ଦେବଉତ୍ଥାନ ଏକାଦଶୀରେ ଏମିତି ବିଧିବିଧାନରେ ବ୍ରତ ପୂଜା କରନ୍ତୁ, ମିଳିବ ହଜାରେ ଅଶ୍ୱମେଧ ଯଜ୍ଞର ଫଳ

ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ବଡ଼ ମହତ୍ତ୍ୱ ରହିଛି । ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ ଏକାଦଶୀ ବ୍ରତ ପଡ଼ିଥାଏ । ଶୁକ୍ଳ ପକ୍ଷରେ ଗୋଟିଏ ଏକାଦଶୀ ଓ କୃଷ୍ଣ ପକ୍ଷରେ ଗୋଟିଏ ଏକାଦଶୀ ପଡ଼ିଥାଏ । କାର୍ତ୍ତିକ ମାସର ଶୁକ୍ଳପକ୍ଷ ଏକାଦଶୀର ବିଶେଷ ମହତ୍ତ୍ୱ ରହିଛି । ଏହି ଏକାଦଶୀକୁ ଦେବଉଠନୀ, ଦେବୋତ୍ଥାନ ଏବଂ ପ୍ରବୋଧିନୀ ଏକାଦଶୀ ମଧ୍ୟ କୁହାଯାଇଥାଏ। ଆସନ୍ତାକାଲି ଦେବଉତ୍ଥାନ ଏକାଦଶୀ। ଏହିଦିନ ଠାରୁ ଆରମ୍ଭ ହେବ ସମସ୍ତ ଶୁଭକାର୍ଯ୍ୟ।
ଦେବଉଠନୀ ଏକାଦଶୀ ବିଷୟରେ କୁହାଯାଇଥାଏ ଯେ, ଭଗବାନ ବିଷ୍ଣୁ ଚାରି ମାସ ଯୋଗ ନିଦ୍ରା ପରେ ଜାଗ୍ରତ ହୋଇଥାନ୍ତି। ଏହି ଏକାଦଶୀ ଦୀପାବଳି ପରେ ପାଳନ କରାଯାଇଥାଏ। ଦେବଉଠନୀ ଏକାଦଶୀରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଜାଗ୍ରତ ହେବା ପରେ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏଥିସହ, ଏହି ଦିନ ତୁଳସୀଙ୍କ ବିବାହ ଶାଳଗ୍ରାମ ସହିତ କରାଯାଇଥାଏ। ସମସ୍ତ ଏକାଦଶୀ ମଧ୍ୟରେ ଦେବଉଠନୀ ଏକାଦଶୀ ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ବୋଲି ମାନ୍ୟତା ରହିଛି। ଏହି ଦିନ ଭଗବାନ ନାରାୟଣ ଜାଗ୍ରତ ହେବା ପରେ ଚତୁର୍ମାସ ବି ଶେଷ ହୋଇଯାଏ । ଏହାପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ପାଞ୍ଜି ଅନୁସାରେ କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଏକାଦଶୀ ତିଥି ୩ ନଭେମ୍ବର ଗୁରୁବାର ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେଉଛି। ଯାହା ୪ ନଭେମ୍ବର ସନ୍ଧ୍ୟା ୬ଟା ୮ ମିନିଟ୍ରେ ସମାପ୍ତ ହେବ।
ଧାର୍ମିକ ମାନ୍ୟତା ଅନୁଯାୟୀ ଦେବଶୟନ ଏକାଦଶୀ ଆରମ୍ଭ ହେବା ପରେ ବିବାହ ଭଳି ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଥାଏ। ପ୍ରଚଳିତ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀହରି ଯୋଗ ନିଦ୍ରାରୁ ଉଠିବା ପରେ ପ୍ରଥମେ ମାତା ତୁଳସୀଙ୍କ ଡାକ ଶୁଣନ୍ତି। ଏହିଦିନ ଶାଳଗ୍ରାମ ସହିତ ତୁଳସୀଙ୍କ ବିବାହ ଯୋଗୁଁ ତୁଳସୀପୂଜାର ମହତ୍ତ୍ୱ ରହିଛି।
ତୁଳସୀ ଏବଂ ଶାଳଗ୍ରାମ ପୂଜା କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ। ଅକାଳ ମୃତ୍ୟୁରୁ ରକ୍ଷା ମଧ୍ୟ କରିଥାଏ।
ଶାଳଗ୍ରାମ ସହିତ ମାତା ତୁଳସୀଙ୍କ ବିବାହ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ।
ମାନ୍ୟତା ଅନୁସାରେ, ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ।
ପ୍ରଚଳିତ ମାନ୍ୟତା ଅନୁସାରେ ବିଧି ବିଧାନ ସହିତ ତୁଳସୀ ବିବାହ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଗି ରହିଥାଏ।
ମହିଳାମାନେ ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ବ୍ରତ ରଖି ପୂଜା କରନ୍ତି।
ଏହି ଦିନ ବ୍ରତ ରଖିବା ଦ୍ୱାରା ଅଶ୍ୱମେଧ ଏବଂ ଶହେଟି ରାଜସୂୟ ଯଜ୍ଞର ଫଳ ମିଳିଥାଏ।
ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଭାଗ୍ୟ ଜାଗ୍ରତ ହୋଇଥାଏ। ଏହିଦିନ ଭଗବାନ ବିଷ୍ଣୁ କିମ୍ବା ନିଜ ଇଷ୍ଟଦେବୀଙ୍କ ଉପାସନା କରିବା ଉଚିତ। ଏହିଦିନ ନମୋଃ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଜପ କରିବା ଫଳରେ ଲାଭ ମିଳିଥାଏ।