ଏଠି ବାଲ୍ୟ ରୂପରେ ପୂଜା ପାଉଛନ୍ତି ପ୍ରଭୁ ଜଗନ୍ନାଥ, ଅନେକ କିମ୍ବଦନ୍ତୀର ଗନ୍ତାଘର ଦଧିବାମନ ମନ୍ଦିର

ରାଜ୍ୟର ସୀମାନ୍ତ ଅଞ୍ଚଳ ବରଗଡ଼ ଜିଲ୍ଲା ଭଟଲି। ଏଇଠି ରହିଛି ବିଖ୍ୟାତ ଦଧିବାମନ ମନ୍ଦିର। କୁହାଯାଏ ଭକ୍ତର ଇଚ୍ଛା ପୂର୍ଣ୍ଣ କରିବାକୁ ଅନେକ ରୂପ ନେଇଛନ୍ତି ମହାପ୍ରଭୁ। ଏଠି ସେହି ଭକ୍ତର ଇଚ୍ଛାରେ ବାଲ୍ୟ ରୂପରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଜଗନ୍ନାଥ। ଭକ୍ତ ପରମାନନ୍ଦ ସାହୁଙ୍କ ଭକ୍ତିରେ ପ୍ରୀତ ହୋଇ ପ୍ରଭୁ ଏଠାରେ ଆବିର୍ଭୂତ ହୋଇଥିବା କୁହାଯାଏ। ଆସନ୍ତୁ ଜାଣିବା ଏହି ମନ୍ଦିରର କିମ୍ବଦନ୍ତୀ ଓ ରୀତିନୀତି ବିଷୟ…

ଲୋକ କଥା ଅନୁସାରେ, ଭକ୍ତ ପରମାନନ୍ଦଙ୍କ ବୋହୂ କମଳାଙ୍କର ଅନନ୍ୟ ଭକ୍ତିରେ ପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ଵଦେହରେ ଲୀନ କରାଇଥିଲେ। ବୈଶାଖର ମଧ୍ୟାହ୍ନ ଖରାରେ ମନ୍ଦିର ପୋଡିବାର ଭ୍ରମ ସୃଷ୍ଟି କରି କମଳାଙ୍କୁ ବିଗ୍ରହ ଉଦ୍ଧାର କରିବା ବାହାନାରେ ନିଜ ସହିତ ଏକାକାର କରି ମୁକ୍ତି ପ୍ରଦାନ କରିଥିଲେ। କମଳାଙ୍କ ପରେ ଶ୍ୱଶୁର ପରମାନନ୍ଦଙ୍କୁ ସ୍ଵପ୍ନାଦେଶ ଦେଇ ଚକ୍ର ପୁଷ୍କରିଣୀରୁ ପ୍ରଭୁ ସ୍ଵୟଂ ଆବିର୍ଭୂତ ହୋଇଥିଲେ। ଏହି ଚକ୍ର ପୁଷ୍କରିଣୀରେ ଏବେବି ପ୍ରଭୁଙ୍କ ଚରଣ ପାଦୁକା ଚିହ୍ନ ରହିଛି। ପୁଷ୍କରିଣୀରୁ ଆବିର୍ଭାବ ହେଲା ଦିନ ଠାରୁ ପ୍ରଭୁ ଭଟଲିରେ ଦଧିବାମନ ରୂପରେ ପୂଜା ପାଉଛନ୍ତି। ଆଉ ଭକ୍ତ ଶିରୋମଣି କମଳାଙ୍କୁ ସତିହାରୀ ଭାବରେ ସାଥୀରେ ଧରି ଲୀଳା କରୁଛନ୍ତି।

dadhibaman

ଏହି ପୀଠର ନିଆରା ପରମ୍ପରା ହେଉଛି, ପ୍ରଭୁ ଏଠି ଦଧିବାମନ ରୂପରେ ବାଳ ଭୋଗରେ ସନ୍ତୁଷ୍ଟ ହୋଇ ବାତ୍ସଲ୍ୟ ଲୀଳା ପ୍ରଦର୍ଶନ କରୁଛନ୍ତି। ପଶ୍ଚିମ ଓଡ଼ିଶା ତଥା ଛତିଶଗଡର ଭକ୍ତମାନଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ପାଲଟିଛି ଏହି ଦଧିବାମନ ପୀଠ। ଏବେ ଏହି ପୀଠର ଅଧିକ ପ୍ରଚାର ପ୍ରସାର ଓ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ପୀଠରେ ବେସରକାରୀ ସ୍ତରରେ ତାଳପତ୍ର ପୋଥି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି, ଯେଉଁଠି ରହିଛି ଅନେକ ବିରଳ ପୋଥି । ଏହି ସବୁ ପୋଥିରେ ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ। ୧୬୧୭ ଖ୍ରୀଷ୍ଟାବ୍ଦରୁ ଦଧିବାମଙ୍କର ଲୀଳା ଭଟଲିରେ ପ୍ରକଟିତ ହୋଇଥିବା ବେଳେ ସେହି ଦିନଠାରୁ ମହାପ୍ରଭୁଙ୍କ ରୀତିନୀତି ସୂଚାରୁ ରୂପେ ଚାଲିଆସିଛି ।

dadhibaman2

ଏହି ଦଧିବାମନ ମନ୍ଦିରର ଆଉ ଏକ ଅନନ୍ୟ କଥା ହେଉଛି ସବୁଠାରେ ଜଗନ୍ନାଥଙ୍କ କାଷ୍ଠ ବିଗ୍ରହ ରହିଥିବା ବେଳେ ଭଟଲି କ୍ଷେତ୍ରରେ ମହାପ୍ରଭୁଙ୍କର ରହିଛି ମଣି ବିଗ୍ରହ। ସେଥିପାଇଁ ଶ୍ରୀକ୍ଷେତ୍ର କିମ୍ବା ଅନ୍ୟ ସ୍ଥାନ ଭଳି ଏଠାରେ ନବକଳେବର ହୁଏ ନାହିଁ। କାରଣ ତାଙ୍କର ଏହି ବିଗ୍ରହ କେଉଁ ଉପାଦାନରେ ଗଢା ତାହା ଆଜି ବି ରହସ୍ୟାବୃତ୍ତ। ସତରେ ସେ ଲୀଳାମୟଙ୍କର କେତେ କଣ ଲୀଳା କ୍ଷେତ୍ର ରହିଛି । ଆଉ ସବୁ ଜାଗାରେ ରହିଛି ଅନେକ ରହସ୍ୟ। ଯାହା ଏଇ ସାଧାରଣ ମଣିଷ ପକ୍ଷେ ଜାଣିବା ଅସମ୍ଭବ । ହେଲେ ଏତିକି କହି ହେବ ଭକ୍ତି ଯେଉଁଠି ସେଠି ଏକାକାର ହୁଅନ୍ତି ଭକ୍ତ ଓ ଭଗବାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.