Below header

ଉତ୍ତର ପ୍ରଦେଶରେ କରମୁକ୍ତ ହେଲା ଫିଲ୍ମ ‘ଦ କେରଳ ଷ୍ଟୋରୀ’, ମୁଖ୍ୟମନ୍ତ୍ରୀ ଯୋଗୀ ମନ୍ତ୍ରୀମଣ୍ଡଳ ସହିତ ଦେଖିବେ ଫିଲ୍ମ

‘ଦ କେରଳ ଷ୍ଟୋରୀ’କୁ ନେଇ ସମଗ୍ର ଦେଶରେ ଜୋରଦାର ରାଜନୀତି ହେଉଛି। ଚର୍ଚ୍ଚା ଭିତରେ ଉତ୍ତରପ୍ରଦେଶ ସରକାର ଫିଲ୍ମକୁ କରମୁକ୍ତ ଘୋଷଣା କରିଛନ୍ତି ।

ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମଟିକୁ କରମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଯୋଗୀ ନିଜର ମନ୍ତ୍ରୀମଣ୍ଡଳ ସହିତ ସ୍ପେଶାଲ ସ୍କ୍ରିନିଂ କରି ଫିଲ୍ମକୁ ଦେଖିବେ ବୋଲି ସୂଚନା ମିଳିଛି । ଏପଟେ ଯୋଗୀ ଫିଲ୍ମକୁ ନିଜ ରାଜ୍ୟରେ କରମୁକ୍ତ କରିଥିବା ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ରାଜ୍ୟରେ ବ୍ୟାନ୍‌ କରିଛନ୍ତି ।

ଫିଲ୍ମ ‘ଦ କେରଳ ଷ୍ଟୋରୀର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ପ୍ରଥମେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଇସ୍ଲାଇମିକ ଷ୍ଟେଟ୍ (ଆଇଏସ୍) ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ ଉପରେ ରୋକ୍ ଲଗାଇବାକୁ କୋର୍ଟ ମନା କରିଦେଇଥିଲେ। ଏହା ପରେ ଆବେଦନକାରୀ ମାଡ୍ରାସ ହାଇକୋର୍ଟରେ ଫିଲ୍ମ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ କିନ୍ତୁ ମାଡ୍ରାସ ହାଇକୋର୍ଟ ବି ମନା କରି ଦେଇଥିଲେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ୬ ମଇରୁ ଦ କେରଳ ଷ୍ଟୋରୀ ଫିଲ୍ମକୁ ରାଜ୍ୟରେ କରମୁକ୍ତ କରିଥିଲେ । ଏହାଛଡା ମହାରାଷ୍ଟ୍ର ଏବଂ ଦିଲ୍ଲୀରେ କରମୁକ୍ତ କରିବା ପାଇଁ ଦାବି ହେଉଛି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଫିଲ୍ମକୁ କରମୁକ୍ତ କରିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଟିଜରରେ ଦେଖିବାକୁ ମିଳିଛି ଯେ, କେରଳରେ ୩୨ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି। ବର୍ତ୍ତମାନ ଆଫଗାନିସ୍ତାନ, ସିରିଆ ଏବଂ ୟମେନର ମରୁଭୂମିରେ ପୋତି ହୋଇଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ଟିଜର ଦେଖି ଆପଣ ନିଶ୍ଚିତ ଭାବେ ଭାବବିହ୍ଵଳ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.