ହଠାତ୍‌ ରାସ୍ତାରେ ହେଲା ଟଙ୍କା ବର୍ଷା! ଗାଡ଼ି ଅଟକାଲ ଦୁଇ ହାତରେ ଲୁଟିବାକୁ ଲାଗିଲେ ଲୋକେ; ଏବେ ତୁରନ୍ତ ଫେରାଇବାକୁ ନିର୍ଦ୍ଦେଶ

କେବେ ଆପଣ ଟଙ୍କା ବର୍ଷା ହେବାର ଦେଖିଛନ୍ତି? ବୋଧେ ହୁଏ ନା, କିନ୍ତୁ ଦକ୍ଷିଣ କାଲିଫର୍ନିଆର ରାଜରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ପୁଳା ପୁଳା ନୋଟ୍‌ ଉଡ଼ୁଥିବାର ଦେଖା ଯାଇଛି। ଏକ ଟ୍ରକରୁ ଏହି ନୋଟ୍‌ଗୁଡ଼ିକ ଉଡ଼ି ରାସ୍ତା ଉପରେ ପଡ଼ୁଥିଲା। ଏତେ ସଂଖ୍ୟକ ନୋଟ୍‌ ଉଡ଼ୁଥିଲା ଯେ ବାସ୍‌ କିଛି ହିଁ ମିନିଟ୍‌ ଭିତରେ ପୂରା ରାସ୍ତା ନୋଟ୍‌ମୟ ହୋଇ ଯାଇଥିଲା। ଆଉ ଏହାର ଲାଭ ଉଠାଇଥିଲେ ଲୋକେ। ରାସ୍ତାରେ ଲୋକେ ଗାଡ଼ି ଅଟକାଇ ଏହି ନୋଟ୍‌ଗୁଡ଼ିକୁ ଲୁଟିବାରେ ଲାଗି ପଡ଼ିଥିଲେ। ତେବେ କେହି ଜଣେ ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ଛାଡ଼ିବା ପରେ ତାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଅଧିକାରୀମାନଙ୍କ କହିବା ହେଲା, ଏହି ଘଟଣା ସକାଳ ପ୍ରାୟ ୯ଟାରେ ଘଟିଥିଲା, ଯେତେବେଳେ ଏକ ଟ୍ରକ ସାନ ଡିଏଗୋରୁ ଫେଡେରାଲ ଡିପୋଜିଟ୍‌ ଇସ୍ୟୁରାନ୍ସ କର୍ପୋରେଶନ ଅଫିସ୍‌ ଅଭିମୁଖେ ଯାଉଥିଲା। ରାସ୍ତାରେ ହଠାତ୍‌ ଟ୍ରକରୁ ଟଙ୍କା ବ୍ୟାଗ୍‌ ଖସି ପଡ଼ିବାରୁ ସେଥିରୁ ପୁଳା ପୁଳା ନୋଟ୍‌ ଉଡ଼ି ରାସ୍ତା ଉପରେ ପଡ଼ିଥିଲା। ଭାଇରାଲ ଭିଡିଓରେ ଅନେକ ଲୋକ ରାସ୍ତାରୁ ନୋଟ୍‌ ଉଠାଉଥିବା ଦେଖିବାକୁ ମିଳୁଛି। ଜଣେ ବଡି ବିଲ୍ଡର ଡେମୀ ବାଗବୀ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓ ସେୟାର କରି ଲେଖିଛନ୍ତି ଯେ ‘ଏହା ସବୁଠାରୁ ପାଗଳ କରି ଦେଲା ଭଳି ଜିନିଷ, ଯାହାକୁ ମୁଁ ଦେଖି ଆସିଛି’।

ବାସ୍ତବରେ, କାଲିଫର୍ନିଆ ରାସ୍ତାରେ ବିଛୁରିତ ହୋଇ ପଡ଼ିଥିବା ନୋଟ୍‌ଗୁଡ଼ିକୁ ନେବା ପାଇଁ ଲୋକଙ୍କ ଭିଡ଼ ଜମି ଯାଇଥିଲା। ସମସ୍ତେ ଏହାର ଫାଇଦା ଉଠାଇଥିଲେ। ଯଦିଓ ଅଧିକାରୀମାନେ ଏହି ନୋଟ୍‌ଗୁଡ଼ିକୁ ଫେରାଇ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ସେମାନେ ସ୍ପଷ୍ଟ କରି ନାହାନ୍ତି କି, କେତେ ପଇସା ଗାଏବ ହୋଇଛି। ସାନ ଡିଏଗୋ ୟୁନିୟନ ଟ୍ରିବ୍ୟୁନ୍‌ ମୁତାବକ, କିଛି ଲୋକ ଶୁକ୍ରବାର ଦ୍ୱିପ୍ରହର ସୁଦ୍ଧା ସିଏଚ୍‌ପିକୁ ନୋଟ୍‌ ଫେରାଇ ଦେଇଛନ୍ତି।

ଘଟଣା ସମ୍ପର୍କରେ ବର୍ଣ୍ଣନା କରି ଅଧିକାରୀ ସାର୍ଜେଣ୍ଟ କାର୍ଟିସ୍‌ ମାର୍ଟିନ କହିଛନ୍ତି, ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ଟ୍ରକ୍‌ର ଡୋର୍‌ ଖୋଲି ଯାଇଥିଲା ଏବଂ କ୍ୟାସ୍‌ ଭର୍ତ୍ତି ବ୍ୟାଗ୍‌ ବାହାରେ ପଡ଼ି ଯାଇଥିଲା। ତେବେ ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସାର୍ଜେଣ୍ଟ ମାର୍ଟିନ ଚେତାବନୀ ଦେଇ କହିଛନ୍ତି କି, ଯେଉଁମାନେ ସେଠାରୁ ନୋଟ୍‌ ଉଠାଇଛନ୍ତି, ସେମାନେ ତୁରନ୍ତ ନୋଟ୍‌ଗୁଡ଼ିକୁ ଫେରାଇ ଦିଅନ୍ତୁ, ନଚେତ୍‌ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ଦ୍ୱାରା ବନା ଯାଇଥିବା ଭିଡିଓ ସମ୍ପର୍କରେ ସେ କହିଥିଲେ ଯେ ସିଏଚ୍‌ପି ଏବଂ ଏଫ୍‌ବିଆଇ ମାମଲାର ଯାଞ୍ଚ କରୁଛି। ଘଟଣାର ଦୁଇ ଘଣ୍ଟା ପରେ କାଲିଫର୍ନିଆ ରାସ୍ତାକୁ ଜାମ୍‌ ମୁକ୍ତ କରାଯାଇଥିଲା।

 

View this post on Instagram

 

A post shared by DEMI BAGBY (@demibagby)