ତୀର୍ଥଯାତ୍ରୀ ବସ ଉପରେ ଓଲଟି ପଡ଼ିଲା ଟ୍ରକ୍‌, ଚାଲିଗଲା ୧୧ ଯାତ୍ରୀଙ୍କ ଜୀବନ

ସ୍ଥାନୀୟ ଲୋକଙ୍କ କହିବାନୁସାରେ ବସ ଯାତ୍ରୀମାନେ ରାତିରେ ଶାହାଜାହାନପୁରର ଏକ ହୋଟେଲରେ ରାତ୍ରି ଭୋଜନ କରିବା ପାଇଁ ଅଟକି ଥିଲେ । କିନ୍ତୁ ପଛରୁ ଆସୁଥିବା ଏକ ଡମ୍ପର ଭାରସାମ୍ୟ ହରାଇ ଉକ୍ତ ବସକୁ ଧକ୍କା ଦେଇ ଓଲଟି ପଡିଥିଲା ।

ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯେଉଁ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଓଭରଲୋଡେଡ୍‌ ଡମ୍ପର ଭାରସାମ୍ୟ ହରାଇ ବସ୍ ଉପରେ ଓଲଟି ପଡିଥିଲା ଫଲରେ ୧୧ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସମସ୍ତେ ଉତ୍ତରପ୍ରଦେଶର ସୀତାପୁରରୁ ଉତ୍ତରାଖଣ୍ଡର ପୂର୍ଣ୍ଣନାଗିରି ଯାଉଥିଲେ। ଶନିବାର ବିଳମ୍ବିତ ରାତି ପ୍ରାୟ ୧୨.୧୫ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୨୫ ଭକ୍ତ ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ବସ ଯାତ୍ରୀମାନେ ରାତିରେ ଶାହାଜାହାନପୁରର ଏକ ହୋଟେଲରେ ରାତ୍ରି ଭୋଜନ କରିବା ପାଇଁ ଅଟକି ଥିଲେ । କିନ୍ତୁ ପଛରୁ ଆସୁଥିବା ଏକ ଡମ୍ପର ଭାରସାମ୍ୟ ହରାଇ ଉକ୍ତ ବସକୁ ଧକ୍କା ଦେଇ ଓଲଟି ପଡିଥିଲା । ଏହି ସଡକ ଦୁର୍ଘଟଣା ପରେ ରାତି ପ୍ରାୟ ୧ ଟା ସୁଦ୍ଧା ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ଏହି ସଡକ ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି । ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି।

ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁଯାୟୀ ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଉତ୍ତରାଖଣ୍ଡର ପୂର୍ଣ୍ଣାଙ୍ଗିରିରେ ଦେବୀ ମା’ଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିଲେ। ଦେବୀ ମା’ଙ୍କୁ ଦର୍ଶନ କରିବା ପାଇଁ ପ୍ରତିଦିନ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସନ୍ତି । ସୀତାପୁରର ସିନ୍ଧୁଲିରୁ ଭକ୍ତମାନେ ଦର୍ଶନ ପାଇଁ ସେଠାକୁ ଯାଉଥିଲେ। ସମସ୍ତେ ଏକ ଘରୋଇ ବସ୍ ଯୋଗେ ମା’ଙ୍କ ଦର୍ଶନ ପାଇଁ ବାହାରିଥିଲେ । କିନ୍ତୁ ହଠାତ ଏଭଳି ଅଘଟଣ ଘଟିଯାଇଥିଲା । ଘଟଣା ସମ୍ପର୍କରେ ଶାହାଜାହାନପୁର ପୋଲିସ ସୂଚନା ଦେଇଛି।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଯେତେବେଳେ ବସ୍ ଟି ଶାହାଜାହାନପୁରର ଗୋଲା ମାର୍ଗ ଦେଇ ଯାଉଥିଲା ସେତେବେଳେ ଡ୍ରାଇଭର ଜଳଖିଆ ଏବଂ ଖାଦ୍ୟ ପାଇଁ ଏକ ଢ଼ାବା ଠାରେ ବସକୁ ପାର୍କିଂ କରାଇଥିଲେ। ବସ୍ ଅଟକିବା ପରେ କିଛି ଭକ୍ତ ଖାଦ୍ୟ ପାଇଁ ଢ଼ାବାକୁ ଯାଇଥିଲେ। କିନ୍ତୁ କିଛି ଯାତ୍ରୀ ବସ୍‌ରେ ହିଁ ବସିଥିଲେ । ଅନ୍ୟ କିଛି ଯାତ୍ରୀ ବାହାରେ ବୁଲୁଥିଲେ। ଏହି ସମୟରେ ହଠାତ ବସକୁ ଏକ ଟ୍ରକ ପଛପଟୁ ଧକା ଦେଇଥିଲା । ଡମ୍ପର ଓଲଟି ପଡ଼ି ସିଧା ବସ ଉପରେ ପଡ଼ିଥିଲା ଏବଂ ବସରେ ରହିଥିବା ଯାତ୍ରୀମାନେ ବସ ତଳେ ପୋତି ଯାଇଥିଲେ। ଏହି ଦୁର୍ଘଟଣା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛି ।

ସୂଚନା ଥାଉ କି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ୨୪ ଘଣ୍ଟାରେ ବଡ଼ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଖାପାଖି ୪୮ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଏହି ସବୁ ଦୁର୍ଘଟଣା ଗୁଜୁରାଟର ରାଜକୋଟ, ଦିଲ୍ଲୀର ବିବେକ ବିହାର ଏବଂ କୃଷ୍ଣା ନଗର, ଉତ୍ତରପ୍ରଦେଶର ଶାହାଜାହାନପୁର ଏବଂ ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି ।

Leave A Reply

Your email address will not be published.