣୀର ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଉଭୟ ପରସ୍ପରଙ୍କୁ ସ୍ନେହ ମମତାରେ ବାନ୍ଧି ଭଲପାଇବାର ନିଆରା ଉଦାହରଣ ସୃଷ୍ଟି କରିଥାଏ । କିନ୍ତୁ ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହାକି ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସମ୍ପର୍କୀୟା ଭଉଣୀର ମୃତ୍ୟୁ ଯୋଗୁଁ ବିଚଳିତ ହୋଇପଡ଼ିଥିବା ଜଣେ ଭାଇ ତା’ର ଜ୍ବଳନ୍ତ ଚିତାରେ ଝାସ ଦେଇ ଜୀବନ ହରାଇଛି। ଗୁରୁତର ଅବସ୍ଥାରେ ଭାଇକୁ ଉଦ୍ଧାର କରି ହସ୍ପିଟାଲ ନେବା ରାସ୍ତାରେ ହିଁ ପ୍ରାଣ ହରାଇଛି ଭାଇ । ମଧ୍ୟ ପ୍ରଦେଶର ସାଗର ଜିଲ୍ଲା ମଝଗଓ୍ବାଁରେ ଶୁକ୍ରବାର ଦିନ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା ।
ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଜ୍ୟୋତି ଔରଫ ପ୍ରିତୀ ନାମକ ଯୁବତୀ ଜମିକୁ ଯାଇଥିଲେ । ତେବେ ଏହାପରେ ସେ ଅଚାନକ ନିଖୋଜ ହୋଇଯାଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ଏକ କୂଅରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ପୋଷ୍ଟମର୍ଟମ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ । ପରିବାର ଲୋକେ ପ୍ରିତିଙ୍କ ଅନ୍ତିମ ସଂସ୍କାର କରିବାକୁ ନେଇ ଯାଇଥିଲେ । ଜୁଇରେ ନିଆଁ ଲଗାଇ ଆତ୍ମୀୟସ୍ବଜନମାନେ ନିଜ ନିଜର ଘରକୁ ଫେରି ଯାଇଥିଲେ। କିଛି ସମୟ ପରେ ମୃତ ମହିଳାଙ୍କ ସମ୍ପର୍କୀୟ ଭାଇ ୨୧ ବର୍ଷିୟ କରଣ୍ ମଶାଣିରେ ପହଞ୍ଚିଥିଲେ। ଏବଂ ହଠାତ ଭଉଣୀ ଚିତାକୁ ଡେଇଁ ପଡିଥିଲେ କରଣ୍।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କରଣ୍ ଆସି ଜୁଇ ନିକଟରେ ନଇଁଲେ ଓ ତା’ପରେ ହଠାତ୍ ତା’ ଭିତରକୁ ଡେଇଁ ପଡ଼ିଲେ। ଚିତ୍କାର ଶୁଣି ନିକଟରେ ଥିବା କିଛି ବ୍ୟକ୍ତି ଦୌଡିଆସି ତାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଶରୀରର ଅଧିକାଂଶ ଭାଗ ପୋଡିଯାଇଥିଲା । ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ନେବା ରାସ୍ତାରେ ହିଁ କରଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଥମେ ଝିଅ ଏବଂ ପରେ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।