Below header

ମାଟି ତଳୁ ବାହାରୁଛି ନିଆଁ! ପୂର୍ବରୁ ହେଉଥିଲା କଦଳୀ ଚାଷ; ରହସ୍ୟ ଖୋଜିବାରେ ଲାଗି ପଡ଼ିଛନ୍ତି ଭୂ-ବୈଜ୍ଞାନିକ

ଭାରତର ପୂର୍ବୋତ୍ତର ରାଜ୍ୟ ମଣିପୁରର ଏକ ପାହାଡ଼ିଆ ଅଞ୍ଚଳରେ ମାଟି ତଳୁ ଜ୍ୱାଳା ବାହାରୁଛନ୍ତି। ଏହି ନିଆଁ ରହସ୍ୟମୟ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। କାରଣ, ନିଆଁ ମାଟି ଉପରେ ନୁହେଁ, ବରଂ ମାଟି ତଳେ ହିଁ ଲାଗିଛି, ଯାହାକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ସେଠାରେ ଜମିଛି। ଭୂ ବିଶେଷଜ୍ଞମାନେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଜାଣିବାକୁ ତନାଘନା ଚଲାଇଛନ୍ତି। ସେପଟେ ସ୍ଥାନୀୟ କାଙ୍ଗପୋକପି ଜିଲା ପ୍ରଶାସନ ମଧ୍ୟ ଘଟଣାକୁ ନିରୀକ୍ଷଣ କରିବାକୁ ସେଠାକୁ ଯାଇଛି।

କାଙ୍ଗପୋକପି ଏକ ପାହାଡ଼ିଆ ଅଞ୍ଚଳ। ବର୍ତ୍ତମାନ ଏହି ସ୍ଥାନର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଠି ମାଟି ତଳୁ ନିଆଁ ବାହାରୁ ଥିବାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକେ ଜାଣିବାକୁ ଚାହୁଁଛନ୍ତି କି, କାହିଁକି ଏଠି ଭୂମି ଜଳୁଛି। କାଙ୍ଗଚୁପ ଗେଲଜଙ୍ଗ-ଟି ଏସ୍‌ଡିଓ ଉପେନ୍ଦ୍ର ସିଂ କହିଛନ୍ତି, ‘ମାଟି ତଳେ ନିଆଁ ଲାଗିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା’।

ସେ ଆହୁରି କହିଛନ୍ତି ଯେ ଆମେ ଯାହା ଦେଖୁଛୁ, ତାହା ସମ୍ଭବତଃ ବାୟୋମାସ୍‌ ପ୍ରଜ୍ଜ୍ୱଳନ, ଯାହା କାଙ୍ଗଚୁପ୍‌ ମଖୋମ୍‌ ଗାଁ ଆଖପାଖ ବିଭିନ୍ନ ସ୍ଥାନରେ ଉତ୍ସର୍ଜିତ ହେଉଛି। ତେବେ ଏହାରି ଭିତରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି ଯେ ଏହି ସ୍ଥାନରେ ପୂର୍ବରୁ କଦଳୀ ଚାଷ ହେଉଥିଲା। ଦେଖା ଯାଉଛି, ଯେଉଁଠି କଦଳୀ ଚାଷ ହେଉଛି, ସେଠାକାର ଭୂମି ଏହି ପ୍ରକାର ବାୟୋମାସ୍‌ ପ୍ରଜ୍ଜ୍ୱଳନରେ ପ୍ରଭାବିତ ହେଉଛି। ଅଧିକାରୀମାନଙ୍କ କହିବା ହେଲା, ବର୍ତ୍ତମାନ ଏ ନେଇ ଏକ ରିପୋର୍ଟ ଉଚ୍ଚ ଅଧିକାରୀଙ୍କୁ ପଠାଯିବ ଏବଂ ଏହାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.