Below header

ଆପଣଙ୍କ କେଶ ମୁକ୍ତି କରିବେ ପରିବେଶ ପ୍ରଦୂଷଣ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ

ପରିବେଶ ପ୍ରଦୂଷଣରୁ ମୁକ୍ତ କରିବ ମଣିଣ କେଶ। କଣ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ କି, ଆଦୌ ବି ମିଛ ଭାବନ୍ତୁନି, ଏହା ବିଲକୁଲ ସତ। ଏଣିକି ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବ କେଶ। ବିଭିନ୍ନ ସମୟରେ ଉପୁଡ଼ିଥିବା ଚୁଟି ଓ କଟା ଚୁଟିକୁ ଆମେ ଫୋପାଡ଼ି ଦେଉଥିବା ବେଳେ ଏହାର ଉତ୍ତମ ବିନିଯୋଗ ଆରମ୍ଭ କରିଛି ବେଲଜିୟମ।

ଏବେ ମଣିଷର କେଶ ଆହୁରି କାମରେ ଆସିବ । ପରିବେଶ ପ୍ରଦୂଷଣକୁ ରୋକିବ କେଶ ବା ଚୁଟି। ସେଲୁନରେ କଟା ଯାଉଥିବା କେଶକୁ ରିସାଇକ୍ଲିଂ କରି ପୁଣି ବ୍ୟବହାର କରାଯାଇ ପାରିବ। ଯାହାକି ପ୍ରଦୂଷଣ ରୋକିବାରେ ବେଶ୍‌ ସାହାଯ୍ୟ କରିପାରିବ। ସାଧାରଣତଃ ସେଲୁନରେ ଚୁଟି କାଟିବା ପରେ ଏହାକୁ ଫୋପାଡ଼ି ଦିଆଯାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୟୁରୋପର ବେଲଜିୟମରେ କଟା ଚୁଟିକୁ ମଧ୍ୟ ରିସାଇକ୍ଲିଂ କରାଯାଉଛି। ଯାହାକି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ସାହାଯ୍ୟ କରୁଛି। ଯେଉଁ କାରଣରୁ ବେଲଜିୟମରେ କଟା ଚୁଟିର ମୂଲ୍ୟ ବହୁତ ବେଶି।

ବେଲଜିୟମରେ ହେୟାର ରିସାଇକ୍ଲିଂ ପ୍ରୋଜେକ୍ଟ ନାମକ ଏକ ମେସିନ ରହିଛି। ଏହା କଟା ଚୁଟିକୁ ଏକ ପ୍ରକାର ମ୍ୟାଟରେ ପରିଣତ କରିଥାଏ। ଯାହାକି ପ୍ରଦୂଷିତ ହାଇଡ୍ରୋକାର୍ବନ ଓ ଅନ୍ୟାନ୍ୟ ପ୍ରଦୂଷଣ କରୁଥିବା ତେଲକୁ ଶୋଷି ନେଇଥାଏ। ଯାହାକି ପରିବେଶ ପାଇଁ ଖୁବ ବିପଜ୍ଜନକ। ଏହି ପ୍ରକଳ୍ପର ସହ ପ୍ରତିଷ୍ଠାତା ପାଟ୍ରିକ ଜନସନ କହିଛନ୍ତି ଯେ, ଗୋଟିଏ କେଜି କେଶ ପ୍ରାୟ ୭ରୁ ୮ ଲିଟର ତେଲ ଏବଂ ହାଇଡ୍ରୋ କାର୍ବନକୁ ଶୋଷିବାର କ୍ଷମତା ରଖେ। ତେବେ ବେଲଜିୟମରେ ଥିବା ଡ୍ରେନ ଗୁଡ଼ିକରେ ଏହାକୁ ପକାଇବା ଦ୍ୱାରା ଏହା ଜଳରୁ ସମସ୍ତ ପ୍ରଦୂଷଣକୁ ଶୋଷିଥାଏ। ଫଳରେ ନଦୀରେ ମିଶିଥିବା ଏହି ସବୁ ନାଳର ପାଣି ସ୍ୱଚ୍ଛ ହୋଇ ପ୍ରବେଶ କରିଥାଏ। ତେବେ କେବଳ ଏତିକି ନୁହେଁ କଟାଚୁଟିରୁ ବେଲଜିୟମରେ ଇକୋ ଫ୍ରେଣ୍ଡଲି ବ୍ୟାଗ ମଧ୍ୟ ତିଆରି କରାଯାଉଛି । ଆଉ ଏହି ବ୍ୟାଗ ମଧ୍ୟରେ ଥିବା ସମସ୍ତ ଜିନିଷ ପ୍ରଦୂଷଣରୁ ମୁକ୍ତ କରିଥାଏ।

ଏବେ ଆସନ୍ତୁ ଜାଣିବା ମଣିଷର ଚୁଟି କେମିତି ପ୍ରଦୂଷଣକୁ ରୋକିବାରେ ସହାୟକ ହେଉଛି । ମଣିଷ କେଶରେ ନାଇଟ୍ରୋଜେନର ମାତ୍ରା ଖୁବ ଅଧିକ ରହିଛି। ମଣିଷର ଗୋଟିଏ କେଶ ନିଜ ଓଜନରୁ କୋଟିଏ ଗୁଣ ଅଧିକ ଓଜନର ହାଇଡ୍ରୋ କାର୍ବନ ଗ୍ରହଣ କରିପାରିବ। ଏହା ପାଣିରେ ଦ୍ରବୀଭୂତ ହୋଇଥାଏ । କିରାଟିନ ଫାଇବର କାରଣରୁ ଏହା ଅଧିକ ଇଲାଷ୍ଟିକ ହୋଇଥାଏ। ଫଳରେ ଏହା ଦ୍ୱାରା ନଦୀର ପ୍ରଦୂଷଣକୁ ହ୍ରାସ କରିବା ପାଇଁ ମାନବ କେଶ ବ୍ୟବହାର କରାଯାଇ ପାରିବ। ରିପୋର୍ଟ ଅନୁସାରେ କଟା ଚୁଟିର ଏପରି ଗୁଣ ପାଇଁ ବେଲଜିୟମର ହେୟାର ଡ୍ରେସରମାନେ ଚୁଟି କାଟି ସାରିବା ପରେ ଏହାକୁ ନେବା ପାଇଁ ଟଙ୍କା ମଧ୍ୟ ଦେଇଥାନ୍ତି।

ବର୍ତ୍ତମାନ ବେଲଜିୟମରେ ଲୋକମାନେ କେଶକୁ ଡଷ୍ଟବିନରେ ନପକାଇ ଏହାର ଉଚିତ ବ୍ୟବହାର କରୁଛନ୍ତି। କେଶରେ ଆଉ କଣ ସବୁ କାମ ହୋଇପାରିବ ତା ଉପରେ ମଧ୍ୟ ରିସର୍ଚ୍ଚ ଚାଲିଛି। ତେଣୁ ମଣିଷର କେଶ କେବଳ ସୁନ୍ଦର ଚେହେରା ପାଇଁ ନୁହେଁ ଆହୁରି ଅନେକ କାମରେ ଲାଗି ପାରୁଛି । ସେ ଓ୍ଵିଗ୍ ତିଆରି ହେଉ କି ନିଶ ଅବା ଭ୍ରୁଲତା, ଏହା କେବଳ ପ୍ରାସାଧନ ବା ବିଉଟି ସାମଗ୍ରୀ ଭାବେ ବ୍ୟବହାର ହେଉଛି । ହେଲେ ଏହା ଯେ କେତେ ମୂଲ୍ୟବାନ ତାହା ଏବେ ଜଣାପଡ଼ିଛି ।

କଟା ହୋଇଥିବା କେଶକୁ ନେଇ ଭାରତରେ ବିଭିନ୍ନ ସାମଗ୍ରୀ କରୁଥିବା ଅନେକ ସଂସ୍ଥା ରହିଛି । ସେମାନେ କେଶର ମାନ ଦେଖି ଏହାକୁ କିଲୋ ପ୍ରତି ୨ ହଜାରରୁ ୨୫ ହଜାର ଟଙ୍କାରେ କିଣି ନିଅନ୍ତି । ହେଲେ ଏସବୁ ବାଦ୍ ଏବେ ଏହି କେଶ ପରିବେଶ ପ୍ରଦୂଷଣକୁ ରୋକୁଥିବା କଥା ସ୍ପଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.