Below header

ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା, ଶେଷ ହେଲା ଆଦ୍ୟ ପର୍ବ ପତରପେଣ୍ଡି

ସରିଲା ପ୍ରଭୁଙ୍କ ପତରପେଣ୍ଡି ବା ନିର୍ବନ୍ଧ । ପଶ୍ଚିମ ଓଡ଼ିଆରେ ବଡ଼ ପ୍ରସିଦ୍ଧ ଯାତ୍ରା ହେଉଛି ପ୍ରଭୁ ଶିବ ଓ ପାର୍ବତୀଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଏଥିପାଇଁ ଚଳଚଂଚଳ ପଶ୍ଚିମ ଓଡ଼ିଆରେ ସମସ୍ତ ଶୈବ ପୀଠ। ଦୀର୍ଘ ଦୁଇ ବର୍ଷ ପରେ ସମ୍ବଲପୁରର ରାସ୍ତାରେ ଦେବ ଦେବ ମହାଦେବଙ୍କ ପାଇଁ ଶୋଭାଯାତ୍ରା ବାହାରିଲା l ମହାଦେବଙ୍କ ବିବାହ ପାଇଁ କନ୍ଯା ଖୋଜା ଲାଗି ଏହି ଶୋଭାଯାତ୍ରା ବାହାରିଥିଲା । କୋଭିଡ କଟକଣା ପାଇଁ ଦୁଇବର୍ଷ ହେବ ମନ୍ଦିର ପରିସରରେ ପତରପେଣ୍ଡି ଠାରୁ ଆରମ୍ଭ କରି ନଗର ପରିକ୍ରମା ପର୍ଯ୍ଯନ୍ତ ସମସ୍ତ କାର୍ଯ୍ଯ ହେଉଥିଲା । କିନ୍ତୁ ବିନା ଭକ୍ତରେ । ଏବେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଶୀତଳଷଷ୍ଠୀ ପର୍ବର ସମସ୍ତ କାର୍ଯ୍ଯକ୍ରମ ରଙ୍ଗାରଙ୍ଗ ପରିବେଶରେ ହେଉଛି । ବାଜା ବାଣ ଓ ରଙ୍ଗବେରଙ୍ଗ ଆଲୋକମାଳା ରୋଷଣୀରେ ସୁସଜ୍ଜିତ ରଥ ଚଢି ବରପିତା ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ଯା ସ୍ଥିର କରିଛନ୍ତି । ମହାଦେବଙ୍କ ବର ପିତା ସହ ଆସିଥିଲେ ସପ୍ତଋଷି ଗଣ l ସେମାନଙ୍କୁ ସମ୍ମାନ ପୂର୍ବକ ପାଛୋଟି ନେଇଥିଲେ କନ୍ଯା ପିତା l

ଧୁମ ଧାମରେ କନ୍ଯା ଘରେ ପହଞ୍ଚିବା ପରେ ବରପିତା, ସପ୍ତଋଷି ଓ ସ୍ଥାନୀୟ ମୁରବୀଙ୍କୁ କନ୍ଯା ଘର ପକ୍ଷରୁ ସ୍ୱାଗତ କରାଯାଇଥିଲା । ସପ୍ତଋଷି ବାବା ବାଲୁଙ୍କେଶ୍ୱରଙ୍କ ଗୁଣ ଗାନ କରିବା ପରେ କନ୍ଯା ପକ୍ଷ ବିବାହ ପାଇଁ ରାଜି ହୋଇଥିଲେ । ପରମ୍ପରା ଅନୁସାରେ ବରପିତା ସାଙ୍ଗରେ ଆଣିଥିବା ଶାଳପତ୍ର ବିଡ଼ା ଦେଇ କନ୍ଯା ପସନ୍ଦ କରିଥିଲେ ଓ ବିବାହ ତାରିଖ ନିର୍ଦ୍ଧାରିତ କରିଥିଲେ । ବିବାହ ସ୍ଥିର ହେବା ପରେ କନ୍ଯାଘରେ ଆନନ୍ଦର ଲହରୀ ଖେଳି ଯାଇଛି । ଦେବଦେବ ମହାଦେବଙ୍କୁ ଜ୍ଵାଇଁ ରୂପେ ପାଇଥିବାରୁ ଅତ୍ୟନ୍ତ ଖୁସି ଥିବା କହିଛନ୍ତି କନ୍ଯା ପିତା ।

କେଉଁ ଯୁଗରୁ ସମ୍ପୂର୍ଣ୍ଣ ଲୋକାଚାର ଓ ମାନବୀୟ ରୀତିନୀତିରେ ପାଳିତ ହେଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ । ଶିବ ବିବାହ ଓ ନବବିବାହିତ ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ସତେ ଯେମିତି ସମସ୍ତେ ବ୍ଯାକୁଳ । ଯୁଗଳମୂର୍ତ୍ତି ଦେଖିବା ପାଇଁ ଅନେକ ସହରରୁ ଧାଇଁ ଆସୁଛନ୍ତି ଭକ୍ତ। ପ୍ରଭୁ ଶିବ ଶଙ୍କର ଓ ମା’ ପାର୍ବତୀଙ୍କ ବିବାହ ରୂପ ଦେଖି ସମସ୍ତଙ୍କ ମନ ଖୁସି। ଶିବ ପାର୍ବତୀଙ୍କର ଏହି ବିବାହ ଲୀଳା ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଜିଲ୍ଲା ଓ ଜିଲ୍ଲା ବାହାର ହଜାର ହଜାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.