ଶିମିଳିପାଳ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ କାବୁ କଲା ବନବିଭାଗ: ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ଜବତ

ବାରିପଦା(କେନ୍ୟୁଜ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରଜ ସଂକ୍ରାନ୍ତି ପୂର୍ବରୁ ରବିବାର ଉଭୟେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଅନୁପ୍ରବେଶ ସମୟରେ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ବରେ ନିୟୋଜିତ କର୍ମଚାରୀ ଉଭୟଙ୍କୁ କାବୁ କରିଥିଲେ।

ଉଭୟଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ବାରୁଦ ସମେତ ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଜବତ କରାଯାଇଛି। ଉଭୟଙ୍କ ନାମରେ ବନବିଭାଗ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ତାସହିତ ବଡ଼ସାହି ଥାନାରେ ବେଆଇନ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ରଖିବା ନେଇ ରେଞ୍ଜର ଶ୍ରୀ ସେନାପତି ଅନ୍ୟ ଏକ ଅଭିଯୋଗ କରିବାରୁ ପୋଲିସ୍ ପକ୍ଷରୁ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।