ବନ୍ୟା ପରେ ଦିଲ୍ଲୀରେ ଦେଖାଦେବ ସ୍ୱାସ୍ଥ୍ୟ ସମସ୍ୟା, ସ୍ୱାସ୍ଥ୍ୟ ବିଶେଷଜ୍ଞ କଲେ ଆଲର୍ଟ

ଚାରି ଦିନ ହେବ ପାଣି ଘେରରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳ । ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି । ଲାଲକିଲା, ରାଜଘାଟ, କାଶ୍ମୀର ଗେଟ୍‌, ଆଇଟିଓ ରୋଡ୍‌, ସିଭିଲ୍‌ ଲାଇନ୍‌ ସମେତ ବିଭିନ୍ନ ଭିଆଇପି ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ତେବେ ବନ୍ୟା ଛାଡିବା ପରେ ଦିଲ୍ଲୀରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଲର୍ଟ ଜାରି କରିଛନ୍ତି ।

ଜଳପ୍ରଳୟରେ ଦେଶର ରାଜଧାନୀ । ସହରବଜାର, ଗଳିକନ୍ଦି, ରାସ୍ତାଘାଟ, ବଡ଼ ବଡ଼ କୋଠା ବୁଡିଛି । ଯମୁନାରେ ବନ୍ୟା ଚାରି ଦିନ ହେବ ଦିଲ୍ଲୀ ହାଲ୍‌ ବେହାଲ୍‌ କରିଛି । ଏବେ ଯମୁନା ନଦୀର ଜଳସ୍ତର ଖସୁଥିଲେ ବି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା କିନ୍ତୁ କମିନି । ଗାଡ଼ିମୋଟର ଗଡୁଥିବା ରାସ୍ତାରେ ଲହଡି ଭାଙ୍ଗୁଛି ପାଣି ।

ରାସ୍ତାରେ ଚାଲୁଛି ଡଙ୍ଗା । ଲାଲକିଲା, ରାଜଘାଟ, କାଶ୍ମୀର ଗେଟ୍‌, ଆଇଟିଓ ରୋଡ୍‌, ସିଭିଲ୍‌ ଲାଇନ୍‌ ସମେତ ବିଭିନ୍ନ ଭିଆଇପି ଏରିଆ ବି ଜଳାର୍ଣ୍ଣବ ହୋଇଛି । ଚାରି ଦିନ ହେବ ପାଣି ଘେରରେ ଅଛି ବିଭିନ୍ନ ଅଞ୍ଚଳ । ଲୋକଙ୍କ ଘରେ ଓ ବାହାରେ ଖାଲି ପାଣି ଆଉ ପାଣି । ଜନଜୀବନ ସାଂଘାତିକ ଭାବରେ ପ୍ରଭାବିତ ହୋଇଛି । ଯମୁନା ବନ୍ୟା ପାଣିରେ ଭାସି ଯାଇ ୩ ନାବାଳକଙ୍କ ଜୀବନ ଯାଇଛି । ବନ୍ୟା ପାଣିରେ ଗାଧୋଇବା ବେଳେ ଗତକାଲି ଦିଲ୍ଲୀ ମୁକୁନ୍ଦପୁର ଅଞ୍ଚଳରେ ସେମାନେ ଭାସି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ବନ୍ୟାଘେରରୁ ୨୫ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଶ୍ରୟ ସ୍ଥଳୀରେ ଅଛନ୍ତି ୨୦ ହଜାରରୁ ଅଧିକ ବିପନ୍ନ । ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି ଏନଡିଆରଏଫ୍‌ର ୧୬ଟି ଟିମ୍‌ । ଜଳବନ୍ଦୀ ସ୍ଥିତି ଯୋଗୁ ଟ୍ରାଫିକ୍‌ ସମସ୍ୟା ବି ଦେଖାଦେଇଛି । ଯମୁନା ଜଳସ୍ତର ଖସୁଥିବାରୁ ଆଗକୁ ସ୍ଥିତି ସୁଧୁରିପାରେ । ଯମୁନାର ଜଳସ୍ତର ୨୦୮ ମିଟର ରହିଛି । ଲଗାଣ ବର୍ଷା ଓ ହାତୀକୁଣ୍ଡ ବ୍ୟାରେଜରୁ ପାଣି ଛାଡିବା ପରେ ଯମୁନାରେ ଆସିଛି ବନ୍ୟା । ୧୯୭୮ ପରେ ରାଜଧାନୀ ଦିଲ୍ଲୀ ଦେଖିଛି ସବୁଠାରୁ ବଡ଼ ବନ୍ୟା ।

ବନ୍ୟା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ବଡ ସମସ୍ୟା ସାଜିପାରେ । ଚାରିଆଡେ ପାଣି ଜମିଥିବାରୁ ପାନୀୟ ପାଣି ପାଇଁ ସମସ୍ୟା ଉପୁଜିଛି । ବନ୍ୟା ଛାଡିବା ପରେ ଲୋକଙ୍କ ସମସ୍ୟା ବଢିଯିବ । ବିଭିନ୍ନ ପ୍ରକାର ରୋଗରେ ଲୋକେ ଆକ୍ରାନ୍ତ ହେବେ ।

ଗତ ୬ ଦିନ ଧରି ଉତ୍ତର ଭାରତରେ ଲାଗି ରହିଥିବା ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଓ ବନ୍ୟା ପାଇଁ ଉତ୍ତର ଭାରତରେ ମୃତ୍ୟୁସଂଖ୍ୟା ୧୪୫ ଟପିଯାଇଛି।ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। କେବଳ ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିମାଚଳପ୍ରଦେଶରେ ୬, ହରିୟାଣାରେ ୫, ପଂଜାବରେ ୪ ଏବଂ ଉତ୍ତରାଖଣ୍ଡରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶରେ ବର୍ଷା ଏବଂ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି। ଅନ୍ୟପକ୍ଷେ ହିମାଚଳରେ ବନ୍ୟା ମୃତ୍ୟୁସଂଖ୍ୟା ୯୦ ଟପିଯାଇଛି। ରାଜ୍ୟରେ ୧୪ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.