ବିବାହ ଭୋଜି ଖାଇ ଫେରୁଥିବା ବେଳେ କେନାଲକୁ ଖସିଲା ବସ୍‌, ୭ ମୃତ

ହସଖୁସି ହୋଇ ବାହାଘରରୁ ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ । ବସ୍‌ଟି କେନାଲକୁ ଖସିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର ପ୍ରକାସମର ଦର୍ସି ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ବାହାଘରରୁ ଫେରୁଥିବା ସମୟରେ ଚାଲିଗଲା ଜୀବନ । ଆନ୍ଧ୍ରପ୍ରଦେଶର ପ୍ରକାସମର ଦର୍ସି ନିକଟରେ କେନାଲକୁ ଖସିପଡିଲା ବସ୍‌ । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳକ ରହିଥିବା ବେଳେ ଅନ୍ୟ ୧୫ ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ପ୍ରକାସମ ଜିଲ୍ଲାର ଦର୍ସି ନିକଟରେ ବସ୍‌ ସାମ୍ନାକୁ କିଛି ହଠାତ୍‌ ଆସିଯିବାରୁ ଡ୍ରାଇଭର ବସ୍‌କୁ ବାମ ପଟକୁ କାଟିଦେଇଥିଲେ । ଫଳରେ ବସ୍‌ଟି ଅନିୟନ୍ତ୍ରିତ ହୋଇ କେନାଲ ମଧ୍ୟକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଜଣେ ୭ ବର୍ଷର ବାଳକ ସହିତ ୭ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସଟିରେ ୪୦ ଜଣ ଯାତ୍ରୀ ରହିଥିବା ବେଳେ ସେମାନେ ଏକ ବିବାହ କାର୍ଯ୍ୟ ସାରି ପୋଡିଲିରୁ କାକିନାଡ଼ା ଅଭିମୁଖେ ଯାଉଥିଲେ ।

ବସଟି ପୋଡିଲିରୁ ରାତି ୧୨.୩୫ ସମୟରେ ବାହାରିଥିଲା । ଆଉ ରାତି ୧ ଟାରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ସ୍ଥାନୀୟ ଏସପି କହିଛନ୍ତି । ରାତି ସମୟ ହୋଇଥିବାରୁ ବସ୍‌ ସାମ୍ନାକୁ କ’ଣ ହଠାତ୍‌ ଚାଲିଆସିଲା ବୋଲି ଜଣାପଡିନାହିଁ । ମାତ୍ର ଦୁର୍ଘଟଣା ରୋକିବା ପାଇଁ ଡ୍ରାଭଇର ବସ୍‌କୁ ବାମ କଡକୁ କାଟିଥିବାରୁ ତାହା କେନାଲରେ ଖସିପଡିଥିଲା ବୋଲି ପୋଲିସ କହିଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ମୃତ ଯାତ୍ରୀଙ୍କର ବୟସ ୬୫, ୬୦, ୪୮, ୫୮, ୬୫, ୩୫ ଓ ୬ ବର୍ଷ ବୋଲି ଜଣାପଡ଼ିଛି । ତେବେ ଏହି ବସଟି ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମଠାରୁ ଭଡ଼ାରେ ନିଆଯାଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.