Below header

ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ଚିନୁ କିନ୍ନର, ଭିକ ମାଗି କରୁଛନ୍ତି ସମାଜ ସେବା

ଆଜିର ସମାଜରେ ଜଣେ କିନ୍ନର ଜୀବନ ଧାରଣ କରିବା ଅନେକ ଯନ୍ତ୍ରଣା ଦାୟକ। ହେଲେ ଏହି କିନ୍ନର ମାନଙ୍କ ମଧ୍ୟରେ ଭିକ୍ଷାବୃତି କରି ସମାଜ ସେବା କରୁଥିବା ଜଣେ କିନ୍ନର ହେଲେ କାକଟପୁର ଅଞ୍ଚଳର ପାଟସୁନ୍ଦରପୁର ଗ୍ରାମର ଚିନୁ ମିଶ୍ର ଓରଫ ଚିନୁ କିନ୍ନର ।

କାକଟପୁର(କେନ୍ୟୁଜ): କିନ୍ନର । ଯେଉଁ ମାନଙ୍କୁ ଆମ ସମାଜର ମଣିଷ ମାନେ ଦେଖିଲେ ନାକ ଟେକିଥାନ୍ତି, ତାଙ୍କୁ ଦେଖିଲେ ଆଡେଇ ହୋଇଯାଇଥାନ୍ତି ଏବଂ ଥଟା ପରିହାସ କରିଥାନ୍ତି। ଏମାନଙ୍କୁ ସାଧାରଣ ମଣିଷ ଭାବରେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ସେଥିପାଇଁ ଏହି କିନ୍ନର ମାନେ ନିଜର ଜୀବନ ପ୍ରତିପୋଷଣ ପାଇଁ ବସ ,ଟ୍ରେନ ,ବିଭିନ୍ନ ଛକ ବଜାରରେ ବୁଲି ବୁଲି ଭିକ୍ଷାବୃତି କରିଥାନ୍ତି । ଏହି ଭିକ୍ଷା ବୃତି କରି ସେମାନଙ୍କ ଜୀବନ ଅତିବାହିତ କରିଥାନ୍ତି । ଏମାନଙ୍କୁ ଭିକ୍ଷା ଦେବାପାଇଁ ଲୋକମାନେ ନାକ ଟେକିଥାନ୍ତି ଏବଂ ଏମାନଙ୍କୁ ଦେଖିଲେ ଲୋକେ ବାଟ ଭାଙ୍ଗି ଚାଲିଯାନ୍ତି।

ଆଜିର ସମାଜରେ ଜଣେ କିନ୍ନର ଜୀବନ ଧାରଣ କରିବା ଅନେକ ଯନ୍ତ୍ରଣା ଦାୟକ। ହେଲେ ଏହି କିନ୍ନର ମାନଙ୍କ ମଧ୍ୟରେ ଭିକ୍ଷାବୃତି କରି ସମାଜ ସେବା କରୁଥିବା ଜଣେ କିନ୍ନର ହେଲେ କାକଟପୁର ଅଞ୍ଚଳର ପାଟସୁନ୍ଦରପୁର ଗ୍ରାମର ଚିନୁ ମିଶ୍ର ଓରଫ ଚିନୁ କିନ୍ନର । ଚିନୁ କିନ୍ନରଙ୍କ ଜୀବନ କାହାଣୀ ବେଶ ଯନ୍ତ୍ରଣା ଦାୟକ। ଚିନୁ ଯେତେବେଳେ ଜନ୍ମ ହେଲେ ସେତେବେଳେ ପରିବାର ରେ ତାଙ୍କ ବାପା ମା ବେଶ ଖୁସି ହୋଇ ପଡ଼ିଥିଲେ । ବଂଶରେ ଗୋଟେ ପୁଅ ଜନ୍ମ ନେଇଥିବା ଜାଣି ପିତା ମାତା ସମେତ ସାହି ପଡିଶା ମାନେ ଖୁସି ହୋଇ ଯାଇଥିଲେ। ଖୁବ କମ୍ ବୟସ ରୁ ମାଙ୍କୁ ହରାଇଲେ ଚିନୁ ,ଏହାରି ଭିତରେ ଚିନୁଙ୍କୁ ଯେତେବେଳେ ୧୨ ବର୍ଷ ହେଲା ତାଙ୍କର ଚାଲି ଚଳଣି ରେ କିଛି ଫରକ ଦେଖାଦେଇଥିଲା ଏବଂ ସେ ଜଣେ କିନ୍ନର ବୋଲି ସମସ୍ତେ ଜାଣିପାରିଥିଲେ।

ଏକଥା ଜାଣିବା ପରେ ଗାଁ ଲୋକଙ୍କ ଟାହି ଟାପରା ଆରମ୍ଭ ହୋଇଯାଇଥିଲା ଚିନୁଙ୍କ ଉପରେ। ଏହା ଦେଖି ପରିବାର ଲୋକ ମାନେ ତାଙ୍କୁ ଘରୁ ନେଇ ପୁରୀର ଗୋବର୍ଦ୍ଧନ ମଠରେ ଛାଡିଦେଇ ଆସିଲେ। ସେହିଠାରୁ ଆରମ୍ଭ ହୋଇଯାଇଥିଲା ଚିନୁଙ୍କ ଜୀବନ ଯନ୍ତ୍ରଣା । ମଠ ପରିସରରେ ଚିନୁ ଆରମ୍ଭ କରିଥିଲେ ସଂଘର୍ଷମୟ ଜୀବନ । ଦିନକୁ ଦୁଇ ମୁଠା ଖାଇବା ପାଇଁ ତାଙ୍କୁ ଗୁହାଳ ସଫା କରିବା ସହ କୋଇଲା ଗୁଲି ତିଆରି କରିବାକୁ ପଡୁଥିଲା । ଏମିତି କିଛିଦିନ ଅତିବାହିତ କରିବା ପରେ କୋମଳ ବୟସରେ କଷ୍ଟ ଆଉ ସହି ନ ପାରି ଦିନେ ମଠ ଛାଡି ଦେଇ ମଠରୁ ଲୁଚି ଚାଲିଗଲେ ଚିନୁ ।ଏମି ତି ବୁଲୁ ବୁଲୁ ଗୋଟିଏ ସ୍ଥାନରେ ଏକ ଯାତ୍ରାପାର୍ଟି ପଡିଥିବା ବେଳେ ସେଠାରେ ଯାଇ କଥା ହୋଇ ସେହି ଯାତ୍ରାପାର୍ଟିରେ ରହିଗଲେ ଏବଂ ଆସ୍ତେ ଆସ୍ତେ ନୃତ୍ୟ ଏବଂ ଅଭିନୟ କରିବା ଆରମ୍ଭ କଲେ ।

kinner

ଯାତ୍ରା ପାର୍ଟିରେ କିଛି ବର୍ଷ ଅଭିନୟ କରିବା ପରେ ଆରମ୍ଭ ହୋଇଥିଲା କରୋନା ମହାମାରୀ । କରୋନା ମହାମାରୀରେ ସମସ୍ତ ଯାତ୍ରାପାର୍ଟି ବନ୍ଦ ହୋଇ ଯାଇଥିଲା ଏବଂ ଚିନୁଙ୍କ ରୋଜଗାର ମଧ୍ୟ ବନ୍ଦ ହୋଇଯାଇଥିଲା । ପାଖରେ ଯାହା କିଛି ସଞ୍ଚୟ ଅର୍ଥ ଥିଲା ସବୁ ସରିଗଲା। ଜୀବନ ଧାରଣ କରିବାପାଇଁ ଶେଷରେ ସେ ଟ୍ରେନରେ ସାଥି କିନ୍ନର ମାନଙ୍କ ସହିତ ଯାଇ ଭିକ୍ଷା ମାଗିଲେ ଏବଂ କିଛି ଟଙ୍କା ରୋଜଗାର କରି ନିଜ ପେଟ ପୋଷିଲେ । ହେଲେ ଏହି ସମୟରେ ଜନ୍ମ ମାଟି ନିଜର ଗାଁ କୁ ବୁଲି ଯିବାପାଇଁ ଆସିଲେ ଏବଂ ସେଠାରେ ନିଜର ଜନ୍ମିତ ବାପା ଙ୍କୁ ବୃଦ୍ଧ ଅସହାୟ ଅବସ୍ଥାରେ ଦେଖିବାକୁ ପାଇଲେ। ନିଜର ବାପାଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ଭୁବନେଶ୍ବର ନେଇ ଚିକିତ୍ସା କରାଇଲେ ଏବଂ ସୁସ୍ଥ କରାଇ ଗାଁ କୁ ଫେରାଇ ଆଣିଲେ ଏବଂ ନିଜ ଅସହାୟ ପିତାଙ୍କ ସେବା କଲେ। କିଛିଦିନ ପରେ ବାପାଙ୍କର ଦେହାନ୍ତ ହେଲା ,ଏହାପରେ ପୂର୍ବପରି ସମ୍ପୂର୍ଣ ଏକା ହୋଇଯାଇଥିଲେ ଚିନୁ ।

ନିଜ ବାପାଙ୍କ ଅସହାୟ ଏବଂ ବୃଦ୍ଧ ସମୟର ଯନ୍ତ୍ରଣା ଚିନୁଙ୍କୁ ବିଚଳିତ କରିଥିଲା ,କିନ୍ନର ଚିନୁ ଏହି ଠାରୁ ମନସ୍ତ କଲେ ଯେ ସମାଜରେ ରହିଥିବା ଅସହାୟ ବୁଢା ବୁଢୀ ମାନଙ୍କର ସେବା କରିବେ ବୋଲି । ଫେରିଗଲେ ସେହି ଅତୀତର ଭିକ୍ଷାବୃତିକୁ ,ଭିକ୍ଷାବୃତି କରି ଯାହା କିଛି ଅର୍ଥ ମିଳିଲା ସେହି ଅର୍ଥରେ ନିଜ ଗାଁର ସମ୍ପତିରେ ଆରମ୍ଭ କଲେ ଏକ ମନ୍ଦିର। ଯେଉଁଠି ଦେବତାଙ୍କ ସହିତ ଚଳନ୍ତି ଠାକୁର ମାନଙ୍କର ଆରମ୍ଭ ହେଲା ସେବାପୂଜା । ଏହି ମନ୍ଦିର ଆକୃତି ଗୃହରେ ଅସହାୟ ବୃଦ୍ଧ ବୃଦ୍ଧା ମାନେ ଯେଉଁମାନଙ୍କୁ ନିଜର ପିଲାମାନେ ଘରୁ ବାହାର କରିଦେଇ ପର କରିଦେଇଛନ୍ତି ସେହି ଅସହାୟ ବାପ ମା ଙ୍କ ସାହାରା ପାଲଟିଛନ୍ତି ଚିନୁ କିନ୍ନର। ଖାଲି ବୃଦ୍ଧ ବୃଦ୍ଧା ନୁହନ୍ତି ଗରିବ ଅସହାୟ ପିଲା ମାନଙ୍କୁ ମଧ୍ୟ ଆପଣାଇ ନେଇଛନ୍ତି ଏହି କିନ୍ନର ମା ଜଣକ। ଯାହା ଆଜିର ସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଚିନୁ କିନ୍ନର |

ସମାଜ ସେବା ସହିତ ଓଡିଆ ପରମ୍ପରା ଏବଂ ଈଶ୍ବର ବିଶ୍ବାସ କୁ ଅନେକ ପ୍ରାଧାନ୍ୟ ଦେଇଥାନ୍ତି ଚି ନୁ। ତାଙ୍କର ଦୈନିକ ଜୀବନ ଚଜ୍ୟା ଆରମ୍ଭ ହୋଇଥାଏ ଠାକୁର ପୂଜାରୁ। ସକାଳୁ ଉଠି ପ୍ରଥମେ ନିଜର ନିତ୍ୟକ୍ରମ ସାରି ଠାକୁର ଘରେ ଆରମ୍ଭ କରିଥାନ୍ତି ଠାକୁର ପୂଜା। ଏହାପରେ ବୃଦ୍ଧାଶ୍ରମ ରେ ରହୁଥିବା ବୁଢା ବୁଢୀ ମାନଙ୍କୁ ଉଠାଇ ସେମାନଙ୍କ ଦେହରେ ତେଲ ମାଲିଶ କରିଥାନ୍ତି ଜଣ ଜଣ କରି। ତା ପରେ ସେମାନଙ୍କୁ ଗାଧୋଇ ଦେଇ ଥାନ୍ତି। ନିତ୍ୟକ୍ରମ ସରିବା ପରେ ସେମାନଙ୍କୁ ଖାଇବାକୁ ପରସି ଦେଇଥାନ୍ତି । ସେହି ଭଳି ଅସହାୟ ପିଲାମାନଙ୍କୁ ନିଜ ମା ପରି ଗାଧୋଇ ଦେଇ ନିଜ ହାତରେ ଖୁଆଇ ଦେଇଥାନ୍ତି। ଖାଇବା ସହିତ ସେମାନଙ୍କୁ ପ୍ୟାଣ୍ଟ ଶାର୍ଟ ପିନ୍ଧାଇ ସ୍କୁଲ କୁ ପଠାଇ ଥାନ୍ତି ।

ସକାଳ ର ଏହି ସବୁ କାର୍ଯ ସରିବା ପରେ ବାହାରି ଯାନ୍ତି ନିଜର ଭିକ୍ଷାବୃତି କରିବାକୁ ବିଭିନ୍ନ ବସ ଷ୍ଟାଣ୍ଡ କୁ। ସେଠାରେ ବସ ଭିତରେ ଏବଂ ବସ ଷ୍ଟାଣ୍ଡ ରେ କିନ୍ନର ଢଙ୍ଗରେ ଲୋକମାନଙ୍କୁ ଭିକ୍ଷା ମାଗିଥାନ୍ତି । ଯାହା କିଛି ଭିକ୍ଷାବୃତିରୁ ରୋଜଗାର ହୁଏ ସେହି ଅର୍ଥ ରେ ସେବା କରନ୍ତି ଅସହାୟ ବୁଢା ବୁଢୀ ଙ୍କ ସହ ଅସହାୟ ପିଲା ମାନଙ୍କର। ଭିକ୍ଷା ବୃତିରୁ ଫେରିବା ପରେ ଘରେ ପହଞ୍ଚି ପୁଣି ଆରମ୍ଭ କରନ୍ତି ଅସହାୟ ମଣିଷ ମାନଙ୍କ ସେବା। ରାତିହେଲେ ବୃଦ୍ଧ ବୃଦ୍ଧା ମାନଙ୍କୁ ସେବା କରିବା ଆରମ୍ଭ ହୋଇଥାଏ ,ସେମାନଙ୍କୁ ଘଷା ମାଲିସ କରିବା ସହିତ ଛୋଟ ପିଲା ମାନଙ୍କୁ କୋଳରେ ଧରି ସୁଆଇ ଦେଇଥାନ୍ତି ଚିନୁ କିନ୍ନର।

ଚିନୁ କିନ୍ନରଙ୍କ ନିକଟରେ ରହୁଥିବା ଅନ୍ତେବାସୀ ମାନେ ଚିନୁଙ୍କ ସେବାରେ ବେଶ ଖୁସିରେ ଅଛନ୍ତି, ନିଜ ଲୋକମାନଙ୍କ ପାଖରୁ ସେବା ନ ପାଇ ଘରୁ ବାହାରି ଆସି ଚିନୁଙ୍କ ପାଖରେ ଆଶ୍ରୟ ନେବା ପରେ ଠିକ ସମୟରେ ଖାଇବା ପିଇବା ସହିତ ଆଦର ଯତ୍ନ ସେମାନଙ୍କ ଆତ୍ମୀୟ ସ୍ଵଜନଙ୍କୁ ଭୁଲାଇ ଦେଇଛି । ଆଜିର ସମାଜରେ ଅନେକ ନିଜ ନିଜର ସ୍ବାର୍ଥ ପାଇଁ ଅର୍ଥ ରୋଜଗାର କରି ଅୟସ ଆରମ କରୁଥିଲା ବେଳେ ଚିନୁ ଭଳି ଜଣେ କିନ୍ନର ଭିକ୍ଷାବୃତି କରି ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଅସହାୟ ପିଲା ମାନଙ୍କର ସେବା କରିବା ନିଶ୍ଚିନ୍ତ ଭାବରେ ଏକ ମହାନ କାର୍ଯ୍ୟ । ଚିନୁ କିନ୍ନ ଙ୍କ ଏହି ଭଳି ସେବା ପାଇଁ ଅନେକ ପ୍ରସଂଶା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.