ଶିଳ୍ପପତିଙ୍କ ପୁଅ ବୁଲା କୁକୁର ଉପରେ ଚଢ଼ାଇ ଦେଲା ଅଡି କାର; ଅନ୍ତିମ ସଂସ୍କାରରେ ସାମିଲ ହେଲେ ଶତାଧିକ ଲୋକ! ଯୋଗ ଦେଲେ ସ୍କୁଲ ପିଲା

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ପଶୁଙ୍କ ପ୍ରତି କ୍ରୁର ଆଚରଣ କରନ୍ତି। ଏହିଭଳି ଅନେକ ଖବର ମଝିରେ ମଝିରେ ସାମ୍ନାକୁ ଆସିଥାଏ। ତେବେ ମଣିଷର ଏଭଳି ଆଚରଣ ବେଳେବେଳେ ଏତେ ସୀମା ଟପିଯାଏ ଯେ ଶେଷରେ ନିରୀହ ପଶୁଟିର ଅକାଳରେ ପ୍ରାଣ ଚାଲିଯାଏ। ଏମିତି ହିଁ ଏକ ମାମଲା ବେଙ୍ଗାଲୁରର ଜୟନଗରରୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ କାରରେ ଲାରା ନାମକ ବୁଲା କୁକୁରକୁ ମାରି ଦେଇଛନ୍ତି। ଲାରାର ମୃତ୍ୟୁ ପରେ ତା’ର ଅନ୍ତିମ ସଂସ୍କାର ସ୍ଥାନୀୟ ସୁମନହଲ୍ଲୀ ପଶୁ ଶ୍ମଶାନ ଘାଟରେ କରାଯାଇଛି। ଏହି ସମୟରେ ଶହ ଶହ ପଶୁପ୍ରେମୀ ସେଠାରେ ଉପସ୍ଥିତ ଥିଲେ। ଶୋକ ପାଳିଥିବା ଲୋକଙ୍କ ମଧ୍ୟରେ ନେତା ତଥା ପୂର୍ବତନ ଅଭିନେତ୍ରୀ ରାମ୍ୟା ମଧ୍ୟ ସାମିଲ ହୋଇଥିଲେ।

ଜାମିନ ପାଇଲେ ଅଭିଯୁକ୍ତ

୨୩ ବର୍ଷୀୟ ଅଭିଯୁକ୍ତ ହେଉଛନ୍ତି ସ୍ଥାନୀୟ ଜଣେ ଶିଳ୍ପପତିଙ୍କ ପୁଅ। ସେ ଏକ ରାଜନୈତିକ ପରିବାରରୁ ଆସିଛନ୍ତି। ତାଙ୍କ ଉପରେ ଅଭିଯୋଗ ରହିଥିଲା ଯେ ସେ ନିଜର ବିଳାସପୂର୍ଣ୍ଣ ଅଡି କାରରେ ରାସ୍ତାରେ ଶୋଇଥିବା ଲାରା କୁକୁର ଉପରେ ଚଢ଼ାଇ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଥିଲା ଏବଂ ତାଙ୍କୁ ସେହିଦିନ ଗିରଫ କରି ନେଇଥିଲା। ପରେ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବତନ ଅଭିନେତ୍ରୀ ରାମ୍ୟା ଟ୍ୱିଟ୍ କରି ନିନ୍ଦା କଲେ

ଏହି ଘଟଣାକୁ ଅଭିନେତ୍ରୀ ରାମ୍ୟା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନିନ୍ଦା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ବଦ୍ରି, ସୁଧା, ଅଦ୍ୱୈତ, ପ୍ରିୟା, ଗାୟତ୍ରୀ ଚାଚି, ସଞ୍ଜନା ଏବଂ ଆପଣମାନେ ସମସ୍ତେ, ଯେଉଁମାନେ ଲାରାକୁ ପ୍ରେମ କରନ୍ତି ଏବଂ ଯତ୍ନ ନିଅନ୍ତି, ସମସ୍ତେ ମୋତେ ପ୍ରେରିତ କରିଛନ୍ତି, ଲଢ଼େଇ ଜାରି ରହିଛି’। ଲାରାର ଅନ୍ତିମ ସଂସ୍କାର ପାଇଁ ତାକୁ ଶ୍ମଶାନ ଘାଟ ପର୍ଯ୍ୟନ୍ତ ନେଇଯିବା ଲାଗି ଆମ୍ବୁଲାନ୍ସ ବ୍ୟବହାର କରାଯାଇଥିଲା।

ଅନ୍ତିମ ସଂସ୍କାରରେ ସାମିଲ ହେଲେ ସ୍କୁଲ ପିଲା

ଅନ୍ତିମ ସଂସ୍କାର ସମୟରେ ସ୍କୁଲ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ପଶୁଙ୍କ ପ୍ରତି ହେଉଥିବା କ୍ରୁରତାକୁ ବିରୋଧ କରିଥିଲେ। ସେଠି ଲାରାକୁ ତା’ର ପିଲା ହେବା ପରେ ଖାଇବାକୁ, ପିଇବାକୁ ଦେଇ ଯତ୍ନ ନେଉଥିବା ମହିଳା ମଧ୍ୟ ଉପସ୍ଥିତ ଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ଲାରା ଉପରେ ଫୁଲ ଚଢ଼ାଯାଇଥିଲା। ଘଟଣାକୁ ନେଇ ସାଧାରଣ ଜନତା ଏବଂ ପଶୁପ୍ରେମୀମାନେ ରାଗରେ ତାତି ଉଠିଥିଲେ।