ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ ଗୁରୁତର

ଡ୍ରାମା ରିହରସଲ ସାରି ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦ୍ରାପଡ଼ା ଗଣ୍ଡଖିଆ ରାସ୍ତା ଓସ୍ତପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।

କେନ୍ଦ୍ରପଡ଼ା (କେନ୍ୟୁଜ୍‌): ଡ୍ରାମା ରିହରସଲ ସାରି ଘରକୁ ଫେରୁଥିଲେ। ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସାରି ଥକ୍କି ଯାଇଥିଲେ । ଆଉ ଘରେ ପହଞ୍ଚିବା ପାଇଁ ମନରେ ବ୍ୟଗ୍ରତା ବଢ଼ୁଥିଲା । କେମିତି ଅତି ଶିଘ୍ର ପହଞ୍ଚିବେ ଘରେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ଯାଇଥିଲେ ମେଡିକାଲ ତ ଆଉ କିଏ ଯାଇଥିଲେ ଶବ ବ୍ୟବଚ୍ଛେଦ ଗୃହକୁ । କାରଣ ଅଧାବାଟରେ ଛକି ବସିଥିଲା ଯମ । ଘଟିଗଲା ବଡ଼ ଅଘଟଣ । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ।

ସେମାନଙ୍କ ମଧ୍ୟରୁ ସେହି ଗାଡ଼ି ଭିତରେ କିଏ ନିଦରେ ଶୋଇ ପଡ଼ିଥିଲେ ତ କିଏ ହାତରେ ମୋବାଇଲ୍‌ ଧରି ଚଲାଉଥିଲେ ତ ଆଉ କିଏ ଗାଡ଼ିର ଝରକା ଫାଙ୍କରେ ରାସ୍ତାକଡ଼ ଦୃଶ୍ୟର ମଜା ଉଠାଉଥିଲେ। କିନ୍ତୁ ତାଙ୍କର ଏହି ମଜ୍ଜା କ୍ଷଣକ ମଧ୍ୟରେ ସଜ୍ଜା ହୋଇଗଲା । କେହି କିଛି ବୁଝିବା ପୂର୍ବରୁ ସବୁକିଛି ଓଲଟ ପାଲଟ ହୋଇଗଲା । ଘରେ ପହଞ୍ଚିବା ପୂର୍ବରୁ ହଠାତ୍‌ ଏପରି କିଛି ଘଟିଯିବ ଯାହାକୁ ସେ କେବେ ସ୍ୱପ୍ନରେ ଭାବିନଥିଲେ ।

ତେବେ ଡ୍ରାମା ରିହରସଲ ସାରି ଘରକୁ ଫେରୁଥିଲେ କଳାକାର । ହେଲେ କେନ୍ଦ୍ରାପଡ଼ା ଗଣ୍ଡଖିଆ ରାସ୍ତା ଓସ୍ତପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଗଲା । ଯାହା ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମଞ୍ଚ କଳାକାର ଆହତମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ବୋଲେରୋ ଗାଡ଼ିଟି ନାରାୟଣପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ବେଳେ ଗଛରେ ପିଟି ହୋଇ ଯାଇଥିଲା। ଗାଡ଼ିରେ ଡ୍ରାଇଭର ସମେତ ୫ ମହିଳା ଓ ଦୁଇ ଜଣ ପୁରୁଷ ଥିଲେ। ଏନେଇ ସମସ୍ତ ଆହତ ମାନେ ଚିକିତ୍ସିତ ହେଉଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.