Below header

ଜଣାପଡ଼ିଲା ପୁଲଓ୍ଵାମା ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ କିଏ ? ତଥ୍ୟ ଦେଲା ଜୈସ ମହମ୍ମଦ ଆତଙ୍କୀ ନିସାର ଅହମଦ

ନୂଅଦିଲ୍ଲୀ : ପର୍ଦ୍ଦାଫାଶ୍‌ ହୋଇଛି ଗତ ଫେବ୍ରୁଆରୀ ୧୪ ପୁଲଓ୍ଵାମା ଆକ୍ରମଣ ପଛର ମାଷ୍ଟର ପ୍ଲାନ୍‌ । ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ହାର୍ଡକୋର ଆତଙ୍କବାଦୀ ନିସାର ଅହମଦ ତାନ୍ତ୍ରେ ଠାରୁ କଥା ଆଦାୟ କରିଛି ଏନ୍‌ଆଇଏ । ସୂଚନା ଅନୁସାରେ, ମୁଦାସିର ଖାନ୍‌ ହେଉଛି ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ । ସେହିଁ ନିସାର ଅହମଦକୁ ଡାକିଥିଲା ସିଆରପିଏଫ୍‌ ଯବାନ୍‌ଙ୍କ ଉପରେ ଏହି ଭୟଙ୍କର ଆକ୍ରମଣରେ ସହାୟତା କରିବାକୁ । ତେଣୁ ଆକ୍ରମଣ ବିଷୟରେ ତାକୁ ଆଗରୁ ଜଣାଥିଲା । ଯେଉଁ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଏ ସମ୍ପର୍କରେ ନିସାରକୁ ଅଧିକ ଜେରା କରାଯାଉଛି ।
ଜୈସ କମାଣ୍ଡର ନୁର୍‌ ତାନ୍ତ୍ରେର ସାନ ଭାଇ ହେଉଛି ନିସାର । ଯିଏ ଗିରଫ ହୋଇଥିଲା ସାଉଦି ଆରବରେ । ଗତ ମାର୍ଚ୍ଚ ୩୧ ତାରିଖ ଦିନ ପ୍ରତ୍ୟର୍ପଣ ସୂତ୍ରରେ ଭାରତକୁ ଅଣାଯାଇଥିଲା । ଏନ୍‌ଆଇଏ ଅଧିକାରୀମାନେ ନିସାରକୁ ଜେରା କରିବା ପରେ ପୁଲଓ୍ଵାମା ଆକ୍ରମଣର ପ୍ଲାନ୍‌ ସବୁ ଖୋଲିଛି ନିସାର । ଏହା ପୂର୍ବରୁ ୨୦୧୭ ଡିସେମ୍ବର ୩୦ ତାରିଖରେ ଲେଥପୋରାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତଙ୍କବାଦୀ ହମ୍‌ଲା ହୋଇଥିଲା । ଏହା ପରେ ନିସାର ପଳାୟନ କରିଥିଲା । ତେବେ ଏହି ଆକ୍ରମଣରେ ତିନି ଜଣ ଆତଙ୍କବାଦୀଙ୍କ ହାତ ରହିଥିଲା । ସେମାନେ ହେଲେ ପୁଲଓ୍ଵାମାର ଫରଦିନ ଅହମଦ ଖାନ୍ଦେ ଓ ମଞ୍ଜୁର ବାବା । ଅନ୍ୟ ଜଣକ ହେଲା ପାକିସ୍ତାନ ଅଧିକୃତ କଶ୍ମୀର ସ୍ଥିତ ରାଓ୍ଵଲକୋଟର ଅବଦୁଲ ସାକୁର । ଏହି ତିନି ଜଣ ଏନ୍‌କାଉଣ୍ଟରରେ ମରି ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.