ଆସନ୍ତାକାଲି ଓସିଏ ନିର୍ବାଚନ, ହସ୍ପିଟାଲରୁ ଭୋଟ ଦେବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା
![oca](https://knewsodisha.com/wp-content/uploads/2019/09/oca-2.jpg)
କେନ୍ୟୁଜ୍: ଆସନ୍ତାକାଲି ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଓସିଏ କନଫରେନ୍ସ ହଲରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଚାଲିବ। ଏନେଇ ଗାଇଡଲାଇନ୍ ଜାରି କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ ଏମ୍. ଏଲ୍. ମଜୁମଦାର। ମତଦାନ କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ମନା। କ୍ୟାମେରା କିମ୍ବା ଅନ୍ୟାନ୍ୟ ବୈଦୁତିକ ସାମଗ୍ରୀ ଭୋଟଦାନ କେନ୍ଦ୍ରକୁ ନେଇ ପାରିବେ ନାହିଁ। ସେସମସ୍ତ ସାମଗ୍ରୀ ପ୍ରବେଶ ଦ୍ୱାର ନିକଟରେ ଜମା କରିବେ। ଏହାସହ ଭୋଟ ଗ୍ରହଣ କେନ୍ଦ୍ରକୁ ନିଶାଦ୍ରବ୍ୟ ସେବନ, କୌଣସି ବିଶୃଙ୍ଖଳା ସ୍ଲୋହାନ୍, ଶାରିରୀକ ଆଘାତ ଭଳି କାମ କେହି କରି ପାରିବେ ନାହିଁ। ଭୋଟ ଦେଇ ସାରିବା ପରେ ଭୋଟର ଚାହିଁଲେ କେନ୍ଦ୍ର ଛାଡ଼ି ବାହାରକୁ ଯାଇ ପାରିବେ। ଭୋଟ ଗଣତି ସମୟରେ କୌଣସି ପଦବୀରେ ଭୋଟ ସଂଖ୍ୟା ସମାନ ରହିଲେ ଲଟେରୀ କରାଯାଇ ବିଜେତାଙ୍କ ନାଁ ଘୋଷଣା କରାଯିବ। ନିର୍ବାଚନ ପାଇଁ କରାଯାଇଛି ସ୍ୱତନ୍ତ୍ର ପାସ ବ୍ୟବସ୍ଥା। ନିର୍ବାଚନ ଅଧିକାରୀଙ୍କ ପାଇଁ ସବୁଜ, ପର୍ୟ୍ୟବେକ୍ଷକଙ୍କ ପାଇଁ ନୀଳ, ଓସିଏ ଅଧିକାରୀ ଓ କର୍ମକର୍ତ୍ତାଙ୍କ ପାଇଁ ଗୋଲାପି, ଭୋଟରଙ୍କ ପାଇଁ ଧଳା ଓ ପ୍ରାର୍ଥୀଙ୍କ ପ୍ରତିନିଧିଙ୍କ ପାଇଁ ଧୂସର ରଙ୍ଗର ପାସ ବ୍ୟବସ୍ଥା ହୋଇଛି। ମୋଟ୍ ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପାଞ୍ଚଟି ପଦ ପାଇଁ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ତେବେ ଆପେକ୍ସ କାଉନସିଲ ସଦସ୍ୟ ଭାବରେ ଏକମାତ୍ର ପ୍ରାର୍ଥୀ ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ ଓସିଏ ନିର୍ବାଚନରେ ଭୋଟ ଦେଇପାରିବେ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ହସ୍ପିଟାଲରୁ ସେ ଭୋଟ୍ ଦେଇ ପାରିବେ। ଓସିଏ ନିର୍ବାଚନ ଅଧିକାରୀ ଝାରପଡ଼ା ଜେଲ୍ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି। ଚିଠି ସହ ନିର୍ବାଚନର ବାଲଟ୍ ପେପର ବି ଦେଇଛନ୍ତି। ଭୋଟ ଦେବାକୁ ଯିବେ କି ହସ୍ପିଟାଲରୁ ଭୋଟ୍ ଦେବେ ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଯଦି ହସ୍ପିଟାଲରୁ ଭୋଟ୍ ଦେବେ ତେବେ ଜଉମୁଦ ଲଫାପା ସହ ଓସିଏ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇବେ ଜେଲ୍ ଅଧୀକ୍ଷକ। ଚିଟଫଣ୍ଡ ଲିଙ୍କରେ ଆଶୀର୍ବାଦଙ୍କୁ ଗିରଫ କରିଛି ସିବିଆଇ। ଏବେ ଅସୁସ୍ଥତା ଯୋଗୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।