Below header

ଫନି : କାହାର ସର୍ବନାଶ, କାହାର ପୁଷ ମାସ

ପ୍ରଳୟଙ୍କରୀ ବାତ୍ୟା ଫନି ଉଜାଡ଼ି ଦେଇଛି ଅନେକ କିଛି । ସ୍ୱାଭାବିକ ସ୍ଥିତି ଆସିବାକୁ ମାସ ମାସ ଲାଗିଯିବ । ସେ ରାଜଧାନୀ ଭୁବନେଶ୍ୱର ହେଉ କି ପର୍ଯ୍ୟଟନ କ୍ଷେତ୍ର ପୁରୀ, ସବୁଠି ତାଣ୍ଡବ ରଚିଛି ଫନି । ଏହି ବାତ୍ୟା ଯୋଗୁଁ ଅନେକ ବ୍ୟବସାୟ ମଧ୍ୟ ଠପ୍‌ ହୋଇଯାଇଛି । ବ୍ୟାଙ୍କ ସେବା ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ବିଭିନ୍ନ ଜିନିଷ ବିକୁଥିବା କ୍ଷୁଦ୍ର ବ୍ୟବସାୟୀ ମଧ୍ୟ ପ୍ରଭାବିତ ହୋଇଛି । ହେଲେ ତା ଭିତରେ ଆଉ କିଛି ବ୍ୟବସାୟ ବେଶ୍‌ ଚାଲିଛି । ଏମିତିିକି ସେ ସବୁ ସାମଗ୍ରୀର କଳାବଜାରୀ ମଧ୍ୟ ହେଉଛି ।

generatorପ୍ରଥମେ ଆସିବା ଜେନେରେଟର କଥାକୁ । ବିଦ୍ୟୁତ୍‌ ଯୋଗାଣ ଠପ୍‌ ହୋଇ ଯାଇଥିବାରୁ ଦରକାର ପଡ଼ିଛି ଜେନେରେଟର୍‌ । ହେଲେ ଏତେ ଘର ପାଇଁ ଜେନେରେଟର ବା କାହିଁ ? ଯେଉଁମାନେ ଭଡ଼ାରେ ଜେନେରେଟର ଦେଇଥାନ୍ତି ସେମାନଙ୍କ ହାତକୁ ଫୁରୁସତ ନାହିଁ । ଜଣକ ଘରେ ଲାଗି ନଥିବ ଆଉ ୧୦ ଜଣ ଆସି ଲାଇନ୍‌ ଲଗାଉଛନ୍ତି ଜେନେରେଟର ପାଇଁ । ଘଣ୍ଟାକୁ ପ୍ରଥମେ ହଜାରେ ଟଙ୍କା ଥିଲା, ପରେ ବଢ଼ିଗଲା ୧୮୦୦ରୁ ୨୦୦୦ ଯାଏ ।

ଏପଟେ ଟିକେ ପଇସା ବାଲା ଲୋକ ଜେନେରେଟର ସବୁ କିଣି ପକାଇଲେ । ଆବଶ୍ୟକତା ନଥିବାରୁ ବ୍ୟବସାୟୀଙ୍କ ପାଖରେ ଏତେ ପରିମାଣରେ ମାଲ୍‌ ନଥିଲା । ତେଣୁ ଖୁବ୍‌ କମ ସମୟ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଶେଷ ହୋଇଗଲା ନୂଆ ଜେନେରେଟର । ତା ପରେ ଆଖି ପଡ଼ିଲା, ପୁରୁଣା ତଥା ମରାମତି ହୋଇଥିବା ଜେନେରେଟର ଉପରେ । ସେ ସବୁ ବି ଅତି ଶୀଘ୍ର ସଫା ହୋଇଗଲା । ଦାମ୍‌ ବି କିଛି କମ୍‌ ନେଇ ନାହାନ୍ତି ବେପାରୀ ।

ଏବେ ଆସନ୍ତୁ ଜାଣିବା ଜେନେରେଟର ସହିତ ଆଉ କଣ ଦରକାର । ଜେନେରେଟର ଚାଲିବା ପାଇଁ ଦରକାର ହେଉଛି ଡିଜେଲ ଓ କିରୋସିନ୍‌ । ଏମିତିରେ ତ କିରୋସିନ୍‌ ମିଳୁ ନାହିଁ, ସେଥିରେ ପୁଣି କଳା ବଜାରୀ । ବିଶେଷ କରି କିରୋସିନ୍‌ ଲିଟର ପିଛା ୮୦ରୁ ୧୨୦ ଟଙ୍କା ଯାଏ ବିକ୍ରି ହେଉଛି ।

candle ସେହିଭଳି ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରବଳ ଦାବି ରହିଲା ମହମବତିର । ଯାହାକୁ କେହି ପଚାରୁ ନଥିଲେ, ତାର ଭାଉ ୧୦ ଗୁଣା ବଢ଼ି ଯାଇଛି । ୫ ଟଙ୍କିଆ ମହମବତିର ଦାମ୍‌ ପହଞ୍ଚିଲା ୨୫ ଟଙ୍କାରେ । ସିଏ ବି ମିଳିଲା ନାହିଁ । ତେଣୁ ଲୋକେ ଧାଇଁଲେ ଦୀପ ଓ ସଳିତା ପାଇଁ । ଦୀପରେ ଖାଇବା ତେଲ ଓ ଜଡ଼ାତେଲ ଦେଇ ଲୋକେ ଅନ୍ଧାର ଘରକୁ ଆଲୋକିତ କଲେ । ଏଇ ମଉକା ଦେଖି କିଛି ଲୋକ ଚଟାପଟ୍‌ ଡିବି ତିଆରି କରି ବିକ୍ରି କରିଛନ୍ତି । ଗୋଟିଏ ଛୋଟିଆ ଠିପି ଥିବା ବୋତଲରେ କିରୋସିନ୍‌ ଦେଇ ଡିବି ତିଆରି କରି ଦେଉଛନ୍ତି । ଯାହାର ଦାମ୍‌ ୬୦ ଟଙ୍କା । ଏହା ସହିତ କେବେ ଖୋଜା ନଥିବା ଲଣ୍ଠନ୍‌ ଏବଂ ସୋଲାର ଲାଇଟ୍‌ ବି କିଛି ବେପାର କରିଛି ।

mineral waterଅନ୍ୟପଟେ ଟର୍ଚ୍ଚ, ବ୍ୟାଟେରୀ, ଚାର୍ଜେବୁଲ ଟର୍ଚ୍ଚ, ଡାଇନାମୋ ଟର୍ଚ୍ଚ ଏମିତିକି ଲାଇଟ୍‌ ଥିବା ପିଲାଙ୍କ ଖେଳଣା ମଧ୍ୟ ବେଶ୍‌ ବିକ୍ରି ହୋଇଛି ।
ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକ ମିନେରାଲ ଓ୍ଵାଟର ବୋତଲ ଓ ପାଉଚ୍‌ କିଣି କାମ ଚଳାଇଥିଲେ । ତେଣୁ ପ୍ରବଳ ବିକ୍ରି ହୋଇଛି ପାଣି ବୋତଲ ।

ସେହିପରି ଲୋକେ ଆଖିବୁଜା ଶୁଖିଲା ଖାଦ୍ୟ କିଣିଥିଲେ । ତେଣୁ ତା ଭିତରେ ଏକ୍ପପାରୀ ଥିବା ଅନେକ ଜିନିଷ ମଧ୍ୟ ଲୋକଙ୍କ ପେଟକୁ ଯାଇଛି । କାରଣ ସେସବୁ ଦେଖିବାକୁ କାହାକୁ ସମୟ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.