ସୁନାବେଡା ଅଭୟାରଣ୍ୟ ଜଙ୍ଗଲରୁ ଯୁବତୀଙ୍କ ହାଡକଙ୍କାଳ ମିଳିବା ଘଟଣା: ଯୋଜନାବଦ୍ଧ ହତ୍ୟାକାଣ୍ଡର ପର୍ଦାଫାଶ, ୪ ଗିରଫ

ନୂଆପଡା(କେନ୍ୟୁଜ) : ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଜଣେ ଯୁବତୀଙ୍କ ହାଡକଙ୍କାଳ ଘଟଣାର ପର୍ଦାଫାଶ କରିଛି କୋମନା ପୋଲିସ୍ । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ବେଳେ ଏଥିରେ ସଂପୃକ୍ତଥିବା ୪ଜଣ ଅଭିଯୁକ୍ତଙ୍କୁ କୋମନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁଯାୟୀ, କୋମନା ଥାନା ଅନ୍ତର୍ଗତ ଅଗ୍ରେନ ଗାଁର ସୁଶିଳା ଶଗରିଆ ନାମକ ଜଣେ ୨୨ବର୍ଷିୟ ଯୁବତୀ କୋମନା ଜଗନ୍ନାଥ ପଡାରେ ରହି ମାଁ ମଙ୍ଗଳା ଷ୍ଟୁଡିଓର ମାଲିକ ଭବାନୀ ପାଣିଗ୍ରାହୀଙ୍କ ଘରେ ଚାକରାଣି ଭାବେ କାମକରି ଆସୁଥିଲେ । ଯୁବତୀଙ୍କ ସରଳତାର ସୁଯୋଗ ନେଇ ଭବାନୀଙ୍କ ସାନ ଭାଇ ଉମାଶଙ୍କର ଓରଫ ବାପିଙ୍କ ସହ ସୁଶୀଳାଙ୍କ ଅନୈତିକ ପ୍ରେମ ସଂପର୍କ ଗଢି ଉଠିଥିଲା । କିଛି ମାସ ପରେ ଯୁବତୀଙ୍କ ପେଟବ୍ୟଥା ହେବାରୁ ନିଜ ସାନଭାଇ ନେତ୍ର ଶଗରିଆଙ୍କ ସହ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଛଅ ମାସର ଗର୍ଭବତୀ ଥିବା କହିଥିଲେ । ଏହା ଶୁଣିବା ପରେ ଦୁଇ ଭାଇଭଉଣୀଙ୍କ ପାଦ ତଳୁ ମାଟି ଖସିପଡିଥିଲା ।

ଏହାପରେ ସୁଶୀଳାଙ୍କ ଗର୍ଭପାତ କରିବା ପାଇଁ ଭାଇ ନେତ୍ର ଶଗରିଆ ସହ ଅଭିଯୁକ୍ତ ଦୁଇ ଭାଇ ଭବାନୀ ଓ ବାପି  ଅନେକ ଥର ଡାକ୍ତରଖାନାକୁ ନେଇଥିଲେ । ହେଲେ କୈାଣସି ମତେ ସୁଶିଳାଙ୍କ ଗର୍ଭପାତ ହୋଇପାରିନଥିଲା । ପରିଶେଷରେ ସୁଶିଳା କେସିଙ୍ଗା ଡାକ୍ତରଖାନାରେ ଗତ୨୦ ଜାନୁୟାରୀରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସେଠାରେ ଶିଶୁ କନ୍ୟାଟିକୁ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥିବା କୁହାଯାଉଛି ।ଏହାପରେ ଗତ ଫେବୃୟାରୀ ମାସରେ ସୁଶିଳାକୁ ସୁନାବେଡାର ସୁକଲ ଦାସଙ୍କ ଘରକୁ ନେଇ ରହିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ସେଠାରେ ରହିବାକୁ ସୁଶିଳା ମନା କରିଦେଇଥିଲେ । ଏହାପରେ ବାପି ପାଣିଗ୍ରାହୀ , ନେତ୍ର ଶଗରିଆ ଓ ସୁକଲ ଦାସ ମିଶି ଏକ ପିକଅପ ଭ୍ୟାନ ଯୋଗେ ସୁଶିଳାକୁ ସୁନାବେଡାରୁ କୋମନାକୁ ଆଣିବା ବେଳେ ସୁନାବେଡା ଅଭୟାରଣ୍ୟର ରୁପିଆମ ଜଳପ୍ରପାତ ନିକଟରେ ସୁଶିଳାଙ୍କ ତଂଟି ଚିପି ହତ୍ୟା କରିଥିଲେ ।

ପରେ ବଡଭାଇ ଭବାନୀଙ୍କ ନିର୍ଦ୍ଦେଶରେ ଶବଟିକୁ ଜଙ୍ଗଲରେ ଫିଙ୍ଗିଦେଇ ଆସିଥିଲେ । କିଛି ଦିନପରେ ରୁପିଆମ ଗାଁର ଲିଂଗରାଜ ମାଝି ନାମକ ଜଣେ ବ୍ୟକ୍ତି ଯୁବତୀଙ୍କ ଅର୍ଦ୍ଧ ଗଳିତ ଶବ ସୁନାବେଡା ଅଭୟାରଣ୍ୟ ଜଙ୍ଗଲରେ ପଡିଥିବା ଦେଖିବା ପରେ କୋମନା ପୋଲିସକୁ ସୂଚନା ଦେଇଥିଲେ । କୋମନା ପୋଲିସ ସାଇନଟିଫିମ ଟିମ ସହ ଘଟଣାସ୍ଥଳରେ ପହଁଚି ଯୁବତୀଙ୍କ ହାଡକଙ୍କାଳ ଜବତ କରି ଘଟଣାର ତଦନ୍ତ କରିଥିଲା । ତଦନ୍ତପରେ ପୋଲିସ ଏଭଳି ଏକ ଜଘଂନ୍ୟ ହତ୍ୟାକାଣ୍ଡର ପର୍ଦାଫାସ କରିବାରେ ସଫଳ ହୋଇଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତଥିବା ମୁଖ୍ୟ ଅଭିଯୁକ୍ତ ବାପି ପାଣିଗ୍ରାହୀ, ତାର ବଡ ଭାଇ ଭବାନୀ ପାଣିଗ୍ରାହୀ, ନେତ୍ର ଶଗରିଆ ଓ ସୁକଲ ଦାସଙ୍କୁ କୋମନା ଥାନା କେସନଂ-୧୩୬ରେ ଆପିସି ଧାରା ୩୭୬,୩୦.୨୦୧ ଓ ୧୨୦(ବି)ରେ ଗିରଫ କରିବା ସହ କୋର୍ଟ ଚଲାଣ କରାଯାଇଥିବା ନୂଆପଡା ଏସଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.