ରୋଗୀଙ୍କ ପେଟରେ ୧୫ କ୍ୟାନ ବିୟର ପମ୍ପ କରି ଜୀବନ ବଞ୍ଚାଇଲେ ଡାକ୍ତର , ଜାଣନ୍ତୁ କେଉଁଠି ହୋଇଛି ଏହି ବିରଳ ଚିକିତ୍ସା

ଭିଏତନାମ : ବୁର୍ଲା ଭିମସାରରେ ଲୁଣ ଚିକିତ୍ସା କଥା ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ତେବେ ସେହିଭଳି ଏକ ଆଶ୍ଚର୍ଯ୍ୟ ଧରଣର ଆଉ ଏକ ଚିକିତ୍ସା ପଦ୍ଧତି ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ରୋଗୀଙ୍କୁ ବଞ୍ଚେଇବା ପାଇଁ ଡାକ୍ତରମାନେ ଏକ ବିରଳ ଏବଂ କିଏ କେବେ ସ୍ବପ୍ନରେ ଭାବିନଥିବା ଭଳି ଚିକିତ୍ସା ଶୈଳୀ ଗ୍ରହଣ କରିଛନ୍ତି। ଯେଉଁ ଚିକିତ୍ସା କୌଣସି ଲୁଣର ନଥିଲା ଏହା ଥିଲା ବିୟର ଚିକିତ୍ସା । ଏହା ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ । ମଦ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଆମେ ପଢିଛେ ଏବଂ ଶୁଣିଛେ । କିନ୍ତୁ ଶରୀର ପାଇଁ କ୍ଷତିକାରକ ଏହି ବିୟର ଯେ, ଜୀବନ ବଂଚାଇପାରିଛି ଏହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଟୟ ।
ରୋଗୀ ଜଣଙ୍କର ଆଲକୋହଲ ପଏଜନିଂ ଯୋଗୁଁ ମୃତ୍ୟୁ ଘଟିବା ନିଶ୍ଚିତ ଥିଲା। ତାଙ୍କ ଲିଭର ମଧ୍ୟ ସମ୍ପୂର୍ଣ୍ଣଭାବେ କାମ କରିବା ବନ୍ଦ କରିଦେଇଥିଲା । କିନ୍ତୁ ଡାକ୍ତରମାନେ ୫ ଲିଟର ବିୟର ଉକ୍ତ ବ୍ୟକ୍ତିଙ୍କ ପେଟରେ ପମ୍ପ କରିଥିଲେ। ମେଡିକାଲ ରିପୋର୍ଟ ଅନୁସାରେ ମିଥେନଲର ମାତ୍ରା ଅଧିକ ହୋଇଥିବାରୁ ଗୁଏନ ପ୍ରଥମେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ପରେ ତାଙ୍କ ଶରୀରର ଲିଭର ସଫା କରିବା ପାଇଁ ଡାକ୍ତରମାନେ ବିୟର ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟର କଥା ଏପରି କରିବା ପରେ ଡାକ୍ତରମାନେ ରୋଗୀ ଜଣଙ୍କୁ ବଞ୍ଚେଇବାରେ ସଫଳ ହୋଇଥିଲେ।
ସୂଚନାଅନୁଯାୟୀ, ଏହି ଘଟଣା ଘଟିଛି ଭିଏତନାମରେ । ଏଠାରେ ଥିବା ୪୮ ବର୍ଷ ବୟସ୍କ ଗୁଏନ ୱେନ ହାଟ ନାମକ ବ୍ୟକ୍ତିଙ୍କ ରକ୍ତରେ ମିଥେନଲର ମାତ୍ରା ସ୍ବଭାବିକ ସ୍ତରଠାରୁ ୧,୧୧୯ ଗୁଣ ଅଧିକ ହୋଇଥିବାରୁ ଡାକ୍ତରମାନେ ତାଙ୍କୁ ବଞ୍ଚେଇବା ପାଇଁ ଏହି ଚିକିତ୍ସା ଶୈଳୀର ପ୍ରୟୋଗ କରିଥିଲେ। ଗୁଏନଙ୍କ ଶରୀରରେ ମିଥେନଲର ମାତ୍ରା ଅଧିକ ହୋଇଥିବାରୁ ତାଙ୍କ ଲିଭର କାମ କରୁନଥିଲା। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତରମାନେ ଘଣ୍ଟାକୁ ଥରେ ତାଙ୍କ ପେଟରେ ଗୋଟେ ଲିଟରର ବିୟର ପମ୍ପ କରୁଥିଲେ। ଗୁଏନଙ୍କ ପେଟରେ ୧୫ କ୍ୟାନ ବିୟର ପମ୍ପ ହେଲା ପରେ ତାଙ୍କ ଲିଭର ସ୍ବଭାବିକ ଭାବେ କାମ କରିଥିଲା।