ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍ ଉପର ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ପାକିସ୍ତାନର ଏହି ଆତଙ୍କୀଙ୍କୁ ଶେଷ କରିବା ପାଇଁ ଆକ୍ସନ ମୋଡରେ କମ୍ବିଂ ଅପରେସନ କରୁଛି ସୁରକ୍ଷା କର୍ମୀ । ଆକ୍ରମଣ ପର ଆତଙ୍କବାଦୀ ଜଙ୍ଗଲକୁ ଯାଇଥିବା ସୂଚନା ମିଳିଛି । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ନିୟୋଜିତ ହୋଇଛନ୍ତି ।

ରବିବାର ଦିନବୈଷ୍ଣୋ ଦେବୀ ଯାଉଥିବା ତୀର୍ଥଯାତ୍ରୀଙ୍କ ବସ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ବସଟି ବୈଷ୍ଣୋ ଦେବୀ କଟରା ଯାଉଥିବା ବେଳେ ଜଙ୍ଗଲରେ ଲୁଚିଥିବା ଆତଙ୍କବାଦୀ ଆଖିବୁଜା ଗୁଳିଚାଳନା କରିଥିଲେ । ପ୍ରଥମେ ଡ୍ରାଇଭରଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ । ଫଳରେ ବସଟି ଭାରସାମ୍ୟ ହରାଇ ଏକ ଘାଟିରେ ଖସି ପଡ଼ିଥିଲା । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ବର୍ତ୍ତମାନ ସର୍ଚ୍ଚ ଅପରେସନରେ ଘଟଣାସ୍ଥଳରେ ଭାରତୀୟ ଯବାନଙ୍କ ସମେତ, ସିଆରପିଏଫର ଯବାନମାନଙ୍କୁ ନିୟୋଜିତ କରାଯାଇଛି । ଏହାବ୍ୟତୀତ କମାଣ୍ଡୋ ଏବଂ ଡ୍ରୋନ ମଧ୍ୟ ଏଠାରେ ନଜର ରଖିଛନ୍ତି । ଏହି ଘଟଣାର ତଦନ୍ତ ଏନଆଇଏକୁ ଦିଆଯାଇଛି । ସୁରକ୍ଷା ଏଜେନ୍ସୀ ମୁତାବକ, ଆକ୍ରମଣ କରିଥିବା ଆତଙ୍କବାଦୀ ଜଙ୍ଗଲରେ ଲୁଚି ରହିଛନ୍ତି । ଆତଙ୍କବାଦୀ ରାଜୌରୀ ଏବଂ ରିଆସିର ପାହାଡିଆ ଅଞ୍ଚଳରେ ଲୁଚିଥିବା ଆଶଙ୍କା କରାଯାଉଛି । ସର୍ଚ୍ଚ ଅପରେସନକୁ ଅଧିକରୁ ଅଧିକ କଡା କରାଯାଇଛି । ଏହି ଆକ୍ରମଣରେ ଦାୟୀ ଥିବା ଲସ୍କର-ଏ-ତୋଏବାର ୩ ଆତଙ୍କବାଦୀକୁ ଖୋଜୁଛି ସୁରକ୍ଷା ଏଜେନ୍ସୀ ।

ଖବର ମୁତାବକ, ତୀର୍ଥ ଯାତ୍ରୀମାନେ ଶିବଖେଡୀ ଗୁମ୍ଫା ଦର୍ଶନ କରି ବସରେ କଟରା ଫେରୁଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୬.୧୦ ମିନିଟ୍ ସମୟରେ ପୋନି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିଥିଲେ । ବସଟି ନିୟନ୍ତ୍ରଣ ହରାଇ ଘାଟିରେ ଖସି ପଡ଼ିଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନାରାୟଣ ମେଡ଼ିକାଲ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.