ବର୍ଷିୟାନ୍‌ ପାକିସ୍ତାନୀ ଅଭିନେତା ତଲତ୍‌ ହୁସେନ୍‌ଙ୍କ ନିଧନ, ଭାରତ ସହିତ ଥିଲା ନିବିଡ଼ ସମ୍ପର୍କ

ବର୍ଷିୟାନ୍‌ ପାକିସ୍ତାନୀ ଅଭିନେତା ତଲତ୍‌ ହୁସେନ୍ ଆଉ ନାହାନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଅଭିନେତା ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ବର୍ଷିୟାନ୍‌ ପାକିସ୍ତାନୀ ଅଭିନେତା ତଲତ୍‌ ହୁସେନ୍ ଆଉ ନାହାନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ରବିବାର ଅଭିନେତା ୮୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପାକିସ୍ତାନୀ ଅଭିନେତା ଅଦନାନ୍‌ ସିଦ୍ଦିକି ନିଜର ‘X’ ପ୍ଲାଟଫର୍ମରେ ତାଙ୍କ ନିଧନ ଖବର ନିଶ୍ଚିତ କରିଛନ୍ତି ।

ତଲତ ହୁସେନ୍ ଜଣେ ଭଲ ଅଭିନେତା ହେବା ସହିତ କ୍ରିକେଟ୍ ଜଗତରେ ମଧ୍ୟ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଭେଟେରାନ ଅଭିନେତାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାଇ ଖେଳିଯାଇଛି । ତଲତ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏହି କାରଣରୁ ତାଙ୍କୁ କରାଚିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

କହି ରଖୁଛୁ, ୧୯୪୦ ସେପ୍ଟେମ୍ବର ୧୮ରେ ଜନ୍ମ ହୋଇଥିବା ତଲତ ହୁସେନ୍‌ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ । ସେ ଜଣେ ପାକିସ୍ତାନୀ ଅଭିନେତା ଥିଲେ ମଧ୍ୟ ଭାରତ ସହିତ ତାଙ୍କର ସମ୍ପର୍କ ନିବିଡ଼ ଥିଲା । ତଲତ ଜାତୀୟ ରାଜଧାନୀ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଭାରତ-ପାକିସ୍ତାନ ବିଭାଜନ ପରେ ତାଙ୍କ ପରିବାର କରାଚି ସ୍ଥାନାନ୍ତର ହୋଇଯାଇଥିଲେ । ସେ କେବଳ ପାକିସ୍ତାନୀ ମନୋରଞ୍ଜନ ଜଗତରେ ନୁହେଁ, ବରଂ ବଲିଉଡ ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜ ଅଭିନୟର ଯାଦୁ ବିସ୍ତାର କରିଥିଲେ । ସେ ରେଖା, ଜୟାପ୍ରଦା ଓ ଜିତେନ୍ଦ୍ରଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ସହ କାମ କରିଥିଲେ । ତଲତ ହୁସେନ୍ ଏହି ବଲିଉଡ କଳାକାରମାନଙ୍କ ସହ ‘ସୌତନ କି ବେଟି’ରେ କାମ କରିଥିଲେ ।

ସମୀକ୍ଷକମାନଙ୍କ ଦ୍ୱାରା ପ୍ରଶଂସିତ ଟିଭି ଡ୍ରାମା ଏବଂ ଚଳଚ୍ଚିତ୍ରରେ ତାଙ୍କ ଭୂମିକା ପାଇଁ ତଲତ ବେଶ୍‌ ଜଣାଶୁଣା ଥିଲେ । ସେ ‘ଆଂସୁ’, ‘ବନ୍ଦିଶ୍‌’, ‘ଅର୍ଜୁମନ୍ଦ’, ‘ଦେଶ ପରଦେଶ’, ‘ଇଦ୍ କା ଜୋରା’, ‘ତାରିକ ବିନ୍‌ ଜିଆଦ୍’, ‘ଫନୁନି ଲତିଫି’, ‘ହଭେନ୍‌’ ଆଦିରେ ନିଖୁଣ ଅଭିନୟ କରିଥିଲେ । ସିରିଏଲ ‘ବନ୍ଦିଶ’ରୁ ତାଙ୍କୁ ସର୍ବାଧିକ ଖ୍ୟାତି ମିଳିଥିଲା । ତାଙ୍କ ପରିବାରରେ ତାଙ୍କର ପତ୍ନୀ ପ୍ରଫେସର ରକ୍ଷନ୍ଦା ହୁସେନ୍ ଏବଂ ତିନି ସନ୍ତାନ- ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

Leave A Reply

Your email address will not be published.