Below header

ଗୋଟିଏ ଗୋଡ ହରାଇବା ପରେ ବି ସ୍ଵାବଲମ୍ବୀ ରାଜକିଶୋର, ସମସ୍ତଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ

ଫୁଲବାଣୀ(କେନ୍ୟୁଜ୍): ଭିନ୍ନକ୍ଷମ ହୋଇ ମଧ୍ୟ ସେ ନିଜେ ସ୍ବାବଲମ୍ବୀ। ଖାଲି ସେତିକି ନୁହେଁ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ ସ୍ବାବଲମ୍ବୀ କରାଇବାକୁ ରଖିଛନ୍ତି ଲକ୍ଷ । ୩୩ କେଭି ବିଦ୍ୟୁତ୍ ତାର ଲାଗି ଦିନେ ଗୋଡ ହରାଇଥିଲେ ସିନା ହରାଇନଥିଲେ ମନୋବଳ। ଗୋଟିଏ ଗୋଡରେ ଜଣେ ସୁସ୍ଥ ମଣିଷ ଭଳି କାର୍ଯ୍ଯ କରି ସମାଜ ପାଇଁ ସାଜିଛନ୍ତି ଉଦାହରଣ। ଏ ହେଉଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରଥାଙ୍ଗ ପଞ୍ଚାଯତର ଦାଙ୍ଗେଡିକିଆ ବରସାହିରେ ରହୁଥିବା ରାଜକିଶୋର ଦିଗାଲଙ୍କ କଥା। ନିଜର ଗୋଟିଏ ଗୋଡ ହରାଇ ଭାଙ୍ଗି ନପଡି ଜଣେ ସଫଳ ଚାଷୀ ହେବା ସହ ଅସହାୟଙ୍କ ସାହାରା ପାଲଟିଛନ୍ତି ।

1ଶ୍ରଦ୍ଧାରେ ତାଙ୍କୁ ସଭିଏଁ ଡାକନ୍ତି ରାଜୁଭାଇ। ଗୋଟିଏ ଗୋଡ ହରାଇ ଥିଲେ ମଧ୍ୟ ଧର୍ଯ୍ଯ ହରାଇନାହାନ୍ତି। ସ୍ବଭାବିକ ଭାବେ ସୁସ୍ଥ ଜୀବନଯାପନ କରୁଛନ୍ତି। ସେଦିନ ଥିଲା ୨୦୧୭ ମସିହା ଏପ୍ରିଲ ୧୭ତାରିଖ। କିଏ ଜାଣିଥିଲା ଦଇବ ରାଜକିଶୋରଙ୍କ ଉପରେ ଦାଉ ସାଧିବ ବୋଲି। ସାଙ୍ଗମାନଙ୍କ ସହ ନିଜ ମାମୁଁ ଘର କସିନୀପଦରକୁ ଭଲିବଳ ମ୍ଯାଚ ଦେଖିକୁ ଯାଇଥିବାବେଳେ ତଳେ ପଡିଥିବା ୩୩କେଭି ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ଗୁରୁତର ହୋଇ ପଡିଥିଲେ। ତାଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ବାମ ଗୋଡକୁ ଜଙ୍ଘ ଯାଏ କାଟିଦେଇଥିଲେ । ଗୁରୁତର ହୋଇ ୩ଦିନ ଅଚେତ ଅବସ୍ଥାରେ ଥିବା ରାଜକିଶୋର ଙ୍କ ଚେତ ଆସିଲାପରେ ତାଙ୍କ ଗୋଟିଏ ଗୋଡ ନଥିଲା। ନିଜକୁ ଦେଖି ସମ୍ଭାଳି ପାରିନଥିଲେ। ଭାବିଥିଲେ ଏହି ଦୁର୍ବିସହ ଜୀବନ ଧରି ବଞ୍ଚିବା ଯାହା ନ ବଞ୍ଚିବା ତାହା। ମୁଣ୍ଡକୁ ଆସିଲା ବର୍ତମାନ ଭିନ୍ନକ୍ଷମ ପରିବାର ଉପରେ ବୋଝ ହୋଇ ରହିବେନାହିଁ। ସମସ୍ତେ ତାଙ୍କୁ ଦୟା ଦେଖେଇଲେ, ଯାହା ତାଙ୍କୁ ଆହୁରି ବିଚଳିତ କଲା। ତେଣୁ ସେ ମନକୁ ଦୃଢ କରି ନିଜ କାମ ନିଜେ କରିବା ପାଇଁ ମନସ୍ଥ କଲେ ଆଉ ଶେଷରେ ସଫଳ ବି ହେଲେ ।

rajଆଗ ପରି ସେ ଆସ ବାଡି ଧରି ବାହାରକୁ ବାହାରିଲେ । ନିଜ କ୍ଷେତକୁ ଯାଇ ନିଜେ ଚାଷ କାର୍ଯ୍ଯ ଆରମ୍ଭ କଲେ। ଏହା ବ୍ଯତୀତ ଏକ ଗ୍ଯାସ ଏଜେନ୍ସି ହାତକୁ ନେଲେ ଓ ମନସ୍ଥ କଲେ ସମାଜ ଯେଉଁ ମାନଙ୍କୁ ଅଣଦେଖା କରାଯାଉଛି ତାଙ୍କୁ ସେ ସମାଜରେ ମୁଣ୍ଡ ଟେକି ବଞ୍ଚିବାର ରାସ୍ତା ଦେଖାଇବେ ।ରାଜକିଶୋର ସେହି ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ଯକ୍ତି ହୋଇଥିଲେ ମଧ୍ୟ ସମ୍ପତି କହିଲେ ଭଙ୍ଗା ମାଟି କାନ୍ଥ ଓ ଟିଣ ଛପର ଏକ ବଖରିଆ ଘର ଖଣ୍ଡେ। ଘରର ଗୋଟିଏ କଡରେ ଗ୍ଯାସ ଟାଙ୍କି ଗୋଦାମ ଆଉ ଅନ୍ଯପଟେ ରୋଷେଇ। ଆଉ ଗୋଟେଇ ପଟେ ଏକ ଖଟ ଓ ଏକ ଟିଣ ବାକ୍ସ । ଘରେ ସ୍ତ୍ରୀ ପ୍ରଭାତୀ ଓ ୪ ବର୍ଷର ପୁଅ।

ଗାଁ ରେ ସାନ ଭାଇ, ମା, ବାପା ଓ ଭଉଣୀ , ସମସ୍ତଙ୍କ ଭଲ ମନ୍ଦ କଥା ରାଜକିଶୋରଙ୍କୁ ହିଁ ବୁଝିବାକୁ ପଡେ। ସେ ଘରର ଏକ ମାତ୍ର ରୋଜଗାରିଆ ପୁଅ। ମାସକୁ ଯାହା ଆୟ ହୁଏ ଘର ଖର୍ଚ୍ଚ କରନ୍ତି। ସେଥିରୁ ଯାହା କିଛି ବଳେ ଗରିବ ଲୋକଙ୍କୁ ସାହାର୍ଯ୍ଯ କରନ୍ତି । ଗାଁ ରେ କାହାର କଣ ଅସୁବିଧା ହେଲେ, ସମସ୍ତଙ୍କ ସବୁ କଥା ବୁଝନ୍ତି ରାଜକିଶୋର । ତାଙ୍କର ଏହି ମନୋଭାବ ଦେଖି ତତକାଳୀନ ଜିଲ୍ଲାପାଳ ବୃନ୍ଦା ଡି ତାଙ୍କୁ ଓଡିଶା ବିକଳାଙ୍ଗ ମଞ୍ଚ କନ୍ଧମାଳ ଶାଖା ର ସଭାପତି ହେବ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ସେ ସଭାପତି ବି ହୋଇଥିଲେ । ସେହି ଦିନ ଠାରୁ ସେ ସମାଜସେବା ଓ ପରୋଉପକାର କରିଆସୁଛନ୍ତି ।

ରାଜକିଶୋରଙ୍କ ନିଜର ଜମି ନାହିଁ ସତ, ହେଲେ ମନୋବଳ ଦୃଢ ଅଛି। ୪ ଏକର ଜମି ଭାଗରେ ନେଇ ଚାଷ କାର୍ଯ୍ଯ କରୁଛନ୍ତି । ଧାନ ସାଙ୍ଗକୁ ଫୁଲକୋବି, ବନ୍ଧା କୋବି , ଆଲୁ ମଟର, ଟମାଟ ବାଇଗଣ ଆଦି ପରିବା ଚାଷ କରୁଛନ୍ତି । ସେ ନିଜେ ଚାଷ କରନ୍ତି ଆଉ ୪ ରୁ ୫ ଜଣଙ୍କୁ ରୋଜଗାର ଦେଇଛନ୍ତି। ଅପରାହ୍ନରେ ଘରକୁ ଫେରି ଆରମ୍ଭ କରି ଦିଅନ୍ତି ଗ୍ଯାସ ବ୍ଯବସାୟ । ଅର୍ଡର ଥିବା ଗ୍ଯାସକୁ ନିଜ ସାଇକଲରେ ଲଦି ନେଇ ଘର ଘର ବୁଲି ଦେଇ ଆସନ୍ତି।

ରାଜକିଶୋର ଭିନ୍ନକ୍ଷମ ସିନା ଜଣେ ଦୃଢମନା, ପରୋପକାରୀ ଓ ସମାଜସେବୀ । ଭାଙ୍ଗିଯାଉଥିବା ମଣିଷ ଥରେ ରାଜକିଶୋରଙ୍କ ସଂଘର୍ଷ ଦେଖନ୍ତୁ ବଞ୍ଚିବାର ବାଟ ନିହାତି ପାଇଯିବେ। କହିବାକୁ ଗଲେ ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.