ପ୍ରେମର ଅନନ୍ୟ ଉଦାହରଣ, ଏଠାରେ କୃଷ୍ଣଙ୍କ ସହ ମୀରାବାଈଙ୍କର ହୁଏ ପୂଜା

ଭଗବାନ କୃଷ୍ଣଙ୍କ ଭକ୍ତ ଭାରତ ସମେତ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ। ତାଙ୍କ ଆରାଧନା କରିବା ସହ ଗୀତାରେ ଦିଆଯାଇଥିବା ଜ୍ଞାନକୁ ଅନୁସରଣ କରନ୍ତି। ଭାରତରେ ଭଗବାନ କୃଷ୍ଣଙ୍କର ଅନେକ ପ୍ରାଚୀନ ମନ୍ଦିର ରହିଛି। ଯାହାର କୀର୍ତ୍ତିରାଜି ସାରା ବିଶ୍ୱରେ ବିଖ୍ୟାତ। ଏଠାରେ ସବୁ ସମୟରେ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ବେଳେ ଆସ୍ଥାର କେନ୍ଦ୍ର ପାଲଟିଛି।

jagat

ଏଥିମଧ୍ୟରୁ ମଥୁରା ଏବଂ ବୃନ୍ଦାବନ ଭାରତର ପ୍ରସିଦ୍ଧ ମନ୍ଦିର। ହେଲେ ଆମେ ଯେତେଦୂର ଦେଖିଛେ, ଭାରତରେ ସବୁ ମନ୍ଦିରରେ ଭଗବାନ କୃଷ୍ଣଙ୍କ ସହ ରାଧାଙ୍କ ପ୍ରତିମୂର୍ତ୍ତି ପୂଜା ପାଏ। କିନ୍ତୁ ଦେଶରେ ଏମିତି ଏକ ସ୍ଥାନ ଅଛି, ଯେଉଁଠାରେ କୃଷ୍ଣଙ୍କ ସହ ରାଧା ନୁହେଁ ବରଂ ମୀରାବାଈ ପୂଜା ପାଆନ୍ତି। ଏହି ମନ୍ଦିର ବେଶ ପ୍ରସିଦ୍ଧି ଲାଭ କରିଛି।

ଏହି ମନ୍ଦିର ରାଜସ୍ଥାନର ଆମେର ଜିଲ୍ଲାରେ ଅବସ୍ଥିତ। ମନ୍ଦିରର ନାଁ ହେଉଛି ଜଗତ ଶିରୋମଣି। ଆମେରର ଏହି ପ୍ରସିଦ୍ଧ ମନ୍ଦିରରେ ଭଗବାନ କୃଷ୍ଣଙ୍କ ସହ ମୀରାବାଈଙ୍କୁ ପୂଜା କରାଯାଏ। ହିନ୍ଦୁ ବାସ୍ତୁ ଶାସ୍ତ୍ରକୁ ଆଧାର କରି ଏହି ମନ୍ଦିର ତିଆରି ହୋଇଛି। ଏହା ଲୋକପ୍ରିୟ ହେବା ସହ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

jagat siromani 23

ସୂଚନା ଅନୁଯାୟୀ, ଏହି ମନ୍ଦିରକୁ ମହାରାଜା ପ୍ରଥମ ମାନସିଂହଙ୍କ ପତ୍ନୀଙ୍କ ଆଦେଶ କ୍ରମେ ନିର୍ମାଣ କରାଯାଇଥିଲା। ମହାରାଣୀ କନକବତୀ ନିଜ ପୁତ୍ର ଜଗତସିଂହଙ୍କ ସ୍ମୃତିରେ ଏହି ମନ୍ଦିରକୁ ନିର୍ମାଣ କରି ଏହାର ନାମ “ଜଗତ ଶିରୋମଣି” ରଖିଥିଲେ। ଏହାର ନିର୍ମାଣ କାର୍ଯ୍ୟ ୧୫୯୯ ମସିହାରେ ଆରମ୍ଭ ହୋଇ ୧୬୦୮ରେ ଶେଷ ହୋଇଥିଲା।

ଏଠାରେ କୃଷ୍ଣଙ୍କର ସେହି ମୂର୍ତ୍ତି ଅଛି, ଯାହାକୁ ଦିନେ ମୀରାବାଈ ପୂଜା କରୁଥିଲେ। ଏହି ବିଶ୍ୱାସରେ ଲୋକମାନେ ସେଠାରେ ପୂଜା କରିଥାନ୍ତି। ପୁରାଣ ଅନୁଯାୟୀ, ମୀରାବାଈଙ୍କ ବିବାହ ରାଜା ଭୋଜଙ୍କ ସହ ହୋଇଥିଲ। ହେଲେ ସେ କୃଷ୍ଣଙ୍କୁ ହିଁ ନିଜର ପତି ମାନୁଥିଲେ। ଏଥିନିମନ୍ତେ ଜଗତ ଶିରୋମଣି ମନ୍ଦିରରେ ଭଗବାନ କୃଷ୍ଣଙ୍କ ସହ ମୀରାବାଈଙ୍କ ପ୍ରତିମାକୁ ପୂଜା କରାଯାଏ।

ରାଜସ୍ଥାନରେ ଏହି ମନ୍ଦିରକୁ ନେଇ ଅନେକ କାହାଣୀ ରହିଛି। ଇତିହାସରୁ ଜଣାଯାଏ ଯେ ଏହି ମନ୍ଦିରରେ ଥବା ମୂର୍ତ୍ତିକୁ ମୋଗଲ ସୈନିକମାନେ ନଷ୍ଟ କରିଦେବାକୁ ଚାହୁଁଥିଲେ। କିନ୍ତୁ ଆମେରର ଶାସକ ଏହାକୁ ରକ୍ଷା କରିଥିଲେ । ଜନ୍ମାଷ୍ଟମୀ ଉପଲକ୍ଷେ ଏଠାରେ ପ୍ରତିବର୍ଷ ବିରାଟ ପୂଜା ଆୟୋଜନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.