ପାପମୋଚିନୀ ଏକାଦଶୀରେ ଏପରି ବିଧି ଅନୁସାରେ କରନ୍ତୁ ପୂଜା, ସବୁ ପାପ ହୋଇଯିବ ନଷ୍ଟ

ପାପମୋଚିନୀ ଏକାଦଶୀ ବ୍ରତ ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଏ। ଚଳିତବର୍ଷ ପାପମୋଚିନୀ ଏକାଦଶୀ ୨୮ ମାର୍ଚ୍ଚକୁ ପଡୁଛି। ଏହି ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ବ୍ରତ ମଧ୍ୟରେ ବିଶେଷ ରହିଛି। ଏହି ବ୍ରତ କରିବା ଦ୍ୱାରା ମଣିଷ ଜାଣତ କିମ୍ବା ଅଜାଣତରେ ହୋଇଥିବା ପାପରୁ ମୁକ୍ତି ମିଳିବ। ଭଗବାନ ବିଷ୍ଣୁଙ୍କ କୃପାରୁ ବ୍ୟକ୍ତିକୁ ମୃତ୍ୟୁ ପରେ ଜୀବନ ମରଣ ଚକ୍ରରୁ ମଧ୍ୟ ମୁକ୍ତି ମିଳିଯାଏ। ଚଳିତବର୍ଷ ପାପମୋଚିନୀ ଏକାଦଶୀ ସର୍ବାର୍ଥ ସିଦ୍ଧି ଯୋଗରେ ପଡୁଛି। ଏହି ସଂଯୋଗ ଦ୍ୱାରା ଆପଣ ଅନେକ କାର୍ଯ୍ୟ ସିଦ୍ଧି କରିପାରିବେ। ତେବେ ପାପମୋଚିନୀ ଏକାଦଶୀର ଶୁଭ ମୁହୂର୍ତ୍ତ, ବ୍ରତ ଏବଂ ପୂଜା ବିଧି କ’ଣ ଜାଣିରଖନ୍ତୁ:

ପାପମୋଚିନୀ ଏକାଦଶୀ ବ୍ରତ ଏବଂ ପୂଜା ବିଧି :

୨୮ ମାର୍ଚ୍ଚ ସକାଳ ୬.୧୬ ମିନିଟରୁ ସର୍ବାର୍ଥ ସିଦ୍ଧି ଯୋଗ ଆରମ୍ଭ ହେଉଛି। ଏମିତିରେ ଆପଣ ପାପମୋଚିନୀ ଏକାଦଶୀ ଦିନ ସକାଳେ ସ୍ନାନ କରିବା ପରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।

ଏହାପରେ ପୂଜା ସ୍ଥାନକୁ ସଫା ସୁତରା କରିଦିଅନ୍ତୁ। ଏକ ପିଢାରେ ହଳଦିଆ ବସ୍ତ୍ର ପକାଇ ତା’ ଉପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଦିଅନ୍ତୁ। ହାତରେ ଜଳ, ଅକ୍ଷତ ଏବଂ ଫୁଲ ନେଇ ପାପମୋଚିନୀ ଏକାଦଶୀ ବ୍ରତ ଏବଂ ପୂଜା କରିବାର ସଂକଳ୍ପ ନିଅନ୍ତୁ।

ସକାଳେ ପୂଜା କରିବାର ଶୁଭ ଯୋଗ ରହିଛି। ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ, ହଳଦିଆ ବସ୍ତ୍ର, କଦଳୀ, ହଳଦିଆ ମିଠା, ଶ୍ରୀଖଣ୍ଡ, ପଞ୍ଚାମୃତ, ତୁଳସୀ, ଅକ୍ଷତ, ଧୂପ, ଦୀପ, ଫଳ, ମାଲା ଇତ୍ୟାଦି ଅର୍ପଣ କରନ୍ତୁ।

ଏହି ସମୟରେ ଓମ୍‌ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ର ଉଚ୍ଚାରଣ କରନ୍ତୁ। ଏହି ମନ୍ତ୍ର ସମସ୍ତ ଦୁଃଖ, କଷ୍ଟ ଏବଂ ପାପକୁ ଦୂର କରି ପୂଣ୍ୟ ପ୍ରଦାନ କରିଥାଏ।

ତା’ପରେ ଶ୍ରୀବିଷ୍ଣୁ ଚାଳିଶା, ବିଷ୍ଣୁ ସହସ୍ରନାମ, ପାପମୋଚିନୀ ଏକାଦଶୀ ବ୍ରତ କଥା ପାଠ କରନ୍ତୁ। ଏହା ପରେ ଘିଅ ଦୀପ କିମ୍ବା କପୁରରେ ଭଗବାନ ବିଷ୍ଣୁଙ୍କ ଆରତୀ କରନ୍ତୁ।

ପୂଜା ସରିବା ପରେ ସମସ୍ତଙ୍କୁ ପ୍ରସାଦ ବିତରଣ କରନ୍ତୁ। ଏହା ପରେ କୌଣସି ବ୍ରାହ୍ମଣକୁ ବସ୍ତ୍ର, ଅନ୍ନ, ଫଳ, ମିଠା ଇତ୍ୟାଦି ଦାନ କରନ୍ତୁ।

ବ୍ରତ ଦିନ ଫଳ ଆହର କରନ୍ତୁ ଏବଂ ରାତିରେ ଭାଗବତ ଜାଗରଣ କରନ୍ତୁ। ଏହି ଦିନ ଶୋଇବା ଅନୁଚିତ। ବ୍ରତ ଦିନ ସମସ୍ତ ନିୟମ ପାଳନ କରନ୍ତୁ।

ବ୍ରତ ସରିବା ପରଦିନ ସକାଳୁ ଗାଧୋଇବା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ସୂର୍ଯ୍ୟ ଉଦୟ ପରେ ବ୍ରତ ସମାପନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.