ଏହି ଅଦ୍ଭୁତ ଔଷଧୀୟ କୂପରେ ସ୍ନାନ କଲେ ଦୂର ହୁଏ କୁଷ୍ଠ ଭଳି ଦୂରାରୋଗ୍ୟ

ସହରର ଭିଡ଼ରୁ ଦୂରରେ ପ୍ରାକୃତିକ ପରିବେଶରେ କିଛି ସମୟ ବିତାଇବାକୁ କିଏ ବା ନ ଚାହେଁ। ବୃକ୍ଷଲତା ମଧ୍ୟରେ ଶାନ୍ତ ଓ ଶୀତଳ ପରିବେଶ ମନକୁ ଶାନ୍ତି ଦେବା ସହ ଏକାଗ୍ରତା ମଧ୍ୟ ବଢ଼ାଥାଏ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ପହଞ୍ଚିଗଲେ କିଛି ଅଦ୍ଭୁତ ଅନୁଭବ ହୋଇଥାଏ। କେତେକ ସ୍ଥାନରେ ଭଗବାନଙ୍କ ଉପସ୍ଥିତି ଅନୁଭବ କରି ହୁଏ ତ ଆଉ କେତେକ ସ୍ଥାନରେ ଭଗବାନଙ୍କ ଆଶ୍ଚର୍ଯ୍ୟମୟ ସୃଷ୍ଟି ସମ୍ପର୍କରେ ଜ୍ଞାନ ମିଳେ। ତେବେ ଭାରତରେ ଏକ ଏଭଳି ଅଦ୍ଭୁତ କୂଅ ରହିଛି ଯାହାକୁ ନେଇ ଅଜବ କାହାଣୀମାନ ଶୁଣିବାକୁ ମିଳେ। ବିଶ୍ୱାସ ରହିଛି ଯେ ଏହି କୂଅରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ଦୂରାରୋଗ୍ୟ ଦୂର ହୋଇଥାଏ।

ଏହା ସହ ପଢନ୍ତୁ: ଜାଣନ୍ତୁ ରାମାୟଣର ୧୩ଟି ରହସ୍ୟମୟ କାହାଣୀ : ଲକ୍ଷ୍ମଣଙ୍କ ନିଦ ନେଲା କିଏ ? କାହିଁକି ରାବଣ କରିଥିଲା ସୀତା ହରଣ ?

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ମୌ ଠାରୁ ପ୍ରାୟ ୨୦୦ କିଲୋମିଟରରେ ବାନ୍ଦା ଅବସ୍ଥିତ। ବାନ୍ଦାଠାରୁ ଚିତ୍ରକୂଟ ଯିବା ରାସ୍ତାରେ ପଡ଼େ ଭରତକୁଣ୍ଡ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଭରତକୁଣ୍ଡରେ ସ୍ନାନ କରିବା ଦ୍ୱାରା କୁଷ୍ଠ ସମେତ ଅନ୍ୟ ଦୂରାରୋଗ୍ୟ ଭଲ ହୋଇଥାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଭରତକୁଣ୍ଡରେ ସ୍ନାନ କରିବା ପରେ ନିକଟସ୍ଥ ମନ୍ଦିରରେ ଦର୍ଶନ କରି ଭଗବାନଙ୍କ କୃପା ଲାଭ କରିଥାନ୍ତି।

ଗାଁର ୮୦ ବର୍ଷୀୟ ରାମଦୁଲାରେଙ୍କ କହିବାନୁଯାୟୀ, ଏମିତି କୌଣସି ଦିନ ନାହିଁ ଯେଉଁ ଦିନ ସେ ଏହି ଅଦ୍ଭୁତ କୂପରେ ସ୍ନାନ କରିନାହିଁ। ତାଙ୍କ ପୂର୍ବପୁରୁଷଙ୍କ କହିବାନୁଯାୟୀ, ଯେତେବେଳେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ପାଇଁ ଚିତ୍ରକୂଟ ଆସିଥିଲେ, ସେତେବେଳେ ଭ୍ରାତା ଭରତ ଅଯୋଧ୍ୟାବାସୀଙ୍କ ସହ ଏଠାକୁ ତାଙ୍କୁ ବୁଝାଇ ଫେରେଇ ନେବାକୁ ଆସିଥିଲେ। ସେ ସାଙ୍ଗରେ ମହାପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପାଇଁ ସମସ୍ତ ତୀର୍ଥଜଳ ମଧ୍ୟ ଆଣିଥିଲେ। କିନ୍ତୁ ରାମଚନ୍ଦ୍ର ନିଜ ଜିଦ୍‌ରେ ଅଟଳ ରହିଥିଲେ ଓ ଅଯୋଧ୍ୟା ଫେରିବାକୁ ମନା କରିଦେଇଥିଲେ। ଜ୍ୟେଷ୍ଠ ଭ୍ରାତାଙ୍କ ଉତ୍ତରରେ ନିରାଶ ହୋଇ ଭରତ ସମସ୍ତ ତୀର୍ଥ ଜଳକୁ ଏହି କୂପରେ ଢାଳିଦେଇ ରାମଚନ୍ଦ୍ରଙ୍କ କଠଉ ନେଇ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେବେଠାରୁ ଏହି କୂପ ଭରତ କୂପ ଭାବେ ପରିଚିତ। ଏଠାରେ ନିର୍ମିତ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ର, ମାତା ସୀତା, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ମୂର୍ତ୍ତି ପୂଜା ପାଉଛି।

ବୁନ୍ଦେଲ ଶାସକଙ୍କ ରାଜତ୍ୱକାଳରେ ଏହି ମନ୍ଦିର ନିର୍ମାଣ ହୋଇଥିବା ଜଣାଯାଇଛି। ଏହି କୂପରେ ସ୍ନାନ କରିବା ଦ୍ୱାରା ସମସ୍ତ ତୀର୍ଥଯାତ୍ରାର ପୁଣ୍ୟଫଳ ପ୍ରାପ୍ତି ହେବା ସହ ଶରୀରର ଅସାଧ୍ୟ ରୋଗ ମଧ୍ୟ ଦୂର ହୋଇଥାଏ। ଏହି କୂପ ସମ୍ପର୍କରେ ତୁଳସୀ ଦାସଙ୍କ ରାମଚରିତ ମାନସରେ ମଧ୍ୟ ବର୍ଣ୍ଣନା କରାଯାଇଛି। ବର୍ଷସାରା ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ଲାଗି ରହିଥିଲେ ମଧ୍ୟ ପବିତ୍ର ମକର ସଂକ୍ରାନ୍ତିରେ ଅଧିକ ଭକ୍ତଙ୍କ ଗହଳି ଲାଗିଥାଏ। ମକର ସଂକ୍ରାନ୍ତିରେ ଏଠାରେ ପାଞ୍ଚଦିନ ବ୍ୟାପୀ ମେଳା ଆୟୋଜିତ ହୋଇଥାଏ। ପ୍ରତ୍ୟେକ ଅମାବାସ୍ୟାରେ ମଧ୍ୟ ଏଠାରେ ସ୍ନାନ କରିବା ପରେ ଶ୍ରଦ୍ଧାଳୁମାନେ ଚିତକୂଟ ଯାଇ ମନ୍ଦାକିନୀରେ ସ୍ନାନ କରି କାମଦାଗିରି ପରିକ୍ରମା କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.