Below header

ଜଳେଶ୍ୱର ପାଲଟିଛି ବ୍ରାଉନ୍‌ ସୁଗାର କାରବାରର ପେଣ୍ଠସ୍ଥଳୀ, ଜାଣନ୍ତୁ କେମିତି ଖୁଲାମ୍ଖୁଲା ଚାଲିଛି ବେପାର

ଧଳା ଜହର। ଆସୁଛି କେଉଁଠୁ, ଯାଉଛି କୁଆଡ଼େ ? କିଲୋ କିଲୋ ଜବତ ପରେ ପୁଣି ଅନେକ ଗିରଫଦାରୀ ପରେ ବି ଥମୁନି କାହିଁକି ? ଏଇ ଧଳା ଜହର ବ୍ରାଉନ୍‌ ସୁଗାର କାରବାରର ଭୂସ୍ୱର୍ଗ କାହିଁକି ପାଲଟିଛି ବାଲେଶ୍ୱରର କିଛି ଅଞ୍ଚଳ ? ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଚାଲାଣ ହେଉଛି ଆଉ ପହଞ୍ଚୁଛି ଓଡ଼ିଶାରେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳ ପାଲଟିଛି ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ । ତେବେ କିଏ କରୁଛି ଓ କେମିତି ହେଉଛି ଏସବୁ ଆସନ୍ତୁ ଜାଣିବା…

ଏବେ ଆଉ ଲୁଚାଛପା ନୁହେଁ, ଚାରିଆଡେ ଖୋଲାଖୋଲି ବେଧଡକ ଭାବରେ ଚାଲିଛି ବ୍ରାଉନ ସୁଗାର ବେପାର। ନାଁ ଯାହାର ‘ଧଳା ଜହର’ । ଆଉ ଏହି ବ୍ରାଉନ ସୁଗାର ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ସହର । ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ପ୍ରତିଦିନ ଜଳେଶ୍ଵରକୁ ଆସୁଛି କୋଟି କୋଟି ଟଙ୍କାର ଧଳାଜହର। ରାତାରାତି କୋଟିପତି ହେବା ନିଶାରେ ଡ୍ରଗ୍ସ କାରବାରର ମାୟାଜାଲରେ ଫସି ଯାଉଛନ୍ତି ଯୁବପିଢି ଆଉ ମାଫିଆମାନେ। ଏମାନଙ୍କ ସାହାଯ୍ୟରେ ଓଡିଶାର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ଧଳାଜହର ଚାଲାଣ କରିବା ସହ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିପଡିଛନ୍ତି । ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବ୍ରାଉନସୁଗାର ବେପାରୀଙ୍କ ହବ୍‌ ପାଲଟିଛି ଜଳେଶ୍ଵର।

jaleswar

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଧଳା ଜହର କାରବାରର ପାଲଟିଛି ପେଣ୍ଠସ୍ଥଳୀ । ବିଶେଷ କରି ମାଫିଆମାନଙ୍କ ଟାର୍ଗେଟରେ ରହିଛନ୍ତି ଯୁବପିଢି । ଟଙ୍କା ଲୋଭ ଦେଖାଇ ଏମାନଙ୍କ ଦ୍ଵାରା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି ମାଫିଆ ମାନେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ବେପାରରେ ଏବେ ବହୁ ସଂଖ୍ୟାରେ ମହିଳା ଓ ଛୋଟ ପିଲା ମଧ୍ୟ ସାମିଲ ହେଉଛନ୍ତି । ବାଂଲାଦେଶର ଲାଲଗୁଲ୍ଲା ଚେକ୍‌ପୋଷ୍ଟ ଦେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦ, ହାଓ୍ଵାଡା ଓ ଖଡଗପୁରରୁ ବ୍ରାଉନ ସୁଗାର ଆସିବା ପରେ ଓଡ଼ିଶାର ପ୍ରବେଶ ଦ୍ଵାର କୁହାଯାଉଥିବା ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଜଳେଶ୍ଵରରେ ପହଞ୍ଚୁଛି ବ୍ରାଉନ ସୁଗାର । କେଉଁ ବ୍ୟବସାୟୀ ପାଖରେ ବ୍ରାଉନ ସୁଗାର ପହଞ୍ଚିବ ଶେଷ ସମୟରେ ହିଁ ବାଂଲାଦେଶୀ ଓ ବଙ୍ଗୀୟ ବେପାରୀମାନେ ଏଠାକାର ବେପାରୀଙ୍କୁ ଜଣାଇଥାନ୍ତି । ଜଳେଶ୍ଵରର ଶାସନବାର୍ଡ, ରାଜପୁର, ପଞ୍ଚୁଘଣ୍ଟା, ସେକବାର୍ଡ, ଝାଡେଶ୍ଵରପୁର, ପଶ୍ଚିମବାର୍ଡ ଅଞ୍ଚଳର ଶତାଧିକ ବ୍ୟବସାୟୀ ଧଳାଜହର କାରବାରରେ ସାମିଲ ଅଛନ୍ତି । ବିଶେଷ କରି ଜଳେଶ୍ଵର ସହର ସଂଲଗ୍ନ ସମସ୍ତ ବସ୍ତି ଅଞ୍ଚଳରେ କୁଟୀରଶିଳ୍ପ ଭାବରେ ଏହି ବେପାର ଚଲାଇଛନ୍ତି । ପୂର୍ବରୁ ଜଳେଶ୍ଵରର କୁଖ୍ୟାତ ବ୍ରାଉନ ସୁଗର ମାଫିଆ ମୀର ରାହତ ଅଲ୍ଲୀ ଖାନ୍‌ ଓରଫ ମୁନ୍ନା ଓ ବାଲେଶ୍ୱର ଅର୍ଡର ବଜାରର ଏସ. କେ ରାଜା ଏହି ଦୁଇଜଣ ବେପାରୀ ସିଧା ବାଂଲାଦେଶରୁ ବ୍ରାଉନ ସୁଗାର ଆଣି ଜଳେଶ୍ଵରର ଖୁଚୁରା ବେପାରୀଙ୍କୁ ଦେଉଥିଲେ । ତେବେ ମୁନ୍ନା ଏବଂ ରାଜା ଉଭୟ ଏସଟିଏଫ ସ୍କାନରକୁ ଆସିବା ପରେ ଜଳେଶ୍ଵରରେ ଏବେ ବହୁ ଛୋଟ ଛୋଟ ବେପାରୀ ସକ୍ରିୟ ହୋଇ ଉଠିଛନ୍ତି । ବାଂଲାଦେଶରୁ ଜଳେଶ୍ଵରରେ ବ୍ରାଉନ ସୁଗାର ପହଞ୍ଚିବା ପରେ ଜାତୀୟ ରାଜପଥ ଏବଂ ଟ୍ରେନ ଯୋଗେ ବାଲେଶ୍ଵର, ଭୁବନେଶ୍ଵର, କଟକ, ଭଦ୍ରକ, କେନ୍ଦ୍ରାପଡା, ପୁରୀ ଆଦି ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଯାଏ । ସମଗ୍ର ରାଜ୍ୟକୁ ଏହି ବ୍ରାଉନ ସୁଗାର ବେପାରର ଚେର ଲମ୍ବିବାରେ ଲାଗିଛି । ଚଢ଼ାଉ ସମୟରେ ଗିରଫ ହେଲେ ଜାମିନରେ ଆଣିବା ପାଇଁ ସମସ୍ତ ଖର୍ଚ୍ଚ ମାଫିଆ ମାନେ ଯୋଗାଇ ଦେଉଥିବାରୁ ଦିନକୁ ଦିନ ଏହି ବେପାରରେ ସାମିଲ ହେଉଥିବା ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ବ୍ରାଉନ ସୁଗାର ବେପାରର ମୂଳୋତ୍ପାଟନ ପାଇଁ ପୋଲିସ, ଅବକାରୀ ବିଭାଗ ଓ ଏସଟିଏଫ୍‌ ପଦକ୍ଷେପ ନେଉଛି । ତଥାପି ବ୍ରାଉନ ସୁଗାର ବେପାରୀଙ୍କ ଉପରେ ଏହାର ସାମାନ୍ୟ ବି ପ୍ରଭାବ ପଡୁ ନଥିଲା ଭଳି ଲାଗୁଛି । କିଛି ଦୁର୍ନୀତିଗ୍ରସ୍ତ ପଦାଧିକାରୀଙ୍କ ପାଇଁ ଏହି ବେପାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ରାଉନ ସୁଗାର ବେପାରୀମାନେ ଖୁବ କମ ସମୟ ମଧ୍ୟରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ ହୋଇଯାଉଥିଲେ ମଧ୍ୟ ସେ ସମ୍ପର୍କରେ ଅନୁସନ୍ଧାନ କରି ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହା ସମ୍ଭବ ହେଲେ ଏହି ଧଳାଜହର ବେପାରକୁ ଅନେକାଂଶରେ ରୋକା ଯାଇପାରନ୍ତା । ଅବାଧ ନିଶା କାରବାର ସାମାଜିକ ବ୍ୟବସ୍ଥାର ଅବକ୍ଷୟର ମୁଖ୍ୟ କାରଣ ପାଲଟିଛି । ରାଜ୍ୟର ଅନ୍ୟ ସୀମାନ୍ତ ଜିଲ୍ଲା ତୁଳନାରେ ପୂର୍ବରୁ ଅପେକ୍ଷାକୃତ କମ ଅପରାଧପ୍ରବଣ ଥିଲା ବାଲେଶ୍ଵର ଜିଲ୍ଲା । ଏବେ ନିଶା କାରବାର ଓ ଅପରାଧିକ କାର୍ଯ୍ୟକଳାପରେ ରେକର୍ଡ ସୃଷ୍ଟି କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ପ୍ରାୟତଃ ୯୦ ପ୍ରତିଶତ ଅପରାଧିକ ଘଟଣାରେ ନିଶା ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି ।

Drug

ଏବେ ହ୍ଵାଟ୍ସଆପ ମେସେଜ ଜରିଆରେ କେତେ ମାଲ ଦରକାର, ଦାମ କେତେ, କେଉଁଠି ଓ କେତେବେଳେ ମାଲ ପହଞ୍ଚିବ ସେସବୁ ଟିକିନିଖି ଅର୍ଡର ନିଆଯାଉଛି । ନିୟମିତ ବ୍ରାଉନ ସୁଗାର ସେବନ ଦ୍ଵାରା ଯୁବଗୋଷ୍ଠୀ ପଥଭ୍ରଷ୍ଟ ହୋଇ ହୋଇ ଟଙ୍କା ପାଇଁ ଚୋରି, ଛିନତାଇ, ଲୁଟ୍‌ ଏପରିକି ହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି । ଗତ ଦୁଇବର୍ଷ ମଧ୍ୟରେ ପୋଲିସ, ଅବକାରୀ ବିଭାଗ ଏବଂ ଏସଟିଏଫ୍‌ ଜଳେଶ୍ଵରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୬ କିଲୋରୁ ଅଧିକ ବ୍ରାଉନ ସୁଗାର ଜବତ କରିବା ସହିତ ପାଖାପାଖି ୫୦ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛନ୍ତି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।

କେବଳ ଏତିକି ନୁହେଁ, ଏହି କାରବାରରେ ବ୍ୟବହୃତ ବିଭିନ୍ନ ଗାଡିଗୁଡିକୁ ପୋଲିସ ଜବତ କରିଛି । ମାତ୍ର ଆଇନରେ ଥିବା ଫାଙ୍କ ଓ କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀଙ୍କ ବ୍ରାଉନ ସୁଗାର ମାଫିଆମାନଙ୍କ ସହ ମଧୁଚନ୍ଦ୍ରିକା ଯୋଗୁଁ ଗିରଫ ହୋଇଥିବା ବେପାରୀ ମାନଙ୍କ ଉପରେ ଲାଗୁଛି କୋହଳ ଦଫା, ଯାହା ଫଳରେ ଜାମିନରେ ଆସି ପୁଣି ବେପାର ଆରମ୍ଭ କରି ଦେଉଛନ୍ତି।୨୦୨୦ ଅଗଷ୍ଟ ୧୪ ତାରିଖରେ ଜଳେଶ୍ଵରର ପୂର୍ବତନ ଥାନା ଅଧିକାରୀ ଧନେଶ୍ଵର ସାହୁଙ୍କ ସହ ଜନୈକ ବ୍ରାଉନ ସୁଗର ବେପାରୀଙ୍କ ସହ ଡିଲ୍‌କୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା । ଘଟଣାର ତଦନ୍ତ କରି ଅଗଷ୍ଟ ୧୫ ତାରିଖରେ ଡିଜିପି ତାଙ୍କୁ ନିଲମ୍ବିତ କରିଥିଲେ ।

ଏକଦା ସମଗ୍ର ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଏକ ନମ୍ବର ଓ ଶାନ୍ତିପ୍ରିୟ ଜିଲ୍ଲା ଭାବେ ବାଲେଶ୍ଵର ଜିଲ୍ଲା ପରିଗଣିତ ହେଉଥିଲା । ଏବେ କିନ୍ତୁ ଏହି ଧଳା ଜହର ଜିଲ୍ଲାର ସୁନାମରେ କଳା ଦାଗ ଆଣି ଦେଇଛି । ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଏ ନେଇ ଜଳେଶ୍ଵର ଥାନାଧିକାରୀଙ୍କୁ ପଚାରିଥିଲୁ । ସେ କହିଲେ, ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଜାତୀୟ ରାଜପଥରେ ପ୍ରତିଦିନ ହଜାର ହଜାର ଗାଡି ଲକ୍ଷ୍ମଣନାଥ ଟୋଲଗେଟ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରୁଛି । ବେପାରୀମାନେ ବିଭିନ୍ନ ଗାଡି ଜରିଆରେ ଜଳେଶ୍ଵରରେ ବ୍ରାଉନ ସୁଗର ଅତି ସହଜରେ ପହଞ୍ଚାଉଛନ୍ତି। ତେବେ ବ୍ରାଉନସୁଗାର ବେପାରର ମୂଳୋତ୍ପାଟନ ପାଇଁ ଜଳେଶ୍ଵର ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି ଏବଂ ସେ ଏଥିରେ ସାଧାରଣ ଲୋକଙ୍କ ସହାୟତା ଲୋଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.