୨୨.୦୨.୨୦୨୨ କିଛି ଖାସ୍‌ କିଛି ନିଆରା, ଜାଣନ୍ତୁ କେମିତି?

ପ୍ରତ୍ୟେକ ନୂଆ ବର୍ଷ ନିଜ ସହ ଆଣିଥାଏ ଅନେକ କିଛି ନୂଆ ସଂଯୋଗ। କେବେ ଗୋଟିଏ ବର୍ଷରେ ଗୋଟିଏ ପର୍ବ ଦୁଇ ଥର ପଡ଼େ ତ ଆଉ କେବେ ତାରିଖମାନଙ୍କର ସମୀକରଣ ବର୍ଷକୁ କରି ଦିଏ ବେଶ୍ ସ୍ୱତନ୍ତ୍ର। ଯେମିତିକି ଚଳିତ ବର୍ଷର ଫେବ୍ରୁଆରୀ ମାସ। ଏଥରକ ଫେବ୍ରୁଆରୀ ମାସରେ ପଡ଼ୁଛି ଅନେକ ଖାସ୍ କଥା। ଯେମିତି କି ୨୦୨୨ ଫେବ୍ରୁଆରୀ ମାସରେ ସବୁ ବାର ୪ ଥର ଲେଖାଏଁ ପଡ଼ୁଛି। ଏଭଳି ସବୁ ବାର ସମାନ ଥର ପଡ଼ିବା ନିଆରା। କାରଣ ଅନ୍ୟ ମାସ ତୁଳନାରେ ଫେବ୍ରୁଆରୀ ମାସରେ ଦିନ ସଂଖ୍ୟା କମ୍ ହୋଇଥାଏ। ଏଣୁ ପ୍ରାୟତଃ ଏହି ମାସରେ ସବୁ ବାର ସମାନ ସଂଖ୍ୟାରେ ପଡ଼େ ନାହିଁ। କିନ୍ତୁ ୨୦୨୨ ମସିହାରେ ସବୁ ବାର ସମାନ ଅର୍ଥାତ୍ ୪ ଥର ଲେଖାଏଁ ପଡ଼ୁଛି।

ସେହିପରି ଆଜି ୨୨ ତାରିଖ। ଫେବ୍ରୁଆରୀ ୨୨ ତାରିଖକୁ ଆମେ ୨୨-୦୨-୨୦୨୨ ଲେଖିଥାଉ। ଏହି ତାରିଖର ବି ରହିଛି କିଛି ଭିନ୍ନତା । ଟିକେ ଧ୍ୟାନ ଦେଲେ ଜାଣିପାରିବେ ଯେ ୨୨-୦୨-୨୦୨୨କୁ ବାମରୁ ଡାହାଣକୁ ଲେଖିଲେ ଯାହା, ଡାହାଣରୁ ବାମକୁ ଲେଖିଲେ ବି ସେଇଆ ହିଁ ରହୁଛି। ଏଭଳି ଅଙ୍କକୁ ଗାଣିତିକ ଭାଷାରେ ‘ପାଲେଣ୍ଡ୍ରମ୍’ ବୋଲି କୁହାଯାଏ। ଏଭଳି ତାରିଖ କ୍ୟାଲେଣ୍ଡରରେ ଖୁବ୍ କମ୍ ତଥା ଦୀର୍ଘ ବର୍ଷ ପରେ ଦେଖିବାକୁ ମିଳେ। ଅବଶ୍ୟ ଏଇ ମାସରେ ପୂର୍ବରୁ ମଧ୍ୟ ଏଭଳି ଏକ ଦିନ ଦେଖିବାକୁ ମିଳିଥିଲା । ତାହା ହେଉଛି ୨.୨.୨୨ ।

ସେହିପରି ୨୨-୦୨-୨୦୨୨କୁ ଗାଣିତିକ ଭାଷାରେ ଆମ୍ବିଗ୍ରାମ୍ ବୋଲି ମଧ୍ୟ କୁହାଯାଉଛି। ଅର୍ଥାତ୍ ଏହାକୁ ଯଦି ଉପରୁ ତଳକୁ ଲେଖାଯାଏ ତେବେ ଯେମିତି ଦିଶିବ, ତଳୁ ଉପରକୁ ବି ସେମିତି ହିଁ ରହିବ। ଏହାର ଅଙ୍କଗୁଡ଼ିକ ମଧ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅଙ୍କଗୁଡ଼ିକ ସମାନ ଭାବେ ରହିବ। ଏଭଳି ଭାବେ ଅଙ୍କଗୁଡ଼ିକ ରହିବାକୁ ଆମ୍ବିଗ୍ରାମ୍ ବୋଲି କୁହାଯାଏ। ଯାହା ଅନେକ ବର୍ଷ ପରେ ପଡ଼ିଥାଏ। ଏହି କାରଣରୁ ଚଳିତ ବର୍ଷ ୨୨-୦୨-୨୦୨୨ ଖୁବ୍ ଖାସ୍। ଏହି ତାରିଖରେ ଅନେକ ଶୁଭ ଯୋଗ ବି ବନୁଛି।

ଆଜି ମଙ୍ଗଳବାର ବି। ମଙ୍ଗଳବାର ଦିନ ତାରିଖ ମାନଙ୍କ ସମୀକରଣ ଅନ୍ୟ ଦିନ ତୁଳନାରେ ଭିନ୍ନ ରହୁଥିବାରୁ ଏହି ଦିନର ଗୁରୁତ୍ୱ ବଢ଼ିଯାଉଛି। ଆଜି ଅନେକ ଶୁଭ ଯୋଗ ପଡ଼ୁଛି। ମଙ୍ଗଳବାର ମା’ ମଙ୍ଗଳା ଓ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ସବୁ ଦୁଃଖ, ଶୋକ ଓ ରୋଗ ଦୂର ହୋଇଥାଏ। ହନୁମାନଙ୍କ ଆଶୀର୍ବାଦ ପାଇବାକୁ ହନୁମାନ ଚାଳିଶା ପାଠ କରନ୍ତୁ। ଏଥିସହ ଭଗବାନଙ୍କ ନାମ ଜପ କରନ୍ତୁ। ଘର ସୁଖ ସମୃଦ୍ଧିରେ ଭରିଯିବ।

ତେବେ ଇଏ ତ ହେଉଛି ଆଧ୍ୟାତ୍ମିକ କଥା । କିନ୍ତୁ ଆଜି ଦିନଟିକୁ ନେଇ ଅନେକ ଲୋକ ଖୁବ୍‌ ଉତ୍ସାହିତ ଅଛନ୍ତି । କାଲିଫର୍ଣ୍ଣିଆରେ ୨୨୨ ଜଣ ଦମ୍ପତି ଆଜି ଠିକ୍‌ ୨ଟା ୨୨ ମିନିଟ୍‌ରେ ଏକାସାଙ୍ଗରେ ବାହା ହେଉଛନ୍ତି । କାରଣ ଏଭଳି ଏକ ଦିନରେ ବାହା ହେଲେ ସବୁଦିନେ ପାଇଁ ବଡ଼ ସ୍ମୃତି ହୋଇ ରହି ପାରିବ। କାହାକୁ କହି ପାରିବେ ମୁଁ ୨୨.୨.୨୨ରେ ବାହା ହୋଇଛି ବୋଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.