ତିନି ତିନି ଥର ରୁଷ ଆକ୍ରମଣରୁ ବର୍ତ୍ତିଲେଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି, ତଥାପି ଦେଶ ଛାଡ଼ିବାକୁ ରାଜି ନୁହନ୍ତି

ଗତ ସପ୍ତାହ ରୁଷ ସହ ଯୁଦ୍ଧସ୍ଥିତି ଆରମ୍ଭ ହେବା ପରଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦଇମାୟାର ଜେଲେନ୍ସକି ତିନି ତିନି ଥର ମୃତ୍ୟୁ ମୁଖରୁ ବର୍ତ୍ତୀଯାଇଛନ୍ତି । ୟୁକ୍ରେନ ଅଫିସର ମାନଙ୍କର ସମୟାନୁଯାୟୀ ଉଚିତ ପଦକ୍ଷେପ କାରଣରୁ ତାଙ୍କ ଜୀବନ ରକ୍ଷାପାଇଥିବା ନେଇ ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବା ପାଇଁ ରୁଷ ତରଫରୁ ଦୁଇ ଦୁଇଟି ଦଳଙ୍କୁ ପଠାଯାଇଥିଲା । ଏକ ଆମେରିକୀୟ ସମ୍ବାଦପତ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ରୁଷର ଫେଡେରାଲ ସିକ୍ୟୁରିଟି ସର୍ଭିସ ବା ଏଫଏସବି ପକ୍ଷରୁ ୟୁକ୍ରେନ ବାସୀଙ୍କୁ ପୂର୍ବରୁ ସତର୍କ କରାଯାଇଥିଲାକି ଏକ ସ୍ୱତନ୍ତ୍ର ଦଳକୁ ଜେଲେନ୍ସକିଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ କରାଯାଉଛି । କିନ୍ତୁ ଯଥା ସମୟରେ ରୁଷର ଏହି ଯୋଜନାକୁ ପଣ୍ଡ କରାଯାଇ ପାରିଥିଲା । ଏବାବଦରେ ୟୁକ୍ରେନର ନ୍ୟାସନାଲ ସିକ୍ୟୁରିଟି ଓ ଡିଫେନ୍ସ କାଉନ୍ସିଲ ଅଧ୍ୟକ୍ଷ ଓଲେକ୍ସି ଦାନିଲୋଭ ସୂଚନା ଦେଇଥିଲେ ।
ସେ ଏହା ମଧ୍ୟ କହିଛନ୍ତିକି ଗତ ଶନିବାର ରୁଷର ଏହି ସ୍ପେସିଆଲ ଫୋର୍ସଙ୍କର ୟୁକ୍ରେନ ରାଜଧାନୀ କ୍ୱିଭ ନିକଟବର୍ତ୍ତୀ ଅଂଚଳରେ ମୃତ୍ୟୁ ହୋଇଛି । ୟୁକ୍ରେନର କିଛି ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଜେଲେନ୍ସକିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ଆହୁରି ଅଧିକରୁ ଅଧିକ ସତର୍କ ରହିବାକୁ ପଡିବ । ଯୁଦ୍ଧ ଆରମ୍ଭ ହେବାର ପ୍ରଥମ ସ୍ଥିତିରେ ଆମେରିକା ତରଫରୁ ଜେଲେନ୍ସକିଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଜେଲେନ୍ସକି ଏହାକୁ ଟାଳି ଦେଇଥିଲେ । ରୁଷର ବାରମ୍ବାର ଆକ୍ରମଣ ସତ୍ତ୍ୱେ ବି ସେ କ୍ୱିବରେ ହିଁ ରହିବାକୁ ଚାହିଁଥିଲେ ସେ । ଆଉ ଜେଲଏନ୍ସିଙ୍କ ଏହି ନିଷ୍ପତ୍ତିକୁ ଫ୍ରାନ୍ସ ସମେତ ଅନ୍ୟାନ ଦେଶରୁ ପ୍ରଶଂସାର ସୁଅ ଛୁଟିଥିଲା | ଈମାନୁଏଲ ମାକ୍ରୋନ ଜେଲେନ୍ସକିଙ୍କୁ ସାହସ, ଧର୍ଯ୍ୟ ଓ ସ୍ୱାଧୀନତାର ଜ୍ୱଳନ୍ତ ଉଦାହରଣ ଭାବରେ ସମ୍ବର୍ଦ୍ଧନା କରିଥିଲେ । ଜେଲେନ୍ସକି ଏହା ମଧ୍ୟ କହିଛନ୍ତିକି ରୁଷ ସେନାର ଟାର୍ଗେଟରେ ବର୍ତ୍ତମାନ ସେ ଅଛନ୍ତି | କେବଳ ମାତ୍ର ପୁଟିନଙ୍କ ସହ ଆଲୋଚନା କରି ହିଁ ଯୁଦ୍ଧ ସ୍ଥିତିକୁ ଟାଳି ହେବ ।
ଅନ୍ୟ ପକ୍ଷରେ ସାମରିକ ସହାୟତା ପାଇଁ ନିବେଦନ କରି ଥକି ଗଲେଣି ଜେଲେନସ୍କି । ଏବାବଦରେ ସେ କହିଛନ୍ତି, ଯଦି ଆକାଶକୁ ବନ୍ଦ କରି ପାରୁ ନାହଁ ତେବେ ମୋତେ କିଛି ଯୁଦ୍ଧ ବିମାନ ଦିଅ । ଆଉ ଯଦି ଆମେ ଚିରଦିନ ପାଇଁ ନରହୁ ତେବେ ଲାଟିଭିଆ, ଲିଥୁଆନିଆ ଆଉ ଇଷ୍ଟୋନିଆକୁ କେବଳ ମାତ୍ର ଭଗବାନ ଭରସା ହେବେ । କାରଣ ଏହାପରେ ପାଳି ଏମାନଙ୍କର ହିଁ ପଡିବ । ଏବେ ପୁଟିନ୍ଙ୍କ ସହ ସିଧାସଳଖ କଥାବାର୍ତ୍ତା ହିଁ ଯୁଦ୍ଧ ବନ୍ଦ କରିବାର ଶେଷ ରାସ୍ତା ।