Below header

ଗହଣା ବିକି ମା କିଣି ଦେଇଥିଲେ ବ୍ୟାଟ୍‌, ପୁଅ ମାରିଲା ଟ୍ରିପଲ୍‌ ସେଞ୍ଚୁରୀ

ଆମ ଦେଶ ଭାରତରେ କ୍ରିକେଟ୍‌ ଖେଳ ପ୍ରତି ଲୋକଙ୍କର ଖୁବ୍‌ ଆକର୍ଷଣ ରହିଛି । ଏଥିରୁ ପ୍ରଶଂସା ଯେମିତି ପଇସା ବି ସେମିତି । ତେଣୁ କ୍ରିକେଟ୍‌ ଖେଳାଳିମାନେ ସବୁବେଳେ ଲୋକଙ୍କ ନଜରରେ ଥାନ୍ତି । ଭାରତ ଯେଉଁଠି ବି ଖେଳୁ ଫ୍ୟାନ୍‌ମାନଙ୍କ ଥାଏ ଖେଳାଳିଙ୍କ ସ୍କୋର ଓ ଦଳର ଜିତିବା ହାରିବା ଉପରେ । ଯଦି କେହି ଭଲ ଖେଳିଲା କି ରେକର୍ଡ଼ କଲା ତେବେ ତ ହିରୋ ବନିଗଲା ସେହି ଖେଳାଳି ।

ଏମିତିରେ ବିହାରର ଜଣେ ଯୁବା ଖେଳାଳି ଏବେ ସିଲେକଟରଙ୍କ ଠାରୁ ଆରମ୍ଭ କରି ଖେଳାଳି ଓ କ୍ରିକେଟ୍‌ ପ୍ରେମୀ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ନିଜ ଦକ୍ଷତାରେ। ସେ ହେଉଛନ୍ତି ୨୨ ବର୍ଷ ବୟସ୍କ ସାକିବୁଲ ଗନି । ନିଜର ପ୍ରଥମ ରଣଜୀ ମ୍ୟାଚ୍‌ରେ ସେ ୨୫୦ ବର୍ଷର ପୁରୁଣା ରେକର୍ଡ଼ ଭାଙ୍ଗିଛନ୍ତି। ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ସେ ପଦାର୍ପଣ କରୁ କରୁ ହଇଚଇ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ଚାଲିଥିବା ରଣଜୀ ଟ୍ରଫିରେ ମିଜୋରାମ ବିପକ୍ଷରେ ଗନି ମାରିଛନ୍ତି ତ୍ରିଶତକ । ସ୍କୋର କରିଛନ୍ତି ୩୪୧ ରନ୍‌ ।

କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଷ୍ଟାଡିୟମରେ ସକିବୁଲ ଗନି ଏଭଳି ଇନିଂସ୍‌ ଖେଳିଛନ୍ତି ଯେ ଆଜି ତାଙ୍କୁ ନେଇ ସମସ୍ତେ ଚର୍ଚ୍ଚା କରୁଛନ୍ତି । ନିଜ ଜୀବନର ପ୍ରଥମ ମ୍ୟାଚ୍‌ରେ ତ୍ରିଶକ ବା ଟ୍ରିପଲ ସେଞ୍ଚୁରୀ କରିବାରେ ସେ ହେଉଛନ୍ତି ବିଶ୍ୱର ପ୍ରଥମ ଖେଳାଳି । ଏବେ ଗନିଙ୍କୁ ପ୍ରଶଂସାର ସୁଅ ଛୁଟିଛି । ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ବୋଲି କୁହାଯାଉଛି ତାଙ୍କୁ । ଏମିତିକି ସଚିନ୍‌ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଖେଳାଳିମାନେ ବି ଗନିଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହି ସାରିଲେଣି ।

ତେବେ ପ୍ରଥମ ପ୍ରତିଯୋଗିତାରେ ବିରାଟ ସଫଳତା ଲାଭ କରିଥିବା ସାକିବୁଲଙ୍କ ଯାତ୍ରା କିନ୍ତୁ ଖୁବ୍‌ ସଂଘର୍ଷମୟ ରହିଛି । ନିଜର ସଫଳତା ପାଇଁ ସେ କେବଳ ନିଜ ପରିଶ୍ରମକୁ ଦାୟୀ କରି ପାରନ୍ତି । ହେଲେ ତାଙ୍କୁ ଖେଳ ପାଇଁ ସମର୍ଥନ ଦେଇ ଆସିଥିବା ମା ହିଁ ତାଙ୍କ ସଫଳତା ପଛର ପ୍ରଥମ ଓ ଶେଷ କାରଣ । ପିଲାବେଳୁ ସାକିବଙ୍କର କ୍ରିକେଟ୍‌ ପ୍ରତି ପ୍ରବଳ ଆଗ୍ରହ ଥିଲା । ସେ ଖେଳୁଥିଲେ । ହେଲେ ଭଲ ଖେଳୁଥିଲେ ମଧ୍ୟ ତାଙ୍କ ପାଖରେ ଖେଳିବା ପାଇଁ ଭଲ ବ୍ୟାଟ୍‌ଟିଏ ନଥିଲା । ଗରିବ ପରିବାରରେ ଏତେ ଟଙ୍କା ଆସିବ କୁଆଡୁ ଯେ ସେ ଦେବେ । ତଥାପି ତାଙ୍କ ମା, ପୁଅର ଆଗ୍ରହକୁ ଏଡ଼ାଇ ପାରିଲେ ନାହିଁ । ସେ ନିଜ ସୁନାଗହଣା ବିକ୍ରି କରି ପୁଅ ପାଇଁ ବ୍ୟାଟ୍‌ କିଣି ଦେଇଥିଲେ । ଗୋଟିଏ ଦାମୀ ବ୍ୟାଟ୍‌ର ମୂଲ୍ୟ ପ୍ରାୟ ୩୫ରୁ ୪୦ ହଜାର ଟଙ୍କା । ହେଲେ ନିଜ ପେଟରୁ କାଟି, ନିଜ ଗହଣା ବିକି ପୁଅ ଗନି ପାଇଁ ବ୍ୟାଟ୍‌ କିଣି ଦେଇଥିଲେ । ଆଉ ତାଙ୍କର ସେହି ତ୍ୟାଗ ଆଜି ଫଳ ଦେଇଛି । ସେହି ବ୍ୟାଟ୍‌ରେ ଖେଳି ଗନି ୪୦୫ଟି ବଲ୍‌ରେ ୩୪୧ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ୫୬ଟି ଚୌକା ଓ ୨ଟି ଛକା ।

ଗନିଙ୍କ ବଡ଼ ଭାଇ ଫୈଜଲ କହିଛନ୍ତି କି ତାଙ୍କ ମା କେବେବି ସେମାନଙ୍କୁ ଅର୍ଥର ଅଭାବ କଥା ଚିନ୍ତା କରିବାକୁ ଦିଅନ୍ତି ନାହିଁ । ଯାହାର ଯାହା ଦରକାର ଘରୁ କିଛି ଜିନିଷ ବିକ୍ରି କରିବାକୁ ପଡ଼ିଲେ ବି ବିକା ଭାଙ୍ଗି ଦେଇ ଦିଅନ୍ତି । ଏମିତିରେ ସେ ରଣଜୀ ଟ୍ରଫିରେ ଗନି ଖେଳିବା ପୂର୍ବରୁ ନିଜ ଅଳଙ୍କାର ବିକି ପ୍ରକୁ ତିନିଟି ବ୍ୟାଟ୍‌ ଦେଇଥିଲେ । ଆଉ କହିଥିଲେ, ଏଇ ତିନିଟି ବ୍ୟାଟ୍‌ରେ ତିନିଟି ସେଞ୍ଚୁରୀ ମାରିବୁ । ହେଲେ ଗନି ଯେମିତି ମା’ଙ୍କ କଥାକୁ ନିଜର ଲକ୍ଷ୍ୟ ଭାବେ ନେଇଥିଲେ । ଆଉ ପ୍ରଥମ ମ୍ୟାଚ୍‌ରେ ହିଁ ଟ୍ରିପଲ ସେଞ୍ଚୁରୀ ମାରି ଦେଲେ । ଆଉ ଗୋଟିଏ ମଜାଦାର କଥା ବି ରହିଛି ଏଥିରେ । ମା’ଙ୍କ ଠାରୁ ନୂଆ ବ୍ୟାଟ୍‌ ପାଇବା ପରେ ସେ ତାଙ୍କ ଆଶୀର୍ବାଦ ଚାହିଁଥିଲେ । ଯେମିତି କାହାର ନଜର ନଲାଗେ ସେଥିପାଇଁ କିଛି କରିବାକୁ କହିଥିଲେ । ଆଉ ମା ମଧ୍ୟ ତାଙ୍‌କର ନଜର ଉତାରିଥିଲେ ।
୧୯୯୯ ମସିହା ସେପଟେମ୍ବର ୨ ତାରିଖରେ ବିହାରର ମୋତିହାରି ଠାରେ ସାକିବୁଲ ଗନିଙ୍କ ଜନ୍ମ । ସେ ୨୦୧୯ ଅକଟୋବର ୭ ତାରିଖରେ ତାଙ୍କର ପ୍ରଥମ ‘ଏ’ ମ୍ୟାଚ୍‌ ଖେଳିଥିଲେ । ଆଉ ରଣଜୀ ଟ୍ରଫିରେ ଖେଳି ଗତ ଶୁକ୍ରବାର ଦିନ ବିଶ୍ୱ ରେକର୍ଡ଼ କରିଛନ୍ତି । ପରିବାରରେ ଗନିଙ୍କ ସମେତ ୬ ଜଣ ଭାଇ ଭଉଣୀ ଅଛନ୍ତି । ସାକିବ ହେଉଛନ୍ତି ସବା ସାନ । ମା’ଙ୍କ ନାଁ ହେଉଛି ଆସମା ଖାତୁନ । ସାକିବଙ୍କ ଭାଇ ଫୈଜଲ ମଧ୍ୟ ବିହାରରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳନ୍ତି । ବାପା ମହମ୍ମଦ ମାନନ୍‌ ଗନି ଗୋଟିଏ ସ୍ପୋର୍ଟସ ଦୋକାନ କରିଛନ୍ତି । ସେଇଥିରେ ଯାହା ରୋଜଗାର ହୁଏ ପରିବର ଚଳେ ।

ତେବେ ପିଲାଙ୍କ ଖେଳାଳି ହେବାର ସ୍ୱପ୍ନ ଯେମିତି ଆଗକୁ ବଢ଼ିବ ସେଥିରେ ଉଭୟ ମା ବାପା ସମର୍ଥନ କରି ଆସିଛନ୍ତି । ବଡ଼ଭାଇ ଫୈଜଲ ସବୁବେଳେ ସାକିବଙ୍କୁ ବାଟ ଦେଖାଇଛନ୍ତି । ତେବେ ବିଶେଷ କରି ମା’ଙ୍କ ଅବଦାନ ଯୋଗୁଁ ଆଜି ଏତେବଡ଼ କାମ କରି ପାରିଛନ୍ତି ଗନି । ତେଣୁ ମୋତିହାରି ଅଞ୍ଚଳରେ ଏବେ ମା ଆସମାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି । ଲୋକେ ପ୍ରଶଂସାରେ ପୋତି ପକାଉଛନ୍ତି । ଘର ଭିତରୁ ସହଯୋଗ, ସମର୍ଥନ ଓ ପ୍ରେରଣା ପାଇଲେ ପିଲାମାନେ ନିଶ୍ଚୟ ନିଜ କ୍ଷେତ୍ରରେ ସଫଳତାର ଶିଖର ଛୁଇଁବ ବୋଲି ଦେଖାଇ ଦେଇଛନ୍ତି ହାସିବୁଲ ଗନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.