ସୁବର୍ଣ୍ଣପୁର : ମାହେଶ୍ୱରୀ ପୀଠରେ ପାଳିତ ହୁଏ ନିଆରା ‘ମହାଖଲା ପୂଜା’, ଯେଉଁଠି ମାନସିକ କଲେ ପୂରଣ ହୁଏ ଭକ୍ତଙ୍କ ମନସ୍କାମନା

ସୁବର୍ଣ୍ଣପୁର (କେ ନ୍ୟୁଜ) : ପାର୍ବଣର ମାସ ହେଉଛି ଆଶ୍ୱିନ ମାସ। ଏହି ମାସରେ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ସବୁ ଶକ୍ତି ପୀଠରେ ନାନା ପ୍ରକାରର ପୂଜାର୍ଚ୍ଚନା କରାଯାଏ। ପ୍ରାଚୀନ କାଳରୁ ମଣିଷ ପ୍ରକୃତିକୁ ପୂଜା କରିଆସୁଛି। କେଉଁଠି ପଥରକୁ ଦେବତା ତ ଆଉ କେଉଁଠି ଖମ୍ବକୁ ମଧ୍ୟ ଲୋକେ ଈଶ୍ୱର ବୋଲି ମାନି ଆସୁଛନ୍ତି ।

s5

କୁମାର ପୂର୍ଣ୍ଣମୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା କାନପୁର ଗାଁ ମାହେଶ୍ୱରୀ ପୀଠରେ ହୁଏ ଏକ ନିଆରା ପୂଜା। ଯାହାର ନାମ ମହାଖଲା ପୂଜା। ଏହା ମାଁ ପରମେଶ୍ୱରୀ, ମାହେଶ୍ୱରୀ ଏବଂ ଖମ୍ବେଶ୍ୱରୀଙ୍କର ଏକ ସ୍ୱତନ୍ତ୍ର ପୂଜା। ଏହି ପୂଜାରେ ରହିଛି ଏକ ଭିନ୍ନ ମହକ ଏବଂ ଅନନ୍ୟ ପରମ୍ପରା। ଏହି ସଂସ୍କୃତି ସହିତ ଜଗନ୍ନାଥ ସଂସ୍କୃତିର ରହିଛି ଅନେକ ସାମଞ୍ଜସ୍ୟ। ଖମ୍ବେଶ୍ୱରୀ ସଂସ୍କୃତିରୁ ଜଗନ୍ନାଥ ସଂସ୍କୃତି ଓ ନବକଳେବର କଳ୍ପନା ବୋଲି ଗବେଷକଙ୍କ ମତ ରହିଛି। ସେଥିପାଇଁ ଏହି ମହାଖଲା ପୂଜାର ରହିଛି ଏକ ଅନନ୍ୟ ପରମ୍ପରା।

s4

କାହିଁ କେତେ ଦିନରୁ ଏଠିକାର ସଂସ୍କୃତିରେ ମାହେଶ୍ୱରୀ ଦେବୀ ଏବଂ ଖମ୍ବେଶ୍ୱରୀ ଦେବୀଙ୍କୁ ରାଷ୍ଟ୍ର ଦେବତା ଭାବେ ପୂଜା କରିଆସିଛନ୍ତି ଏଠିକାର ଲୋକେ। ରାଜା ରାଜୁଡା ସମୟରୁ ଜିଲ୍ଲାର କାନପୁର ଗାଁର ମାହେଶ୍ୱରୀ ପୀଠର ରହିଛି ବେଶ ପ୍ରସିଦ୍ଧି । ଏଠି ପୂଜିତ ହୋଇ ଆସୁଛନ୍ତି ମାହେଶ୍ୱରୀ, ଖମ୍ବେଶ୍ୱରୀ, ନାରାୟଣୀ, ଚାମୁଣ୍ଡା ଓ ନରଘଣ୍ଟା। ପ୍ରତିବର୍ଷ ଆଶ୍ୱିନ ମାସର ପୂର୍ଣ୍ଣିମାରେ ପଞ୍ଚଦେବୀଙ୍କ ପାଇଁ ଆୟୋଜିତ ହେଉଛି ମହାଖଳା ପୂଜା। ଏହି ସମୟରେ ମା’ଙ୍କ ପାଖରେ ମାନସିକ କଲେ ଭକ୍ତଙ୍କ ମନକାମନା ପୂରଣ ହେଉଥିବା ଯୋଗୁଁ ଏହି ସ୍ଥାନକୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି।

s 1

ଏହି ପୂଜାରେ ହାଣ୍ଡି ହାଣ୍ଡି ଅରୁଆ ଚାଉଳ, ମନ୍ଦାର ଫୁଲ, ପଦ୍ମ ଫୁଲ, ଦହି, ସିନ୍ଦୁର ହଳଦୀ ଲାଗି ରହୁଥିବା ବେଳେ ୩୨ ଶହ ଯୋଡାରୁ ବେଲପତ୍ର ଲାଗିଥାଏ। ପୂଜାରେ ପଞ୍ଚାମୃତ ସହ ଦହି ଓ ଦହନାରେ ଦେବୀଙ୍କୁ ସ୍ନାନ କରାଯାଏ। ପୂଜା ତ୍ରିକୋଣରୁ ଆରମ୍ଭ ହୋଇ ଶଟକୋଣ, ଷଟ୍‌କୋଣ ହୋଇ ୩୨ କୋଣ ଯାଏଁ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ପୂଜା ମଧ୍ୟରେ ବୀଜ ମନ୍ତ୍ର ଓଁ ସ୍ଥାପନା କରାଯାଇଥାଏ। ଆଲମର ରଙ୍ଗ ନାଲି ଯିଏକି ନରଘଣ୍ଟାଙ୍କ ପତ୍ରୀକ । ପୂଜା ମଣ୍ଡପରେ ଶୋଭା ପାଆନ୍ତି ଆଲମ ଓ ଆଲମର ଦୁଇ ପାର୍ଶ୍ୱରେ କଳା ଧଳା ଛତିରେ ଶୋଭା ପାଆନ୍ତି ମାହେଶ୍ୱରୀ ଓ ଖମ୍ବେଶ୍ୱରୀ।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେ ନ୍ୟୁଜ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.