ହିର ରାଁଝାଙ୍କ ସମାଧି କହେ ଶାଶ୍ୱତ ପ୍ରେମର ଅପୂର୍ବ କାହାଣୀ

କଥାରେ ଅଛି ପ୍ରେମ ଶାଶ୍ୱତ, ପ୍ରେମ ଅମର । ଏହା ମଧ୍ୟ ବିଶ୍ଵାସ ଅଛି ଯେ ପ୍ରେମ ଅବିନଶ୍ଵର । କିଛି ଲୋକଙ୍କ ଭାଷାରେ ପ୍ରେମ ଅନ୍ଧ ମଧ୍ୟ । ପ୍ରେମର ଏହି ସଂଜ୍ଞାଗୁଡ଼ିକୁ ପ୍ରମାଣିତ କରିବା ପାଇଁ ଅତୀତରେ ଅନେକ ପ୍ରମାଣର ଅଭାବ ନାହିଁ । ଯାହାକି ଲୋକଙ୍କର ପ୍ରେମ ପ୍ରତି ଥିବା ଏହି ବିଶ୍ଵାସକୁ ଆହୁରି ଦୃଢ଼ୀଭୂତ କରିଛି ଲୟଲା ମଜନୁ, ଶାହାଜାହାନ ମମତାଜ, ହିର ରାଁଝାଙ୍କ ପ୍ରେମ କାହାଣୀ । ଏବେ ମଧ୍ୟ ପ୍ରେମୀ ଯୁଗଳଙ୍କ ମାନସପଟରେ ଛାଇ ରହିଛି । ନିଃସନ୍ଦେହରେ ଖାଲି ଆଜିର ପିଢ଼ି ପାଇଁ ନୁହେଁ, ଭବିଷ୍ୟତର ଅନେକ ପିଢ଼ି ପାଇଁ ସେମାନଙ୍କ ଏହି ପ୍ରେମ ଅମର ହୋଇ ରହିବ । ଲୋକଙ୍କର ବିଶ୍ଵାସ ରହିଛି ଯେ ‘ହିର ରାଁଝା’ଙ୍କ ପ୍ରେମର ଏକ ସୁଖଦ ଅନ୍ତ ହୋଇଥିଲା କିନ୍ତୁ ପ୍ରସିଦ୍ଧ ସୁଫି ଗୀତିକାର ଓ୍ଵାରିସ୍‌ ଶାହଙ୍କ କବିତା ଅନୁସାରେ ସେମାନଙ୍କ ପ୍ରେମର ଅନ୍ତ ଅତି ଦୁଃଖଦ ଓ ମର୍ମସ୍ପର୍ଶୀ ଥିଲା ।

HEER RANJHA-2ଓ୍ଵାରିସ୍‌ ଶାହ ପଞ୍ଜାବରେ ପ୍ରଚଳିତ ବିଭିନ୍ନ ଲୋକ କଥା, ଲୋକ ଗୀତ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ହିର ରା଼ଁଝାଙ୍କ ପ୍ରେମ କାହାଣୀକୁ ତାଙ୍କ କବିତା ମାଧ୍ୟମରେ ଅଧିକ ଜୀବନ୍ତ କରିଥିଲେ । ତାଙ୍କ ଅନୁସାରେ ଏହି କାହାଣୀ ଆଜକୁ ପ୍ରାୟ ୨୦୦ ବର୍ଷ ତଳର । ସେତେବେଳେ ଭାରତ ପାକିସ୍ତାନ ଅଲଗା ହୋଇନଥିଲେ । ବର୍ତ୍ତମାନ ସମୟର ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶରେ ସେତେବେଳେ ଲୋଧି ବଂଶର ରାଜୁତି ଥିଲା । ସେହି ପ୍ରଦେଶର ଝାଂଗ ବୋଲି ଏକ ଜିଲ୍ଲା ପ୍ରସିଦ୍ଧ ଚେନାଵ ନଦୀର ପୂର୍ବ ଭାଗରେ ଅବସ୍ଥିତ । ଏହିଠାରେ ହିଁ ଦୁଇ ପ୍ରେମୀଙ୍କ ପ୍ରେମକୁ ସମ୍ମାନ ଜଣାଇ ଏକା ସାଙ୍ଗରେ ସେମାନଙ୍କୁ ସମାଧି ଦିଆଯାଇଥିଲା | ପ୍ରକୃତରେ ହିର୍‌ ମଧ୍ୟ ସେହି ଗାଁରେ ହିଁ ଜନ୍ମ ହୋଇଥିଲେ । ତେଣୁ ସେଠାକାର ଲୋକ ଶ୍ରଦ୍ଧାରେ ତାଙ୍କୁ ମା ବୋଲି ସମ୍ବୋଧନ କରିଥାନ୍ତି । ଅବଶ୍ୟରେ ଏହି ସମାଧି ସ୍ଥଳ ଅନ୍ୟ ସ୍ଥଳମାନଙ୍କଠୁ ଟିକେ ଭିନ୍ନ । ସେଥିପାଇଁ ବୋଧେ ଏଠାକୁ ଦୂର ଦୂରାନ୍ତରୁ ଲୋକ ନିଜ ନିଜ ଗୁହାରି ଜଣାଇବା ପାଇଁ ଆସିଥାନ୍ତି । ଅଧିକ ମାତ୍ରାରେ ପ୍ରେମୀ ଯୁଗଳଙ୍କ ଭିଡ ଏଠାରେ ଜମିଥାଏ ।

HEER RANJHA-3ଏହି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ଏହିପରି ଭାବେ ଆରମ୍ଭ ହୋଇଥିଲା । ହିରଙ୍କ ପ୍ରକୃତ ନାମ ଇଜ୍ଜତ ବିବି ଥିଲା | ଯେତେବେଳେ କି ରାଁଝା ବା ରାଁଝଣାଙ୍କ ପ୍ରକୃତ ନାମ ଥିଲା ମିଆଁ ଉମର । ସେ ଛୋଟ ବେଳରୁ ପାରିବାରିକ କଳହ କାରଣରୁ ଘର ଛାଡି ପଳାଇ ଯାଇଥିଲେ । ସାଥିରେ ସେ ନିଜର ଅତି ପ୍ରିୟ ବଂଶୀଟିକୁ ନେଇ ଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ବଂଶୀ ହିଁ ସେମାନଙ୍କ ପ୍ରେମର ମୁକସାକ୍ଷୀ ପାଲଟିଥିଲା । ବାସସ୍ଥାନର ସନ୍ଧାନ କରୁ କରୁ ସେ ହିରଙ୍କ ଗ୍ରାମରେ ପହଂଚି ଥିଲେ । ଯେତେ ଯାହା ଅସୁବିଧା ଥିଲେ ବି ମଧ୍ୟ ପ୍ରତିଦିନ ବଂଶୀ ବଜାଇବାକୁ ଭୁଲାନ୍ତି ନାହିଁ ରାଁଝନା । ତାଙ୍କର ସୁମଧୁର ବଂଶୀ ସ୍ୱରରେ ବିଭୋର ହୋଇଯାନ୍ତି ହିର । ତା ପରେ ବଢ଼େ ଦୁହିଙ୍କ ସମ୍ପର୍କ । ଧୀରେ ଧୀରେ ଅଧିକ ସମୟ ଏକାସାଙ୍ଗରେ ଅତିବାହିତ କରିବାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେମାନେ ଲୁଚି ଲୁଚି ଏକା ସାଙ୍ଗରେ ଦେଖା ମଧ୍ୟ କରନ୍ତି । କିନ୍ତୁ ଦିନେ ହିରଙ୍କ ଦାଦା ସେମାନଙ୍କୁ ଦେଖିଦେଇ ହିରଙ୍କ ମା ବାପାଙ୍କୁ କହିଦେଲେ । ତେଣୁ ହିରଙ୍କ ଘର ଲୋକ ତାଙ୍କ ବାହାଘର ଅନ୍ୟ ଜାଗାରେ ଠିକ କରି ଦେଇଥିଲେ । କିନ୍ତୁ ରାଁଝାଙ୍କୁ ଭଲ ପାଉଥିବା ହିର ଏଥିରେ ରାଜି ହୋଇନଥିଲେ ।

HEER RANJHA-4

ପରେ ହୀରଙ୍କ ଘର ଲୋକ ତାଙ୍କ ବାହାଘର ରାଁଝାଙ୍କ ସହ କରିବାକୁ ରାଜି ମଧ୍ୟ ହୋଇ ଯାଇଥିଲେ । ହେଲେ ଭାଗ୍ୟର ନିର୍ଦ୍ଦେଶ ଥିଲା କିଛି ଭିନ୍ନ । ବାହାଘର ଦିନ ରାତିରେ ହିଁ ହିରଙ୍କ ଦାଦା ତାଙ୍କୁ ବିଷ ଦେଇ ମାରି ଦେଇଥିଲେ । ପ୍ରେମିକ ରାଁଝା ମଧ୍ୟ ଏହି ବିରହକୁ ସହ୍ୟ କରି ନ ପାରି ଆତ୍ମହତ୍ୟା କରିଥିଲେ । ଏମିତି ଦୁଃଖଦ ଅନ୍ତ ଘଟିଥିଲା ହିର-ରାଁଝା ପ୍ରେମ କାହାଣୀର । ସେମାନେ ଦୁହେଁ ସିନା ଏକାଠି ହୋଇ ପାରିଲେନି ସିନା କିନ୍ତୁ ଭବିଷ୍ୟତର ପ୍ରେମୀ ଯୁଗଳଙ୍କ ପାଇଁ ତାଙ୍କ ଶାଶ୍ୱତ ପ୍ରେମ ଜରିଆରେ ଉଦାହରଣ ସୃଷ୍ଟି
କରିଗଲେ । ତାଙ୍କର ସମାଧି ସ୍ଥଳକୁ ପ୍ରେମର ମକ୍କା ବୋଲି ଧରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.