‘ଅପରେସନ ଜାନୁ’ ଥିଲା ଉମେଶ ପାଲ୍‌ ହତ୍ୟାକାଣ୍ଡର ନାମ! ହତ୍ୟା ପୂର୍ବରୁ ଶାଇସ୍ତା ସୁଟରମାନଙ୍କ ସହିତ କରିଥିଲେ ପାର୍ଟି

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସୂଚନା। ଅତିକ୍‌ଙ୍କ ସୁଟରମାନେ ଉମେଶ ପାଲ୍‌ ହତ୍ୟାକାଣ୍ଡକୁ ‘ଅପରେସନ ଜାନୁ’ ନାମରେ ନାମିତ କରିଥିଲେ।

ଉମେଶ ପାଲ୍‌ ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସୂଚନା। ଅତିକ୍‌ଙ୍କ ସୁଟରମାନେ ଉମେଶ ପାଲ୍‌ ହତ୍ୟାକାଣ୍ଡକୁ ‘ଅପରେସନ ଜାନୁ’ ନାମରେ ନାମିତ କରିଥିଲେ। ଏତିକି ନୁହେଁ, ଉମେଶଙ୍କୁ ହତ୍ୟା ପୂର୍ବରୁ ସୁଟରମାନେ ଘରେ ପାର୍ଟି ମଧ୍ୟ କରିଥିଲେ। ଏଥିରେ ଶାଇସ୍ତା ସାମିଲ ହୋଇଥିଲେ।

ସେପଟେ ହତ୍ୟାକାଣ୍ଡର ଦିନକ ପୂର୍ବରୁ ଅସଦ ନିଜ ଭାଇ ଉମରଙ୍କୁ ଭେଟିବା ପାଇଁ ଲକ୍ଷ୍ନୌ ଜେଲ୍‌ ଯାଇଥିଲେ। ସେଠାରେ ସେ ‘ଅପରେସନ ଜାନୁ’ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଉମରଙ୍କୁ ଦେଇଥିଲେ। ଉମର, ଅତିକ୍‌ ଅହମ୍ମଦଙ୍କର ସବୁଠାରୁ ବଡ଼ ପୁଅ। ବିଲ୍ଡରଙ୍କଠାରୁ ମୋଟା ଟଙ୍କା ଦାବି କରିବା ଅଭିଯୋଗରେ ଏବେ ସେ ଜେଲ୍‌ରେ ଅଛନ୍ତି। ଉମରଙ୍କ ନାମ ବର୍ତ୍ତମାନ ଉମେଶ ପାଲ୍‌ ହତ୍ୟା ମାମଲାରେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅସଦ ତାଙ୍କୁ ଜେଲ୍‌ରେ ଭେଟି ଉମେଶ ପାଲ୍‌ ହତ୍ୟା ଷଡ଼ଯନ୍ତ୍ରର ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ।

ଅନ୍ୟପଟେ ପ୍ରୟାଗରାଜ ପୋଲିସ ଟଙ୍କା ଦାବି ଅଭିଯୋଗରେ ଅତିକ୍‌ଙ୍କ ପୁଅ ଉମର ଓ ଅଲ୍ଲିଙ୍କ ସମେତ ୬ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି। ବିଲ୍ଡର ମହମ୍ମଦ ମୁସ୍‌ଲିମଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ମହମ୍ମଦ ମୁସ୍‌ଲିମଙ୍କ ଅଭିଯୋଗ ଅନୁସାରେ, ଉମର, ଅଲ୍ଲି, ଅସାଦ କାଲିଆ, ଅଜୟ ଏହତେଶାମ୍‌ ଓ ନୁସରତ୍‌ ତାଙ୍କୁ ଗାଡ଼ିରେ ଅପହରଣ କରିନେଇଥିଲେ। ପରେ ଚକିୟାସ୍ଥିତ କାର୍ଯ୍ୟାଳୟ ନେଇ ସେଠାରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ ଏବଂ ପ୍ରୟାଗରାଜରେ ଥିବା ତାଙ୍କ ପୈତୃକ ଜମି ଦେବାକୁ ଚାପ ପକାଇଥିଲେ। କିନ୍ତୁ ସେ ଜମି ନ ଦେବାରୁ ସେମାନେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ପୋଲିସ ଆହୁରି କହିଛି ଯେ ମହମ୍ମଦ ମୁସ୍‌ଲିମଙ୍କର ମଧ୍ୟ ଆପରାଧିକ ଇତିହାସ ରହିଛି। ତାଙ୍କ ନାଁରେ ୧୬ଟି ମାମଲା ପଞ୍ଜୀକୃତ ହୋଇଛି। କହି ରଖୁଛୁ, ଗତ ଫେବୃୟାରୀ ୨୪ରେ ପ୍ରୟାଗରାଜରେ ଉମେଲ ପାଲ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିସାରିଛି।