ଅଶାନ୍ତ ଦିଲ୍ଲୀ ଦାୟିତ୍ବରେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସର, ଛାତ୍ର ଆନ୍ଦୋଳନ ଉପରେ ରଖିଛନ୍ତି ନଜର

କେନ୍ୟୁଜ୍(ବ୍ୟୁରୋ): ଛାତ୍ର ହିଂସାକାଣ୍ଡକୁ ନେଇ ଦିଲ୍ଲୀ ଅଶାନ୍ତ ହୋଇପଡ଼ିଥିବା ବେଳେ ଏବେ ଦୁଇ ବରିଷ୍ଠ ଓଡ଼ିଆ ଆଇପିଏସ ଅଫିସରଙ୍କ ଉପରେ ନଜର । ଛାତ୍ର ଆନ୍ଦୋଳନକୁ କିଭଳି ନିୟନ୍ତ୍ରଣ କରାଯିବ ସେଥିପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ସାଉଥ-ଇଷ୍ଟ ଦିଲ୍ଲୀ ଡିସିପି ଚିନ୍ମୟ ବିଶ୍ୱାଳଙ୍କ ଉପରେ । ୧୯୮୫ ବ୍ୟାଚର ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିଅନ ଟେରିଟୋରିଜ ବା ଅଗମଟ କ୍ୟାଡର ଆଇପିଏସ ଅଫିସର ଅମୂଲ୍ୟ ପଟ୍ଟନାୟକ । ୨୦୧୭ ଜାନୁଆରୀ ୩୦ରୁ ସେ ଦିଲ୍ଲୀ ପୋଲିସ କମିଶନର ଅଛନ୍ତି । ଆସନ୍ତା ବର୍ଷ ଜାନୁଆରୀରେ ଅବସର ନେବେ । ପୋଲିସ କମିଶନର ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଦିଲ୍ଲୀ ପୋଲିସର ଭିଜିଲାନ୍‌ସ ଓ ପ୍ରଶାସନର ସ୍ୱତନ୍ତ୍ର କମିଶନର ଥିଲେ ।

ips officeଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଅମୂଲ୍ୟ ପଟ୍ଟନାୟକ ଦିଲ୍ଲୀ ନଜାଫଗଡ଼ର ଏସିପି ଭାବେ ଆରମ୍ଭ କରିଥିଲେ ଚାକିରୀ ଜୀବନ । ସେହିପରି ପଣ୍ଡିଚେରୀରେ ଏସ୍‌ଏସ୍‌ପି ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି । କିଛି ଦିନ ପୂର୍ବରୁ ଦିଲ୍ଲୀରେ ପୋଲିସଙ୍କ ବଡ଼ ଧରଣର ଆନ୍ଦୋଳନ ବେଳେ ସାମ୍ନାକୁ ଆସି ମୁକାବିଲା କରିଥିଲେ ଅମୂଲ୍ୟ ପଟ୍ଟନାୟକ । ସେହିଭଳି ଏବେ ସାଉଥ-ଇଷ୍ଟ ଦିଲ୍ଲୀ ଡିସିପି ଅଛନ୍ତି ଓଡ଼ିଆ ଆଇପିଏସ ଅଫିସର ଚିନ୍ମୟ ବିଶ୍ୱାଳ । ସେ ୨୦୦୮ ବ୍ୟାଚ ଅଗମଟ କ୍ୟାଡର ଆଇପିଏସ ଅଧିକାରୀ। ବିଜେବି କଲେଜରେ ଅଧ୍ୟୟନ କରିଥିବା ଡିସିପି ଚିନ୍ମୟ ବିଶ୍ୱାଳଙ୍କର ଛାତ୍ର ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ବଜାୟ ସହ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଓ ଚିନ୍ମୟ ବିଶ୍ୱାଳ ଉଦ୍ୟମ ଚଳାଇଛନ୍ତି । ଛାତ୍ର ଆନ୍ଦୋଳନର ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.