ଚେକ୍ଅପ ପାଇଁ ଯାଉଥିଲେ ମହିଳା, ଚଳନ୍ତା ଟ୍ୟାକ୍ସି ଭିତରେ ଜନ୍ମ ହୋଇଗଲା ଛୁଆ…ଗାଡ଼ି ସଫେଇ ପାଇଁ କ୍ୟାବ୍ କମ୍ପାନୀ ଆଦାୟ କଲା ୮,୫୬୮ ଟଙ୍କା

ଜଣେ ମହିଳା ଚଳନ୍ତା ଟ୍ୟାକ୍ସି କାର୍ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏଥିଯୋଗୁ କ୍ୟାବ୍ ମାଲିକ ତାଙ୍କୁ ଅତିରିକ୍ତ ପଇସା ଡିମାଣ୍ଡ କରିଛନ୍ତି। କ୍ୟାବ୍ କମ୍ପାନୀ ଭଡ଼ା ବ୍ୟତୀତ ମହିଳାଙ୍କୁ ୫,୭୧୩ ଟଙ୍କାର ଅତିରିକ୍ତ ବିଲ୍ ଧରାଇ ଦେଇଥିଲେ। ଏହି ବିଲ୍ ତାଙ୍କୁ କାର୍ ସଫେଇ ନାମରେ ଦିଆଯାଇଥିଲା। ଏ ନେଇ ନିଜେ ମହିଳା ନିଜର ଷ୍ଟୋରୀ ସେୟାର କରିଛନ୍ତି। ଘଟଣାଟି ବ୍ରିଟେନର ବୋଲି ଜଣାପଡ଼ିଛି।
ଖବରରୁ ଜଣାପଡ଼ିଛି, ବ୍ରିଟେନରେ ରହୁଥିବା ୨୬ ବର୍ଷୀୟା ଫରାହ କ୍ୟାକେନଡିନ୍ ନିୟମିତ ଚେକ୍ଅପ ପାଇଁ ଟ୍ୟାକ୍ସି ଯୋଗେ ହସ୍ପିଟାଲ ଯାଉଥିଲେ। ସେତେବେଳେ ରାସ୍ତାରେ ହଠାତ୍ ତାଙ୍କୁ ଲେବର ପେନ୍ ଆରମ୍ଭ ହୋଇଯାଇଥିଲା। ଏହାର କିଛି ସମୟ ପରେ ପରାହ ଚଳନ୍ତା ଟ୍ୟାକ୍ସି ଭିତରେ ହିଁ ନିଜ ଶିଶୁକୁ ଜନ୍ମ ଦେଇଥିଲେ।
ଯଦିଓ ଏହା ପୂର୍ବରୁ ମେଡିକାଲ ସର୍ଭିସ୍କୁ ଫୋନ୍ କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଘଟଣାସ୍ଥଳରେ ହିଁ ପହଞ୍ଚି ପାରି ନ ଥିଲା। ଏହି କାରଣରୁ ଡେଲିଭରି ପରେ ଫରାହ ନିଜେ କ୍ୟାବ୍ରେ ହସ୍ପିଟାଲ ପହଞ୍ଚିଥିଲେ। ସେଠାରେ ଗେଟ୍ ପାଖରେ ଛିଡ଼ା ହୋଇଥିବା ନର୍ସମାନେ ତାଙ୍କୁ ରିସିଭ୍ କରିଥିଲେ ଏବଂ ଯୁଦ୍ଧାକାଳୀନ ଭିତ୍ତିରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ଫରାହ ନବଜାତକକୁ ଜ୍ୟାକେଟ୍ରେ ଗୁଡ଼ାଇ ହସ୍ପିଟାଲରେ ପହଞ୍ଚିଥିଲେ।
ଘଟଣାର କିଛି ଦିନ ପରେ ଫରାହଙ୍କୁ Arrow Taxi କମ୍ପାନୀରୁ ଟ୍ରାଭେଲ ବିଲ୍ ମିଳିଥିଲା, ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କୁ ୨୦ କିଲୋମିଟରରୁ ବି କମ୍ ଦୂରତା ଯାତ୍ରା ପାଇଁ ୮,୫୬୮ ଟଙ୍କାର ବିଲ୍ ଦିଆଯାଇଥିଲା। ସେଥି ମଧ୍ୟରୁ ୫,୭୧୩ ଟଙ୍କା ସଫେଇର ଚାର୍ଜ ଥିଲା, କାହିଁକି ନା, ସେ ଗାଡ଼ିରେ ଶିଶୁକୁ ଜନ୍ମ ଦେଇଥିଲେ।
ରିପୋର୍ଟ ମୁତାବକ, ଏହି ଘଟଣାକୁ ନେଇ ଫରାହ କହିଥିଲେ, ‘ଏ ସବୁ ଏତେ ଜଲ୍ଦି ହୋଇଥିଲା ଯେ ମୋତେ ଡର ଲାଗିବାକୁ ମଉକା ମିଳି ନ ଥିଲା’। ଏଥି ସହିତ ସେ କହିଥିଲେ କି, ମୁଁ ବୁଝି ପାରୁଛି ମୁଁ ଭୁଲ୍ କରିଛି। କିନ୍ତୁ କ୍ୟାବ୍ କମ୍ପାନୀ ଏଥିପାଇଁ ପଇସା ନେବା ସାମାନ୍ୟ ଅଜବ ଲାଗୁଛି’।