ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି ସମୟ ସୁଦ୍ଧା ରାଜ୍ୟରେ ୧୦୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିଲେ, କିନ୍ତୁ ଚଳିତ ବର୍ଷ ୨୩୫ ଜଣ ଡେଙ୍ଗୁ ଚିହ୍ନଟ ହେଲେଣି । ବର୍ଷା ଆସିଲେ ଆହୁରି ଅଧିକ ସଂଖ୍ୟକ ଡେଙ୍ଗୁ ଚିହ୍ନଟ ହେବେ । ତେଣୁ ଏବେଠୁ ସଚେତନ ନ ହେଲେ ଆଗକୁ ସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

ସତ କଥାଟା ହେଉଛି କି, ଡେଙ୍ଗୁକୁ ନେଇ ରାଜଧାନୀର ଯେଉଁ ଆଶଙ୍କା ଥିଲା ତାହା ହିଁ ଘଟିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ବାହାରି ଥିବା ବେଳେ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ଡେଙ୍ଗୁ ରେ ଜୀବନ ଯାଇଥିଲା ସେଥିଲାଗି ଲୋକଙ୍କ ମନରେ ଡେଙ୍ଗୁକୁ ନେଇ ଡର ରହୁଛି । ଚଳିତ ଥର ୱାର୍ଡ ନମ୍ବର ୧୩ ଓ ୧୪ରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ଡେଙ୍ଗୁକୁ ନେଇ ସଚେତନତା ସୃଷ୍ଟି କରିବାକୁ ଆଜି ବିଏମସି ପକ୍ଷରୁ ମେୟର ସୁଲୋଚନା ଦାସଙ୍କ ଅଧକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭୁବନେଶ୍ୱରର ଆଶା କର୍ମୀ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତଥିଲେ, କିପରି ଡେଙ୍ଗୁକୁ ରୋକା ଯାଇପାରିବା ଲୋକମାନଙ୍କୁ କିପରି ସଚେତନ କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା । ତା ସହିତ ସହରରେ ଅଧିକ ଡେଙ୍ଗୁ ହେଉଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

ଡେଙ୍ଗୁ ଓ ଚିକେନଗୁନିଆ ଏଡିସ ମଶା କାମୁଡିବା ଦ୍ୱାରା ବ୍ୟାପିଥାଏ ।ଏହି ମଶା ସାଧାରଣତଃ ଦିନ ବେଳା କାମୁଡିଥାଏ,ଏହି ମଶା କଠିନ ପୃଷ୍ଟରେ ଜମୁଥିବା ସ୍ଥିର ପାଣି ଯେପରିକି ଖୋଲା ଥିବା ଟାଙ୍କି ପାଣି, ପାଣି ରଖିବା ଡ୍ରମ, ରୁମ କୁଲର, ବ୍ୟବହୃତ ଟାୟାର, ଫୁଲ କୁଣ୍ଡରେ ଜମୁଥିବା ପାଣି, ଭଙ୍ଗା ବାଲଟି, କଟା ପଇଡ଼, ପ୍ଲାଷ୍ଟିକ ଗ୍ଲାସ କପ ଏହି ସବୁ ସ୍ଥାନରେ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ ।

ତେଣୁ ଏହି ସବୁ ସ୍ଥାନକୁ ସଫା ରହିବା ଓ ଲୋକ ଙ୍କୁ ସଚେତନ କରିବାକୁ ନେଇ ଅଙ୍ଗନବାଡି ଓ ଆଶା କର୍ମୀ ଙ୍କ ସହିତ ଆଲୋଚନା କରାଯାଇଥିଲା । ମୌସୁମୀ ଆସି ନାହିଁ । ଏଯାଏ ବର୍ଷା ପାଣି ନ ଜମିକି ଡେଙ୍ଗୁର ଏତେ ପ୍ରକୋପ । ତେବେ ଏବେଠୁ ସଚେତନ ନହେଲେ ଆଗାମୀ ଦିନରେ ଡେଙ୍ଗୁ ଭୟାଭୟ ପରିସ୍ଥିତି ସୃଷ୍ଟି କରିବ ।

 

Leave A Reply

Your email address will not be published.