ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ନାଜି ଏକଛତ୍ରବାଦୀ ଶାସକ ଅଡୋଲ୍ଫ ହିଟଲର ନିଜକୁ ଗୁଳି କରିଦେଇଥିଲେ। ହିଟଲରଙ୍କ ସହ ଅନେକ ନାଜି ନେତା ମଧ୍ୟ ଆତ୍ମହତ୍ୟା କରିଥିଲେ। ୩୦ ଏପ୍ରିଲ ୧୯୪୫ରେ ହିଟଲରଙ୍କ ଆତ୍ମହତ୍ୟା ପରେ ନାଜି ଜର୍ମାନୀ ଆତ୍ମସମର୍ପଣ କରିଥିଲା ଏବଂ ଏହାପରେ ଦେଶରେ ଏକ ଅଦ୍ଭୁତ ପରିସ୍ଥିତି ସ୍ଷ୍ଟି ହୋଇଥିଲା। ହଜାର ହଜାର ଜର୍ମାନୀ ପୁରୁଷ, ମହିଳା ଓ ଶିଶୁ ଆତ୍ମହତ୍ୟା କରିଥିଲେ, ଯାହାକି ‘ସାମୂହିକ ଆତ୍ମହତ୍ୟା ପ୍ରବାହ’ ନାଁରେ ଜଣାଶୁଣା।
ଏହି ସାମୂହିକ ଆତ୍ମହତ୍ୟା ପ୍ରବାହ ବିଷୟରେ ଲେଖିବା ଓ ଜଣାଇବା ପାଇଁ ଅନେକ ଖବର ସଂସ୍ଥା ଉତ୍ସାହୀ ଥିଲେ। କିନ୍ତୁ ଯେତେବେଳେ ୨୦୧୫ରେ ଏକ ଜର୍ମାନ ପୁସ୍ତକ ଏହି ବିଷୟରେ ଛାପିଲା, ସେତେବେଳେ ପୁସ୍ତକଟି ବେଷ୍ଟ ସେଲର ହୋଇଗଲା। ଐତିହାସିକ ଫ୍ଲାରିୟନ ହୁବରଙ୍କ ଦ୍ବାରା ଲିଖିତ ଏହି ପୁସ୍ତକ ଇଂଲିଶରେ ପ୍ରକାଶିତ ହୋଇଛି, ଯାହାର ଟାଇଟାଲ ରହିଛି ‘Promise Me You Will Shoot Yourself’. ଏଥିରେ ପୂରା ଘଟଣାର ଅନେକ ଚାଞ୍ଚଲ୍ୟକର ପ୍ରସଙ୍ଗ ଖୁଲାସା କରାଯାଇଛି।
ଜର୍ମାନୀର ସବୁଠାରୁ ବଡ଼ ଆତ୍ମହତ୍ୟା ଘଟଣା
‘Promise Me You Will Shoot Yourself’ ପୁସ୍ତକରେ ଉଲ୍ଲେଖ ରହିଛି ଯେ ଉତ୍ତର-ପୂର୍ବ ଜର୍ମାନୀର ଡେମେନ୍ ସହରରେ ପାଖାପାଖି ୧ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଥିଲେ। ଆଉ ବିଡ଼ମ୍ବନାର ବିଷୟ ଏହା ଯେ ଏଠାକାର ଲୋକସଂଖ୍ୟା ଥିଲା ମାତ୍ର ୧୫ ହଜାର। ଏହି ଆତ୍ମହତ୍ୟାରେ ଶିଶୁମାନେ ମଧ୍ୟ ସାମିଲ ଥିଲେ। କେତେକ କ୍ଷେତ୍ରରେ ଅଭିଭାବକମାନେ ସେମାନଙ୍କୁ ପ୍ରବର୍ତ୍ତାଇଥିଲେ, ତ ଆଉ କେତେକ କ୍ଷେତ୍ରରେ ଶିଶୁମାନେ ଅଭିଭାବକମାନଙ୍କ ଦ୍ବାରା ହତ୍ୟାର ଶିକାର ହୋଇଥିଲେ।
ପୁସ୍ତକର ଲେଖକ ହୁବର ଏକ ସାକ୍ଷାତକାରରେ ଘଟଣାର ଖୁଲାସା କରି କହିଥିଲେ ଜର୍ମାନୀର ଶତ୍ରୁ ଦେଶ କହିଲେ ସେତେବେଳେ ସୋଭିଏତ୍ ୟୁନିୟନକୁ ବୁଝାଯାଉଥିଲା, ଯେଉଁଠି ସାମ୍ପ୍ରଦାୟିକତା ଚରମ ସୀମାରେ ରହିଥିଲା। ସୋଭିଏତ୍ ସେନାକୁ ଲାଲ୍ ସେନା କୁହାଯାଉଥିଲା। ହିଟଲରଙ୍କ ପତନ ପରେ ଜର୍ମାନୀ ଦେଶବାସୀଙ୍କ ମଧ୍ୟରେ ଏକ ଡର ଖେଳିଯାଇଥିଲା ଯେ ଲାଲ୍ ସେନା ସେମାନଙ୍କ ସହିତ ବଳାତ୍କାର, ହତ୍ୟା କିମ୍ବା କିଛି ଘ୍ଣ୍ୟ ଅତ୍ୟାଚାର କରିବେ। ଏହି କାରଣରୁ ଲୋକେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ। ଲାଲ୍ ସେନାଠାରୁ ବର୍ତ୍ତିବା ପାଇଁ ଏହା ହିଁ ଏକମାତ୍ର ରାସ୍ତା ଥିଲା ବୋଲି ସେମାନେ ଭାବିନେଇଥିଲେ।
ଆତ୍ମହତ୍ୟା କରିବା ତରିକା ମଧ୍ୟରୁ ପାଣିରେ ବୁଡ଼ି ମାରିବା, ନିଜକୁ ଗୁଳି କରିବା, ବେକରେ ଫାଶୀ ଦେଇ ଝୁଲିପଡ଼ିବା ଓ ବିଷ ଖାଇ ଜୀବନ ହାରିବା ମାମଲା ଅଧିକ ଦେଖିବାକୁ ମିଳିଥିଲା।
ଏହାସହ ଆଉ ମଧ୍ୟ ପଢ଼ନ୍ତୁ : ୧୩୦୦ ବର୍ଷ ହେବ ଏଠାକାର ଲୋକେ ମାଟି ଉପରେ ଗୋଡ଼ ରଖି ନାହାନ୍ତି, ଜାଣନ୍ତୁ କେଉଁଠାରେ ରହିଛି ଏଭଳି ପରମ୍ପରା
ପୁସ୍ତକରେ ଆଉ ମଧ୍ୟ ଉଲ୍ଲେଖ ଥିଲା ଯେ ଏହା ଏକ ଅକୁହା ଓ ଅଶୁଣା କାହାଣୀ। ଗାର୍ଜିୟନ ନାମକ ଇଂଲିଶ ଗଣମାଧ୍ୟମର କହିବାନୁସାରେ, ଏହି ଘଟଣା ଉପରେ ୨୦୦୯ରେ ୟୁରୋପୀୟ ଐତିହାସିକ ଖ୍ରୀଷ୍ଟିୟନ ଗୋସେଲ ମଧ୍ୟ ଏକ ପୁସ୍ତକ ଲେଖିଥିଲେ। କିନ୍ତୁ ହୁବରଙ୍କ କହିବା କଥା ହେଲା, ଯେତେବେଳେ ତାଙ୍କ ପୁସ୍ତକ ପ୍ରକାଶ ପାଇଥିଲା, ସେତେବେଳେ ଜର୍ମାନୀରେ ଏହି ବିଷୟ ଉପରେ ଆଲୋଚନା କରିବା ଏକପ୍ରକାର ନିଷେଧ ଥିଲା। ଏପରି କି, ଏହାକୁ ଅଭିଶପ୍ତ ବୋଲି ଧରାଯାଉଥିଲା।
ଏହାର କାରଣ କହିବାକୁ ଯାଇ ହୁବର ଲେଖିଥିଲେ ଯେ ସୋଭିଏତ୍ ୟୁନିୟନ ଏହି କଥା ଜର୍ମାନୀରେ ପୂରା ପ୍ରଚାରିତ କରିଦେଇଥିଲା କି ସୋଭିୟତ୍ ବା ଲାଲ୍ ସେନା ବିଷୟରେ କୌଣସି ବି କଥା ଆଲୋଚନା ହେବନି, ଯାହାକି ଅପମାନଜନକ ଥିବ। ଏହି ମେସେଜର ପ୍ରଭାବ ଲମ୍ବା ସମୟ ଧରି ରହିଥିଲା।
ସେତେବେଳେ ହିଟଲରଙ୍କ ଏକଛତ୍ରବାଦ ଶାସନରୁ ଜର୍ମାନୀବାସୀ ନିଜକୁ ମୁକ୍ତ ଅନୁଭବ କରୁଥିଲେ। ହେଲେ କେହି କେହି ଏହା ମଧ୍ୟ ଭାବୁଥିଲେ, ଜଣେ ଏକଛତ୍ରବାଦୀ ଶାସକ ଗଲା ପରେ ଏବେ ଆଉ ଏକ କଷ୍ଟ ଭୋଗିବାକୁ ପଡ଼ିବ। ଆଉ ଏହା ଥିଲା ସାମୂହିକ ଆତ୍ମହତ୍ୟାର ଏକ ପ୍ରମୁଖ କାରଣ।