ଦିଲ୍ଲୀରେ ପ୍ରବଳ ଝଡ଼ତୋଫାନ: କାନ୍ଥ ଭୁଶୁଡ଼ି ୬ ନାବାଳକଙ୍କ ସମେତ ୮ ଆହତ
ଦକ୍ଷିଣ ଦିଲ୍ଲୀର ଖିଡ଼କି ଏକ୍ସଟେନ୍ସନ୍ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏକ ଘରର କାନ୍ଥ ଭୁଶୁଡ଼ି ୮ ଜଣ ଆହତ ହୋଇଛନ୍ତି ।

ଦକ୍ଷିଣ ଦିଲ୍ଲୀର ଖିଡ଼କି ଏକ୍ସଟେନ୍ସନ୍ ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି । ସନ୍ଧ୍ୟା ସମୟରେ ପ୍ରବଳ ଝଡ଼ତୋଫାନ ଯୋଗୁ ଏକ ଘରର କାନ୍ଥ ଭୁଶୁଡ଼ି ୮ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୬ ନାବାଳକ ଅଛନ୍ତି । ଦମକଳ ବିଭାଗର ଅଧିକାରୀ କହିଛନ୍ତି ଯେ ଖିଡ଼କି ଏକ୍ସଟେନ୍ସନ୍ ଅଞ୍ଚଳରେ ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସମ୍ପର୍କରେ ସନ୍ଧ୍ୟା ପ୍ରାୟ ୫ଟା ୫୦ରେ ଏକ ଫୋନ୍ କଲ୍ ଆସିଥିଲା । ଏ ନେଇ ସୂଚନା ମିଳିବା କ୍ଷଣି ତୁରନ୍ତ ଟିମ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଘଟଣାସ୍ଥଳରୁ ୬ ନାବାଳକଙ୍କ ସମେତ ୮ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଏମ୍ସ ନିଆଯାଇଥିଲା । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଘଟଣା ସମ୍ପର୍କରେ ମାଲବୀୟ ନଗର ଥାନାକୁ ଏକ ପିସିଆର୍ କଲ୍ ଆସିଥିଲା । ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲା ଯେ ଏକ ବିଲ୍ଡିଂର ଉପର ମହଲା କାନ୍ଥ ଭୁଶୁଡ଼ି ପଡ଼ିଛି ।
କାନ୍ଥ ଭୁଶୁଡ଼ି ପଡ଼ିବାରୁ ପଡ଼ୋଶୀ ଘରର ଲୋକେ ଏହା ତଳେ ଚାପି ହୋଇଯାଇଥିଲେ । ଯଦିଓ ସୌଭାଗ୍ୟର କଥା ଯେ ଏହି ଦୁର୍ଘଟଣାରେ ୮ ଜଣଙ୍କୁ କୌଣସି ଗୁରୁତର ଆଘାତ ଲାଗି ନାହିଁ । ସେମାନଙ୍କୁ ତୁରନ୍ତ ଏମ୍ସ ପଠାଯାଇଥିଲା । ସେଠାରେ ଚିକିତ୍ସା ପରେ ସମସ୍ତଙ୍କୁ ଡିସ୍ଚାର୍ଜ କରି ଦିଆଯାଇଛି ।
କହି ରଖୁଛୁ ଯେ ଗତକାଲି ସନ୍ଧ୍ୟାରେ ହଠାତ୍ ପାଗରେ ପରିବର୍ତ୍ତନ ଆସିଥିଲା । ଦିଲ୍ଲୀ-ଏନ୍ସିଆରର ଅନେକ ଅଞ୍ଚଳରେ ଜୋରଦାର୍ ଝଡ଼ତୋଫାନ ହୋଇଥିଲା । ଦକ୍ଷିଣ ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଏହି ସମୟରେ ଏକ ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଝଡ଼ତୋଫାନ ବେଳେ କାନ୍ଥଟି ଭୁଶୁଡ଼ି ପଡ଼ୋଶୀ ଘରର ଉପର ମହଲା ଉପରେ ପଡ଼ିଥିଲା ।