ବର୍ତ୍ତମାନ ଚାଲିଛି କରୋନାର ଦ୍ୱିତୀୟ ଲହର। ପୁଣି ନିଜ ମାଟିକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଡର ସେଇ ପେଟ ଚିନ୍ତା ପୁଣି ଘାଇଲା କରିବନି ତ ? ହେଲେ ଏଭଳି ହନ୍ତସନ୍ତ ହେଉଥିବା ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରିର ସଞ୍ଜୟ ଗୌଡ।
ମାଟ୍ରିକ ପରେ ରୋଜଗାର କରିବା ଆଶାରେ ୨୦୦୩ ମସିହାରେ ପହଞ୍ଚିଥିଲେ ସୁରତରେ। ୨୦୧୬ ଦୀର୍ଘ ୧୩ ବର୍ଷ ଧରି ସୁରତରେ ଏକ ଡାଇମଣ୍ଡ କମ୍ପାନୀରେ କାମ କରୁଥିଲେ । ମାସକୁ ୪୦ରୁ ୪୫ ହଜାର ଟଙ୍କା ବି ରୋଜଗାର କରୁଥିଲେ। କିନ୍ତୁ ମନରେ ଥିଲା ନିଜ ଗାଁ ମାଟିରେ କିଛି କରି ଦେଖାଇବେ। ଏଣୁ ଜନ୍ମମାଟିରେ ଏକ ଫାର୍ମ କରିବାକୁ ଚିନ୍ତା କରିଥିଲେ ସଞ୍ଜୟ। ଏଥିପାଇଁ ସୁରତରେ ବିଭିନ୍ନ ପ୍ରକାର ଛେଳି ଫାର୍ମ ବୁଲି ଦେଖିଥିଲେ। ଏହା ପରେ ଭାବିଲେ ନିଜ ଗାଁରେ ମଧ୍ୟ ଏପରି ଏକ ଫାର୍ମ କରିବେ। ସେବେ ଠାରୁ ଛେଳି ଫାର୍ମ ପାଇଁ ଟଙ୍କା ଯୋଗାଡ଼ କରିବା ଆରମ୍ଭ କଲେ।
ପ୍ରଥମେ ଦୁଇ ଲକ୍ଷ ଟଙ୍କା ପୁଞ୍ଜି ଖଟାଇ ଦେଶୀ ବ୍ଲାକ ବେଙ୍ଗଲ୍ ଛେଳି ଫାର୍ମ ଆରମ୍ଭ କଲେ। ଏଥିପାଇଁ ରାଜସ୍ଥାନରୁ ଆଠ ପ୍ରକାର ପ୍ରଜାତିର ଛେଳି ଆଣି ପାଳନ କରୁଛନ୍ତି। ଏମାନଙ୍କ ଖାଦ୍ୟ ପାଇଁ ତିନି ପ୍ରକାର ଘାସ ଚାଷ କରିଥିବା ବେଳେ ଖାଇବାକୁ କୁଣ୍ଡା ଦିଆଯାଉଛି। ଖାଦ୍ୟ ପାଇଁ କୁଣ୍ଡ ଓ ପାଣି ପିଇବା ପାଇଁ କୁଣ୍ଡ ତିଆରି ହୋଇଛି । ଏମାନଙ୍କ ରହିବା ପାଇଁ ଉନ୍ନତ ମାନର ଘର ସାଙ୍ଗକୁ ପରିଚାଳନା ପାଇଁ ତିନି ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି। ରାଜ୍ଯ ସରକାରଙ୍କ ଯୋଜନାରେ ଆଦର୍ଶ ଗାଈ ଗୁହାଳ ଓ କୂଅ, ଘାସ ଚାଷ ପାଇଁ ସହାୟତା ମିଳିଥିଲା । ବାସ୍, ନିଜେ ପରିଶ୍ରମ କଲେ ଆଉ ସଫଳ ବି ହେଲେ । ସୁରତରେ ରହୁଥିବା ବେଳେ ଯେତିକି ରୋଜଗାର କରୁଥିଲି ବର୍ତ୍ତମାନ ସେତିକି ଆୟ ହେଉଛି ସଞ୍ଜୟଙ୍କର।
ବ୍ରିଡ୍ ପ୍ରଜାତିର ଛେଳିଙ୍କ ଠାରୁ କ୍ଷୀର ମିଳୁଛି । ତା ସହିତ ଗୋଟିଏ ଛେଳି ବର୍ଷକ ମଧ୍ୟରେ ପାଖାପାଖି ୮୦ କେଜି ହେଉଥିବା ଯୋଗୁଁ ଭଲ ଲାଭ ହେଉଛି। ଏହା ସହ ସେ ମଇଁଷି ମଧ୍ୟ ପାଳିଛନ୍ତି। ଏବେ ଏହି କାର୍ଯ୍ୟରେ ସଞ୍ଜୟଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ଭାଇ ରବୀନ୍ଦ୍ର। ସେ ମଧ୍ୟ ସୁରତରେ ରହୁଥିଲେ କିନ୍ତୁ ଏହି ବ୍ଯବସାୟ ସେମାନଙ୍କୁ ନୂଆ ରାହା ଯୋଗାଇଛି ବୋଲି କହିଛନ୍ତି ସଞ୍ଜୟଙ୍କ ଭାଇ। ଏହା ସହ ଏହି ଫାର୍ମରେ କିଛି ଲୋକ କାମ କରି ମଧ୍ୟ ପେଟ ପୋଷୁଛନ୍ତି । ତେବେ ଯଦି ଇଚ୍ଛା ଥାଏ ତାହା ହେଲେ ଉପାୟ ବଳେ ବଳେ ମିଳିଯାଏ । ଯାହା କରି ଦେଖାଇଛନ୍ତି ସଞ୍ଜୟ ।