Below header

ବାହା ହେବାକୁ ରାଜି ହେଲେନି ବୋଲି….ଲୁଚି ଲୁଚି ଆସି ଯୁବକଙ୍କ ମୁହଁକୁ ଏସିଡ୍‌ ଫିଙ୍ଗିଲେ ଦୁଇ ଛୁଆର ମାଆ

କେରଳର ଇଡୁକୀ ଅଞ୍ଚଳରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଏଠାରେ ୩୫ ବର୍ଷୀୟା ଜଣେ ମହିଳା ୨୮ ବର୍ଷୀୟ ଜଣେ ଯୁବକଙ୍କ ଉପରେ ଏସିଡ୍‌ ପକାଇ ଦେଇଛନ୍ତି। ଦୁଇ ଜଣଙ୍କ ଭିତରେ ପରିଚୟ ଫେସ୍‌ବୁକ ଜରିଆରେ ହୋଇଥିଲା। ମହିଳା ଜଣକ ବିବାହ କରିବା ପାଇଁ ଯୁବକଙ୍କୁ ପ୍ରସ୍ତାବ ଦେଇଥିଲେ, ହେଲେ ଯୁବକ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ, ଯେଉଁ କାରଣରୁ ମହିଳା ରାଗି ଯାଇ ଏଭଳି କାଣ୍ଡ ଘଟାଇ ଥିଲେ। ପୋଲିସ ସୂଚନା ମୁତାବକ, ୧୬ ନଭେମ୍ବରରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳା ଦୁଇ ପିଲାର ମାଆ ବୋଲି ଜଣାପଡ଼ିଛି। ଏହା ସତ୍ତ୍ୱେ ସେ ଯୁବକଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଥିଲେ।

ଆଖି ହରାଇ ପାରନ୍ତି ଆହତ ଯୁବକ

ପୋଲିସ କହିଛି କି, ପୀଡ଼ିତ ଯୁବକଙ୍କ ନାଁ ଅରୁଣ କୁମାର, ଯିଏକି ଥିରୁଅନନ୍ତପୁରମ୍‌ରେ ରୁହନ୍ତି। ଅଭିଯୁକ୍ତା ମହିଳାଙ୍କ ନାଁ ଶୀବା। ସେ ନଭେମ୍ବର ୧୬ରେ ଯୁବକଙ୍କ ମୁହଁକୁ ଏସିଡ୍‌ ଫିଙ୍ଗିଥିଲେ। ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଥିରୁଅନନ୍ତପୁରମ୍‌ର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ହେଲା, ଯୁବକଙ୍କ ମୁହଁ ଉପରେ ଏସିଡ୍‌ ପଡ଼ିଥିବାରୁ ସେ ତାଙ୍କର ଦୁଇଟି ଯାକ ଆଖି ହରାଇ ପାରନ୍ତି।

ଫେସ୍‌ବୁକରେ ସାଙ୍ଗ, ପରେ ଜଣା ପଡ଼ିଲା ଦୁଇ ପିଲାର ମାଆ

ପୋଲିସର କହିବା ଅନୁଯାୟୀ, ଅରୁଣ ଓ ଶୀବାଙ୍କ ଭିତରେ ବନ୍ଧୁତା ଫେସ୍‌ବୁକ ମାଧ୍ୟମରେ ହୋଇଥିଲା। କିଛିଦିନ ଗଲା ପରେ ଶୀବା ବିବାହିତା ଏବଂ ସେ ଦୁଇ ପିଲାର ମାଆ ବୋଲି ଅରୁଣ ଜାଣିବାକୁ ପାଇଥିଲେ। ଏହାପରେ ଅରୁଣ ତାଙ୍କଠାରୁ ସବୁ ସମ୍ପର୍କ କାଟି ଦେବାକୁ ଚାହିଁଥିଲେ। ସେପଟେ କିନ୍ତୁ ଶୀବା ତାଙ୍କୁ ବ୍ଲାକମେଲ କରି ଚାଲିଥିଲେ ଏବଂ ଟଙ୍କା ମାଗୁଥିଲେ। ନଭେମ୍ବର ୧୬ରେ କୌଣସି କାରଣରୁ ଶୀବା, ଅରୁଣଙ୍କୁ ସ୍ଥାନୀୟ ଏକ ଚର୍ଚ୍ଚକୁ ଡକାଇଥିଲେ। ସେଠାରେ ଅରୁଣ ନିଜ ଭାଉଜ ଏବଂ ସାଙ୍ଗଙ୍କୁ ଧରି ପହଞ୍ଚିଥିଲେ।

ସିସିଟିଭି ଫୁଟେଜରୁ ହେଲା ଘଟଣାର ଖୁଲାସା

ଏହି ପୂରା ଘଟଣାର ଖୁଲାସା ଚର୍ଚ୍ଚ ପରିସରରେ ଲାଗିଥିବା ସିସିଟିଭି ଫୁଟେଜରୁ ହୋଇଛି। ଏଥିରେ ଦେଖିବାକୁ ମିଳୁଛି କି, ଅରୁଣ ଏକୁଟିଆ ଛିଡ଼ା ହୋଇଥିବା ବେଳେ ହଠାତ୍‌ ପଛପଟୁ ଆସି ଶୀବା ତାଙ୍କ ମୁହଁ ଉପରକୁ ଏସିଡ୍‌ ଫିଙ୍ଗି ଦେଉଛନ୍ତି। ଏସିଡ୍‌ ଫିଙ୍ଗିବା ବେଳେ ଶୀବା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଅରୁଣ ନିଜେ ଯାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଥିରୁଅନନ୍ତପୁରମ୍‌ର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.