ବାଲେଶ୍ୱର: ଚାନ୍ଦିପୁର ଥାନା ନାଉପାଳଗଡ଼ିରେ ଗୁଳିମାଡ଼, ଭାବତାରିଣି ବୋଟ୍ ମାଲିକଙ୍କ ମୃତ୍ୟୁ

ବାଲେଶ୍ୱର(କେନ୍ୟୁଜ୍): ଅଶାନ୍ତ ବାଲେଶ୍ୱର । ଚାନ୍ଦିପୁରରେ ଖଣ୍ଡାରେ ଆକ୍ରମଣ ପରେ ଗୁଳିମାଡ । ନାଉପାଳଗଡ଼ିରେ ଭବତାରିଣୀ ବୋଟ୍ ମାଲିକଙ୍କ ମୃତ୍ୟୁ । ମୃତକଙ୍କ ନାଁ ବିଜୟ ପ୍ରଧାନ ଓରଫ ଡାକ୍ତର ବାବୁ । ଘର ଘୋଡାପଦାରରେ । ସେ ବଇଞ୍ଚା ପଞ୍ଚାୟତର ପୂର୍ବତନ ସରପଞ୍ଚ ଥିଲେ । ପ୍ରଥମେ ଏକ ବାଇକ୍ରେ ୫ ଦୁର୍ବୃତ୍ତ ଆସି ବିଜଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ ।
ବିଜୟ ସେଠାରୁ ଦୌଡି ଦୌଡି ଯାଇ ବୋଟ କ୍ୟାବିନ ଭିତରେ ପଶିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ । ତାଙ୍କ ଛାତି ଓ ବେକରେ ଗୁଳି ବାଜିଥିଲା । ବିଜୟଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ହତ୍ୟା ପଛରେ ବ୍ୟାବସାୟିତ ଶତ୍ରୁତା ଥିବା ସନ୍ଦେହ କରାଯାଉଛି । ଚାନ୍ଦିପୁର ଓ ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗତ ଦୁଇ ଦିନ ଭିତରେ ବାଲେଶ୍ୱରରେ ଦୁଇ ଦୁଇଟି ଗୁଳିକାଣ୍ଡ ଘଟିଛି ।
ଶନିବାର ବାଲେଶ୍ୱରରେ କାର ପାର୍କିଂକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ ହୋଇଥିଲା । ଟାଉନ ଥାନା ସଞ୍ଜୟ ହାଇଟ୍ସରେ ରହୁଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଫିଲୋସଫି ଆଣ୍ଡ ଲଜିକର ପ୍ରାଧ୍ୟାପକ ଲକ୍ଷ୍ମଣ ବେହେରା ପଡୋଶୀ ଆନନ୍ଦ ସିଂଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ ଆନନ୍ଦ ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିିତ ହେଉଛନ୍ତି ।