Below header

ପାଣି ଭିତରେ ସବୁଠୁ ଅଧିକ ପଜଲ ସମାଧାନ କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ କଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ

ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ଯେକୌଣସି ବଡ଼ରୁ ବଡ଼ କାମକୁ ମଧ୍ୟ ଚୁଟ୍‌କିରେ କରିଦେଇପାରେ। ଅଦମ୍ୟ ଇଚ୍ଛା ଓ ଦୃଢ଼ ମନୋବଳ ସବୁ ସଫଳତାକୁ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହାର ହଜାର ହଜାର ନମୁନା ଆମେ ପୂର୍ବରୁ ଦେଖିଆସିଛେ। ତେବେ ଏବେ ପୁଣିଥରେ ସେଭଳି ଏକ ଅସାଧାରଣ କାମ କରି ଦେଖାଇଛନ୍ତି ଜଣେ ୨୫ ବର୍ଷୀୟ ଯୁବକ, ଯାହା କରିବାକୁ କେହି ସ୍ୱପ୍ନରେ ବି ଚିନ୍ତା କରିନଥିବେ।

ସାଧାରଣତଃ ରୁବିକ୍‌ ପଜଲ ଗେମ୍‌ ସମାଧାନ କରିବା ଖୁବ୍‌ କଷ୍ଟକର ହୋଇଥାଏ। ଏହାକୁ ସମାଧାନ କରିବା ପାଇଁ ଘଣ୍ଟା ଘଣ୍ଟା ଲାଗେ। ମାତ୍ର ୨୫ ବର୍ଷୀୟ ଇଲୟାରାମ ସେକର ମାତ୍ର କିଛି ସମୟ ଭିତରେ ୬ ୬ଟି କ୍ୟୁବିକ୍‌ ପଜଲକୁ ସମାଧାନ କରିଛନ୍ତି। ସେ ପୁଣି ପାଣି ଭିତରେ। ଗୋଟେ ନିଃଶ୍ୱାସରେ ପାଣି ଭିତରେ ସବୁଠୁ ଅଧିକ ରୁବିକ୍‌ ପଜଲ ସମାଧାନ କରିବାରେ ସକ୍ଷମ ହୋଇଛନ୍ତି ସେକର। ଏହି ସଫଳତା ପରେ ସେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡକୁ ନିଜ ନାଁରେ କରିଛନ୍ତି।

Video Courtesy: ANI

୨୦୧୪ ମସିହାରେ ସେକର ୫ଟି ରୁବିକ କ୍ୟୁବ ପଜଲକୁ ପାଣି ଭିତରେ ସମାଧାନ କରିବାରେ ସଫଳ ହୋଇଥିବା ବେଳେ ଚଳିତଥର ପୂର୍ବ ତୁଳନାରେ ୨.୧୭ ମିନିଟ୍‌ରେ ୬ଟି ରୁବିକ୍‌ ପଜଲକୁ ସମାଧାନ କରିଛନ୍ତି। ଏହି ସଫଳତା ଲାଭ କରିବା ପରେ ସେକର କହିଛନ୍ତି ଯେ ୬ ବର୍ଷ ପରେ ସେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ଭାଙ୍ଗିଛନ୍ତି। ସମଗ୍ର ଏସିଆରେ ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ଏଭଳି ଅଣ୍ଡରଓ୍ଵାଟର କ୍ୟୁବିକ୍‌ ପଜଲ ସମାଧାନ କରିଛନ୍ତି। ବର୍ତ୍ତମାନ ସେକର ଏକ ସ୍କୁଲରେ କାମ କରୁଛନ୍ତି। ସେ ନିଜ ଛାତ୍ରଙ୍କୁ ମଧ୍ୟ ପଜଲ ସମାଧାନ କରିବା ଦିଗରେ ପ୍ରୋତ୍ସାହିତ କରୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.