Below header

ସର୍ଭେ ସଂସ୍ଥା ଦ୍ଵାରା ବୋରିଙ୍ଗ ପାଇଁ ବ୍ଳାଷ୍ଟିଙ୍ଗ ସମୟରେ ବିଭିନ୍ନ ଲୋକଙ୍କ ଘରେ ଫାଟ ସୃଷ୍ଟି, ଆମ୍ବିଳି ଗାଁରେ ଉତ୍ତେଜନା

ଗୋପ (କେନ୍ୟୁଜ୍‌) :  ସର୍ଭେ ସଂସ୍ଥା ଦ୍ୱାରା ବୋରିଙ୍ଗ ପାଇଁ ବ୍ଲାଷ୍ଟିଂ ହେବା ବେଳେ ଗାଁର ବିଭିନ୍ନ ଲୋକଙ୍କ ଘରେ ଫାଟ ସୃଷ୍ଟିକୁ ନେଇ ଗାଁରେ ଉତ୍ତେଜନା ଦେଖାଯାଇଛି । ଲୋକେ କ୍ଷତି ପୂରଣ ଦାବିରେ କମ୍ପାନୀର ଗାଡ଼ିକୁ ଅଟକ ରଖିବା ସହ କମ୍ପାନୀର ଜଣେ ଠିକା କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଭୂତଳ ଅନୁସନ୍ଧାନ ପାଇଁ ଅଏଲ ଇଣ୍ଡିଆ ଦ୍ଵାରା ନିଯୁକ୍ତ ହାଇଦ୍ରାବାଦର ଆଲ୍ଫା ଜିଓ ଇଣ୍ଡିଆ ଲିମିଟେଡ ନାମକ ଏକ ସର୍ଭେ ସଂସ୍ଥା ଆମ୍ବିଳି ଗାଁରେ ବୋରିଂ ପାଇଁ ବ୍ଲାଷ୍ଟିଂ ଜାରି ରଖିଥିଲା । ଏହାଦ୍ଵାରା ଗୋପ ବ୍ଲକ ଆମ୍ବିଳି ଗାଁର ବିଭିନ୍ନ ଲୋକଙ୍କ ଘରେ ବିରାଟ ବିରାଟ ଫାଟ ସୃଷ୍ଟି ହୋଇଛି । ଏହାକୁ ନେଇ ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଗାଁର ଅଧିକାଂଶ ଲୋକେ କ୍ଷତିପୂରଣ ଦାବି କରି ସର୍ଭେ କରୁଥିବା କମ୍ପାନୀର ଗୋଟିଏ ବୋଲେରୋ ଗାଡିକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ କୋଣାର୍କ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜନବସତି ଠାରୁ ମାତ୍ର 100 ମିଟର ମଧ୍ୟରେ ଏକାଧିକ ବ୍ଳାଷ୍ଟିଙ୍ଗ କରିବା ଦ୍ଵାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଏହି ଘରୋଇ କମ୍ପାନୀର ପଦାଧିକାରୀମାନେ ଘଟଣାସ୍ଥଳରୁ ଛୁ ମାରିଥିବା ଅଭିଯୋଗ ହୋଇଛି । ତେବେ ଗାଁକୁ କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କମ୍ପାନୀରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.