Below header

ବ୍ରଏଲର କୁକୁଡ଼ାକୁ ବିଦେଶୀ ପାଣି, ଏବେ ଭୋଟର ଭୁଲିଗଲେଣି ଟଙ୍କ ତୋରାଣି

ନିର୍ବାଚନ ମାନେ ଆମ ଦେଶରେ ଗୋଟେ ବଡ଼ ଉତ୍ସବ । ବିଧାୟକ ଓ ସାଂସଦ ନିର୍ବାଚନ ଅପେକ୍ଷା ପଞ୍ଚାୟତ ନିର୍ବାଚନର ଧୁମ୍‌ କିଛି ଅଲଗା । କାରଣ ଏହା ତୃଣମୂଳ ସ୍ତରରେ ହେଉଛି । ପରିବାରଠୁ ଆରମ୍ଭ କରି ଗାଁ ଗାଁ ଯୋଡ଼ି ହୋଇ ରହିଛନ୍ତି ଏହି ପର୍ବ ସହିତ । ଆଉ ବିଶେଷ କରି ବେକାର ଯୁବପିଢ଼ିଙ୍କର ତ ଇଏ ଭୋଜିଭାତର ସମୟ । ପ୍ରାର୍ଥୀମାନେ ଭୋଜି ଦେଇ ସେମାନଙ୍କ ଜରିଆରେ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରନ୍ତି । କୁହାଯାଏ ଯାହାର ଯେତେ ଟୋକା ହାତରେ ଅଛନ୍ତି ସେତିକି ଦମ୍‌ ତା ପ୍ରାର୍ଥିତ୍ୱରେ । ଆମ ସୁରଭାଇଙ୍କ କଥାରେ ଏମାନେ ମାଡ଼ି ଚାଲିବେ ।
ଯଦି ଜଣେ ପ୍ରାର୍ଥୀଙ୍କ ହାତରେ ଦଶ କି ବାର ଜଣ ଭଲ ଯୋଗାଡ଼ିଆ ଯୁବକ ରହିଲେ ତେବେ ବହୁତ ଫାଇଦା ମିଳିଯାଏ ନେତାଙ୍କୁ । ଏହାକୁ ବାଦ୍‌ ଦେଲେ କିଛି ଟୋକା ମଧ୍ୟ ଏଇ ନିର୍ବାଚନ ସମୟକୁ ଅପେକ୍ଷା କରି ରହିଥାନ୍ତି । ଯେଉଁଠୁ ଭଲ କିଛି ମାଲ୍‌ ମିଳିଲା ତା ପଛରେ ଦୌଡ଼ନ୍ତି । ଏମାନଙ୍କୁ ଗାଁ ଗାଁ, ସାହି ସାହିରେ ମାଡ଼ି ଯିବାକୁ କୁହାଯାଏ । ଲୋକଙ୍କୁ ଏକାଠି କରି ଭୋଜିଭାତର ଆୟୋଜନ କରାଯାଏ । ତେବେ ଏଇ ଭୋଜିର ମୁଖ୍ୟ ଖାଦ୍ୟଟି ହୁଏ ବ୍ରଏଲର କୁକୁଡ଼ା । ଯାହା ସହଜରେ ମିଳିଯାଏ । ଆଉ ପାନୀୟ ହେଉଛି ଏକଦମ ତଥାକଥିତ ବିଦେଶୀ ମାଲ୍‌ । ଏଠି ନପିଉଥିବା ଲୋକଟି ମଧ୍ୟ ଢୋକେ ନେଇଯାଏ । ଆଉ ବୋବାଲ କରେ ‘ମୋ ଭାଇକୁ କେହି ହରାଇ ପାରିବେନି । ମୁଁ ଅଛି ତା ସାଙ୍ଗରେ । ସିଏ କଣ ତା ବୋପା ବି ଜିତିବ’ ।
ଏମିତି ଅନେକ ପ୍ରକାରର ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳେ ପଞ୍ଚାୟତ ନିର୍ବାଚନ ବେଳେ । ଅବଶ୍ୟ ଆମେ ଯେଉଁ ବ୍ରଏଲର କୁକୁଡ଼ା କଥାଟି ଉଠାଇଛୁ ଚାଲନ୍ତୁ ତା ବିଷୟରେ ଟିକେ ଆଲୋଚନା କରିବା । ଏବେ ତ ଅନେକ ଅଞ୍ଚଳରେ ଏହି କୁକୁଡ଼ା ଚାଷ କରାଯାଉଛି । ଦେଶୀ କୁକୁଡ଼ା କି ଖାସି ମାଂସ ଉପରେ ଅବଶ୍ୟ ସମସ୍ତଙ୍କ ନଜର ଥାଏ । ହେଲେ ତାହା ମିଳିବା କଷ୍ଟକୁ ଦାମ୍‌ ବି ବହୁତ ଅଧିକ । ତେଣୁ ଶସ୍ତା, ସୁନ୍ଦର ମଜବୁତ ଭଳି ବ୍ରଏଲର ଫାର୍ମ ଉପରେ ମାଡ଼ ପଡ଼େ । ନେତାଏ ଗ୍ରୁପ୍‌ ଦେଖି ଫାର୍ମଗୁଡ଼ିକୁ ବରାଦ ଦେଇଥାନ୍ତି ‘ଅମୁକକୁ ପଠାଇଲି ତାକୁ ୫ କେଜି ଦେଇଦେବ, ସମୁକକୁ ପଠାଇଲା ତାକୁ ୮ କେଜି ଦେଇଦେବ। ମୁଁ ଗଲେ ପେମେଣ୍ଟ କରି ଦେବି’ । ଏମିତିକି କିଛି ଫାର୍ମରେ ତ ପ୍ରାର୍ଥୀମାନେ ଆଡଭାନସ ପେମେଣ୍ଟ କରି ଦେଇଥାନ୍ତି ଖାସ୍‌ କରି ଏଇ ଭୋଜିଭାତ ପାଇଁ । ଆଉ ଯଦି ସବୁଦିନିଆ ମଦୁ ଯୁଟିଗଲେ ତେବେ ତ ନେତାଙ୍କ ଝୁଡ଼ି ଖାଲି କରି ଦେବେ ।
ସେହିଭଳି ଖାଦ୍ୟ ସହ ପାନୀୟ ବ୍ୟବସ୍ଥା ମଧ୍ୟ ଠିକ୍‌ ଏହିଭଳି କରାଯାଇଥାଏ । ଯୁବଗୋଷ୍ଠୀଙ୍କୁ ପେଟି କିମ୍ବା ବଡ଼ ବୋତଲ ଧରାଇ ଦିଆଯାଏ ତାଙ୍କ ଡିମାଣ୍ଡ ମୁତାବକ । ଯେଉଁ ଅଞ୍ଚଳରେ ବେଶି ଭୋଟ୍‌ ଆସିବାର ଆଶା ଅଛି ସେହି ଅଞ୍ଚଳ ଉପରେ ନେତା ବି ଫୋକସ୍‌ କରନ୍ତି । ତେଣୁ ଟଙ୍କା ବାଣ୍ଟିବାର ରିସ୍କ ଅପେକ୍ଷା ଏମିତି ଭୋଜିଭାତରେ ସନ୍ତୁଷ୍ଟ କରି ଭୋଟ୍‌ ହାସଲ କରିବାକୁ ଅନେକ ଜାଗାରେ ଚେଷ୍ଟା ଚାଲିଛି । ଶୀତୁଆ ରାତିରେ ଜମୁଛି କୁକୁଡ଼ା ମାଉଁସ ଭୋଜି !

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.